୧.୭୦ଲକ୍ଷ କୋଟିକୁ ଛୁଇଁବ ରାଜ୍ୟ ବଜେଟ୍,  ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ

ଭୁବନେଶ୍ବର: କୋଭି଼ଡ୍‌ର ଜବରଦସ୍ତ ପ୍ରଭାବ ରାଜ୍ୟ ଉପରେ ପଡ଼ିଛି। ଅର୍ଥନୀତି ବିଗିଡ଼ିଯାଇଛି ଓ ସରକାରଙ୍କ ନୂଆ ଓଡ଼ିଶା ଗଠନ କାର୍ଯ୍ୟକ୍ରମ ବି ଢେର୍ ପ୍ରଭାବିତ ହୋଇଛି। ଯଦିଓ କେନ୍ଦ୍ର ବଜେଟ୍‌ ଓ ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ସୂଚନା ଦେଲାଣି ଯେ କେନ୍ଦ୍ର ସରକାରଙ୍କ ଠାରୁ ସେଭଳି ଆଖିଦୃଶିଆ ସହାୟତା ମିଳିବ ନାହିଁ, ତା ସତ୍ତ୍ବେ ରାଜ୍ୟ ସରକାର ଆସନ୍ତାବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଏକ ବିଶାଳ ବଜେଟ୍ ପ୍ରସ୍ତୁତ କରିଛନ୍ତି।

ବଜେଟ୍‌ରୁ ବାହାରିବ ନିର୍ବାଚନର ଗନ୍ଧ
 ବର୍ଷ ମଝିରେ ଆସିବ ସରକାରଙ୍କ ବଡ଼ ଘୋଷଣା
 ଆସନ୍ତା ୨୨ ତାରିଖରେ ଗୃହରେ ଆଗତ ହେବ

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଚଳିତ (୨୦୨୦-୨୧) ଆର୍ଥିକବର୍ଷ ଠାରୁ ପାଖାପାଖି ୧୩ ପ୍ରତିଶତ ଅଧିକ ଅର୍ଥାତ୍ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟରେ ମୋହର ଲାଗିଛି। ଆସନ୍ତା ୨୨ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ବଜେଟ୍ ଆଗତ କରିବେ। ମନ୍ତ୍ରୀ ପରିଷଦ ବୈଠକ ସଂପର୍କରେ ସରକାରୀ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଅପପୁଷ୍ଟି ରୋକିବା ଦିଗରେ ସରକାର ଗୁରୁତ୍ବ ଦେଇଛନ୍ତି। ଆସନ୍ତାବର୍ଷ ପୌର ଓ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳ ରାସ୍ତା ପାଇଁ ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଧିକ ଅର୍ଥ ବରାଦ ହୋଇଛି। ସହରାଞ୍ଚଳରେ ରାସ୍ତାଘାଟକୁ ଚିକ୍ ଚିକ୍ କରିବେ ସରକାର। ଲୋକଙ୍କ ହାତକୁ ଅଧିକ ଅର୍ଥ ଦେବା ଲାଗି ବଜେଟ୍‌ରେ ବ୍ୟବସ୍ଥା ହୋଇଛି। ଏଥିପାଇଁ ବଡ଼ ପରିମାଣର ଅର୍ଥ ବିଭାଗମାନଙ୍କୁ ଦିଆଯାଇଛି। ସେହିଭଳି ସରକାରଙ୍କ ପ୍ରମୁଖ ଯୋଜନା ଅର୍ଥାତ୍ ପୁରୀର ଐତିହ୍ୟ ପ୍ରକଳ୍ପ, ଏକାମ୍ରକ୍ଷେତ୍ର ବିକାଶ ଯୋଜନା, କଟକରେ ଏମ୍‌ସ ପ୍ଲସ୍ ମେଡ଼ିକାଲ, ସମଲେଶ୍ବରୀ ମନ୍ଦିରର ବିକାଶ ଆଦି ବାବଦରେ ମଧ୍ୟ ଆଖିଦୃଶିଆ ଅର୍ଥ ବ୍ୟୟବରାଦ କରାଯାଇଥିବା ସୂଚନା ମିଳୁଛି। ଏହାବ୍ୟତୀତ ଆଦର୍ଶ ବିଦ୍ୟାଳୟ, କାଳିଆ ଯୋଜନା ଆଦି ପାଇଁ ବଜେଟ୍‌ରେ ଅର୍ଥ ରଖାଯାଇଛି।୨୦୨୦-୨୧ ଆର୍ଥିକ ବର୍ଷର ମୂଳ ବଜେଟ ଦେଢ଼ଲକ୍ଷ କୋଟି ଟଙ୍କା ରହିଥିଲା। କରୋନା ସତ୍ତ୍ବେ ସରକାର ଅତିରିକ୍ତ ବଜେଟରେ ୧୧ହଜାର ୨୦୦କୋଟି ଟଙ୍କା ରଖିଥିଲେ। ଏଥିରୁ କିନ୍ତୁ ଏକ ବଡ଼ ପରିମାଣର ଅର୍ଥ ଖର୍ଚ୍ଚ ହୋଇପାରିନଥିଲା।

ଉଲ୍ଲେଖଥାଉକି, ଗୋଟିଏ ପଟେ ରାଜ୍ୟର ନିଜସ୍ବ ରାଜସ୍ବ ଆଖିଦୃଶିଆ ବୃଦ୍ଧି ପାଉନଥିବା େବଳେ ଅନ୍ୟପଟେ କେନ୍ଦ୍ରୀୟ ଅଂଶ କମିବା ଫଳରେ ରାଜ୍ୟର ବିକାଶ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ସ୍ବପ୍ନ ଦେଖିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ନାହିଁ। ଏଣୁ କେବଳ ଚଳିତବର୍ଷର ଅଧାପନ୍ତରିଆ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ଆଡ଼କୁ ଟାଣିନେବା ସହିତ ସବୁ ବର୍ଗର ଲୋକଙ୍କ ମନ କିଣିବା ପାଇଁ ଅର୍ଥ ବରାଦ ହେବ। ଏ କ୍ଷେତ୍ରରେ ରାଜ୍ୟ ସରକାର ଏବେଠାରୁ କୌଣସି ସ୍ବତନ୍ତ୍ର ନୂଆ ଯୋଜନା ବଜେଟ୍‌ରେ କରିବା ସମ୍ଭାବନା କ୍ଷୀଣ। ବରଂ ଯଦି ଆର୍ଥିକ ସ୍ଥିତିରେ ସୁଧାର ଆସିବ, ତେବେ ସରକାର ବର୍ଷ ମଝିରେ ତଥା ବଜେଟ୍‌ ବାହାରେ କିଛି ବଡ଼ ଘୋଷଣା କରିବା ସମ୍ଭାବନା ଏଡ଼ାଇ ଦେଇ ହେବ ନାହିଁ ବୋଲି ଅର୍ଥନୀତି ବିଶାରଦମାନେ ପୂର୍ବାନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର