ଢେଙ୍କାନାଳ: ନିର୍ବାଚନ ପ୍ରଚାରରେ ଢେଙ୍କାନାଳ ଜିଲ୍ଲା ଦୁଲୁକୁଛି। ପ୍ରଚାର ଗାଡ଼ି ସାଙ୍ଗକୁ ଘରଘର ବୁଲି ପ୍ରାର୍ଥୀମାନେ ଭୋଟ୍ ମାଗୁଛନ୍ତି। ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ପାଇଁ ଷ୍ଟାର୍ ପ୍ରଚାରକଙ୍କ ସମେତ ଦଳର ମୁଖିଆମାନେ ଆସି ପ୍ରଚାର କରୁଛନ୍ତି। ହେଲେ କଂଗ୍ରେସ ପକ୍ଷରୁ ଏଯାଏଁ କୌଣସି ଷ୍ଟାର୍ ପ୍ରଚାରକ ଜିଲ୍ଲାକୁ ପ୍ରଚାର ପାଇଁ ଆସିନାହାନ୍ତି। ଭୋଟ୍ ଗ୍ରହଣକୁ ୪ ଦିନ ବାକି ରହିଥିବା ବେଳେ ଦିନକ ପରେ ପ୍ରଚାର ବନ୍ଦ ହୋଇଯିବ। କେନ୍ଦ୍ରୀୟ ନେତୃତ୍ୱ ତ ଦୂରର କଥା ରାଜ୍ୟର ବରିଷ୍ଠ ନେତା ମଧ୍ୟ ପ୍ରଚାରଠାରୁ ଦୂରରେ ରହିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ବିଜେପି ଓ ବିଜେଡି ଜୋରଦାର ପ୍ରଚାର କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପଛୁଆ ପଡ଼ିଛନ୍ତି। କଂଗ୍ରେସ ପକ୍ଷରୁ କୌଣସି ଷ୍ଟାର୍ ପ୍ରଚାରକ ନ ଆସିବା ଯୋଗୁଁ ପ୍ରାର୍ଥୀ ଓ ସମର୍ଥକମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ଆସିଥିବା ସାଧାରଣରେ ଆଲୋଚନା ହେଉଛି।
ଭୋଟ୍ ପାଇଁ ପ୍ରଚାର ୨୩ ତାରିଖରୁ ବନ୍ଦ ହେବାକୁ ଥିବାବେଳେ ଆଉ ମାତ୍ର ହାତରେ ୨ ଦିନ ରହିଥିବାରୁ ପ୍ରାର୍ଥୀମାନଙ୍କ ଜୋରଦାର ପ୍ରଚାରକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଉଠୁଛି ପଡ଼ୁଛି। ଗତ ୧୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଢେଙ୍କାନାଳ ସହର ଉପକଣ୍ଠ ସୁନ୍ଦରିଖାଲଠାରେ ଆୟୋଜିତ ସଭାରେ ଯୋଗଦେଇ ଯୋଡ଼ିଶଙ୍ଖକୁ ଆଶୀର୍ବାଦ ଦେବାକୁ ନିବେଦନ କରିଥିଲେ। ତାଙ୍କ ସହ ବିଜେଡି ନେତା ଭି କେ ପାଣ୍ଡିଆନ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ଓଡ଼ାପଡ଼ା ବ୍ଲକ୍ ଅଂଚଳରେ ଗତକାଲି ବିଜେଡି ଲୋକସଭା ପ୍ରାର୍ଥୀ ଅବିନାଶ ସାମଲଙ୍କ ପାଇଁ ଓଲିଉଡ୍ ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପ୍ରଚାର କରିଛନ୍ତି। ସେହିପରି ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲଙ୍କ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ସ୍ୱପ୍ନା ପ୍ରିୟଦର୍ଶନୀ ପୌରାଂଚଳର ବିଭିନ୍ନ ୱାର୍ଡ ସମେତ ସଦର ବ୍ଲକ୍ରେ ପ୍ରଚାର କରିଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅନୁଗୁଳ ଜିଲ୍ଲାକୁ ଆସି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ ଉଭୟ ଜିଲ୍ଲାର ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଢେଙ୍କାନାଳ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ନିଜ କର୍ମୀମାନଙ୍କ ସହ ଏହି ସଭାରେ ଯୋଗଦେଇ ମୋଦୀଙ୍କ ବାର୍ତ୍ତା ସମର୍ଥକମାନଙ୍କ ପାଖରେ ରଖି ନିଜ ପାଇଁ ସମର୍ଥନ ଲୋଡ଼ିଛନ୍ତି। ଆଜି ଗୃହମନ୍ତ୍ରୀ ଅମିତ ଶାହ କାମାକ୍ଷାନଗର ଉପକଣ୍ଠ ପର୍ଜଙ୍ଗ ବ୍ଲକ୍ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଆସନ୍ତାକାଲି ‘ରାମାୟଣ’ ଧାରାବାହିକର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ଢେଙ୍କାନାଳ ପୌରାଞ୍ଚଳରେ ରୋଡ୍ ସୋ କରି ବିଜେପି ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।
ହେଲେ କଂଗ୍ରେସର ପ୍ରଚାରରେ ଯେପରି କୌଣସି ରଣନୀତି ନଥିବା ପରି ଦେଖାଯାଉଛି। ଅଦ୍ୟାବଧି କୌଣସି ଷ୍ଟାର ପ୍ରଚାରକ ଢେଙ୍କାନାଳ ଜିଲ୍ଲାକୁ ଆସି ନାହାନ୍ତି। ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଓଡ଼ିଶାର ଅନ୍ୟ ଜିଲ୍ଲାରେ ପ୍ରଚାର କରୁଥିବା ବେଳେ ଏଠାରେ କାହାର ଦେଖାନାହିଁ। ଏପରି ଘଟଣା ଦଳୀୟ ନେତା ଓ କର୍ମୀଙ୍କୁ ହତୋତ୍ସାହିତ କରୁଛି। ଜିଲ୍ଲାରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ସଂଗଠନକୁ ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ କେବଳ କର୍ମୀମାନେ ଉଦ୍ୟମ ଚଳାଇଛନ୍ତି। ଦୁର୍ବଳ ସଂଗଠନକୁ ଧରି ଲୋକସଭା ପ୍ରାର୍ଥୀ ସସ୍ମିତା ବେହେରା ଓ ବିଧାନସଭା ପ୍ରାର୍ଥୀ ସୁସ୍ମିତା ସିଂହଦେଓ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଜିଲ୍ଲାର ୪ଟି ଯାକ ବିଧାନସଭା ମଣ୍ଡଳୀରେ ଦ୍ୱିମୁଖୀ ଲଢ଼େଇ ହେଉଥିବାବେଳେ କଂଗ୍ରେସ ପ୍ରାର୍ଥୀମାନେ ଅନ୍ଧାରୀବିଜେ କରି ଘରଘର ବୁଲି ନିଜର ସ୍ଥିତି ପରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ କିଭଳି ଓ କେତେ ଭୋଟ୍ ପାଇବ ତାହା ଏବେ ସନ୍ଦେହଘେରରେ ରହିଛି।