ଭୁବନେଶ୍ବର: ପ୍ରାଣୀମାନଙ୍କ ମଙ୍ଗଳ ସାଧନ ଓ ସେମାନଙ୍କ ପ୍ରତି ହେଉଥିବା ନିଷ୍ଠୁର ଆଚରଣରୁ ସୁରକ୍ଷା ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହାକୁ ସଶକ୍ତ କରିବା ସହ ଭିତ୍ତିଭୂମିର ବିକାଶ କରାଯିବ ବୋଲି କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ପୁନର୍ଗଠିତ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଏକ ଭର୍ଚୁଆଲ୍ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଥିଲେ ଯେ ପ୍ରାଣୀମାନଙ୍କ ଉତ୍ପୀଡ଼ନ ଓ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଅମାନବୀୟ ଓ ବର୍ଜନୀୟ। ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ଅନୁପାଳନ ଓ ଯୋଜନାଗୁଡ଼ିକର ଠିକ୍ ରୂପାୟନ ଦିଗରେ ବୋର୍ଡ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରାଣୀ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ସହିତ ପାଟ୍ରୋଲିଂ ଓ ଯାଞ୍ଚ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସମାଶ ବିଭାଗର ସଚିବ ଆର୍ ରଘୁପ୍ରସାଦ କହିଲେ ଯେ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ହେଲ୍ପ୍ ଲାଇନ୍ ନମ୍ବର ଓ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସର ପ୍ରଚଳନ ବ୍ୟବସ୍ଥା କରାଯାଉଛି। ବୈଠକରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ପ୍ରାଣୀ ମଙ୍ଗଳ ବୋର୍ଡ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କୃଷି ଉତ୍ପାଦନ କମିସନର୍ ରାଜ କୁମାର ଶର୍ମା, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ଓଡ଼ିଶା ଭେଟେରନାରି କାଉନ୍ସିଲ୍ର ବଳରାମ ମିଶ୍ର, ଭାରତୀୟ ଗୋ-ସମ୍ବର୍ଦ୍ଧନା ଓ ଅନୁସନ୍ଧାନ ସଂସ୍ଥାର ପ୍ରଫୁଲ୍ଲ ବିଶୋଇ, ଗୁରୁ ଗୋବିନ୍ଦ ଗୋସେବା ଆଶ୍ରମର ଗୋପୀନାଥ କର ଓ ବିଏମ୍ସିର ପ୍ରତିନିଧି ସାମିଲ ହୋଇଥିଲେ।