ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବକୁ ଅନୁମୋଦନ, ଏଣିକି ସାବାଡ୍ ହେବେ ବାଲି ମାଫିଆ

ଆସିଲା ‘ଓଡ଼ିଶା ବାଲି ନୀତି-୨୦୨୧’ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ପ୍ରୋଭିଜନାଲ୍ ପେନ୍‌ସନ୍ ମଞ୍ଜୁରି କ୍ଷମତା

ଭୁବନେଶ୍ବର: ବାଲି ଚୋରା ଚାଲାଣ ଏବଂ ବେଆଇନ୍ ଖନନ ରୋକିବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ବାଲି ନୀତି-୨୦୨୧’ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟର ସବୁ ଅଞ୍ଚଳରେ ଯେପରି ବାଲିର ଅଭାବ ହେବନି, କେଉଁ ବାଲିଘାଟରୁ କେତେବେଳେ କେତେ ବାଲି ଉଠିଲା, କେଉଁ ଗାଡ଼ିରେ ଉଠିଲା, କେଉଁ ଅଞ୍ଚଳକୁ ଗଲା, କେଉଁଠି ବାଲି ବ୍ୟବହାର ହେଲା ତା’ର ସବିଶେଷ ତଥ୍ୟ ଏଣିକି ରାଜସ୍ବ ବିଭାଗ ପାଖରେ ରହିବ। ବାଲି ଉଠାଣଠାରୁ ଆରମ୍ଭ କରି ବ୍ୟବହାର ପର୍ଯ୍ୟନ୍ତ ସବୁର ଟିକିନିଖି ତଥ୍ୟ ରଖାଯିବ। ଏହାଦ୍ବାରା ଘାଟରୁ ଅଧିକ ବାଲି ଉଠିବନି କି ଚୋରା ଚାଲାଣ ହେବନି ବୋଲି କୁହାଯାଉଛି ଏବଂ ବାଲି ଚାଲାଣ କରି କୋଟି‌କୋଟି ଟଙ୍କାର ରାଜସ୍ବ ଫାଙ୍କୁଥିବା ବାଲି ମାଫିଆମାନେ ଏଣିକି ସାବାଡ୍ ହେବେ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ଏହାକୁ ମିଶାଇ ମୋଟ୍ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ ଏବଂ ବିଭିନ୍ନ ନଦୀପଠାରେ ବେଆଇନ ବାଲି ଖନନ ବଢ଼ିଚାଲିଥିବାରୁ ଏନେଇ ଗତ ଫେବ୍ରୁଆରି ମାସରେ ବିଧାନସଭାରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ବାଲି ମାଫିଆଙ୍କ ଉପରେ ନଜର ରଖିବାକୁ ଓ ବାଲି ଚୋରା ଚାଲାଣ ରୋକିବାକୁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ପଚାରିଥିଲେ। ରାଜସ୍ବ ମନ୍ତ୍ରୀ ଉତ୍ତର ଦେଇ କହିଥିଲେ ଯେ, ଆମେ ବାଲି ଚୋରା ଚାଲାଣ ରୋକିବାକୁ ‘ଓଡ଼ିଶା ବାଲି ନୀତି’ ଆଣୁଛୁ। ଏବେ ଏହି ବାଲି ନୀତିକୁ କ୍ୟାବିନେଟ୍ ଅନୁମୋଦନ କରିଥିବାରୁ ଆସନ୍ତା ବିଧାନସଭା ଅଧିବେଶନରେ ଏହି ନୀତି ଉପରେ ଚୂଡ଼ାନ୍ତ ମୋହର ବାଜିବାର ସମ୍ଭାବନା ଅଛି।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ନୂଆ ବାଲି ନୀତିରେ ବାଲି ଚାହିଦା ଯୋଗାଣ ଅଟକଳ, ବାଲି ଉତ୍ସ ଚିହ୍ନଟ, ବାଲି ଉତ୍ସର ଡିଜିପିଏସ୍ ସର୍ବେକ୍ଷଣ, ବାଲି ଖନନର ନିଲାମ ଅଧିକାର, ମାଇନିଂ ପ୍ଲାନ୍ ଅନୁମୋଦନ, ପରିବେଶ ମଞ୍ଜୁରୀ ଓ ଅନ୍ୟାନ୍ୟ ବୈଧାନିକ ମଞ୍ଜୁରୀ, ବାଲି ଖାଦାନ ଚାଳନା, ଅନ୍ତଃରାଜ୍ୟ ପରିବହନ ଏବଂ ତଦାରଖ ଓ ପ୍ରବର୍ତ୍ତନ ଇତ୍ୟାଦି ରହିଛି। ଏହାଦ୍ବାରା ପରିବେଶ ଜନିତ ନିୟମ ଆଧାରରେ ବାଲି ଉତ୍ତୋଳନ ସୁନିଶ୍ଚିତ ହେବ। ସେହିପରି ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ ପ୍ରକଳ୍ପ ତଥା ବେସରକାରୀ ନିର୍ମାଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ପରିମାଣର ବାଲି ଯୋଗାଣ ବ୍ୟବସ୍ଥା କରାଯାଇପାରିବ। ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଆଧାରରେ ବାଲିଖନନ ଓ ଉତ୍ତୋଳନର ନିୟନ୍ତ୍ରଣ ସହିତ ଏକ ଶକ୍ତ ତଦାରଖ ବ୍ୟବସ୍ଥାରେ ବାଲି ଉତ୍ସର ଚିହ୍ନଟଠାରୁ ଶେଷ ବ୍ୟବହାରକାରୀ ପର୍ଯ୍ୟନ୍ତ ବାଲି ଯୋଗାଣର ବ୍ୟବସ୍ଥା ଉପରେ ନଜର ରଖିବା ସହ ବେଆଇନ ବାଲି ଉତ୍ତୋଳନ ରୋକାଯାଇପାରିବ।

ସେହିପରି ଆଜି କ୍ୟାବିନେଟ୍‌ରେ ‘ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କ ଅବସରକାଳୀନ ହିତ ନିୟମାବଳି, ୧୯୮୧’ର ସଂଶୋଧନ କରାଯାଇଛି। ଏହାଦ୍ବାରା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ (ଯିଏକି ସ୍ବତନ୍ତ୍ର ଭାବେ ‘ଉଠାଣ ଓ ବିତରଣ ଅଧିକାରୀ’ ‌େଘାଷିତ ହୋଇଥିବେ) ସେମାନେ ସମସ୍ତ କର୍ମଚାରୀଙ୍କ ‘ଅସ୍ଥାୟୀ ନିବୃତ୍ତ-ବେତନ’(ପ୍ରୋଭିଜିନାଲ୍ ପେନସନ୍)ର ମଞ୍ଜୁରି, ଉଠାଣ ଓ ବିତରଣ ପ୍ରାଧିକାରୀ ଭାବେ ଦାୟିତ୍ବ ବହନ କରିବେ। ଅପରପକ୍ଷେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ‘ଅସ୍ଥାୟୀ ନିବୃତ୍ତ-ବେତନ’ର ମଞ୍ଜୁରି, ଉଠାଣ ଓ ବିତରଣ ପ୍ରାଧିକାରୀ ଭାବେ ସଂପୃକ୍ତ ଆଞ୍ଚଳିକ ନିର୍ଦ୍ଦେଶକ କାର୍ଯ୍ୟ କରିବେ। ଏହାଦ୍ବାରା ପ୍ରୋଭିଜିନାଲ ପେନସନ୍ ପାଇଁ ଅଧ୍ୟାପକ ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟକୁ ଆସିବାକୁ ପଡ଼ିବନି। ସେହିପରି କ୍ୟାବିନେଟ୍ କେନ୍ଦୁଝର ଜିଲ୍ଲାର କାନୁପୁର ଜଳସେଚନ ପ୍ରକଳ୍ପର ବାମପାର୍ଶ୍ବ ମାଟିବନ୍ଧ ଆରମ୍ଭରୁ ୧୧୫୦ମିଟର ମଧ୍ୟରେ ୧୦୦୦ମିମି ଚଉଡ଼ାର ପ୍ଲାଷ୍ଟିକ କଂକ୍ରିଟ କାନ୍ଥ ନିର୍ମାଣ କରିବା ପାଇଁ ଜିଏସ୍‌ଟି ରହିତ ୧୯୯କୋଟି ୬୦ଲକ୍ଷ ୪ହଜାର ୬୩୫ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛି। ଏହି କାର୍ଯ୍ୟ ୧୧ ମାସରେ ସରିବ। ଏହି ପ୍ରକଳ୍ପ ଦ୍ବାରା ‌ବନ୍ଧର ବୋଲ୍‌ଡର ସ୍ତରରେ ଜଳକ୍ଷରଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ। କାନୁପୁର ଜଳସେଚନ ପ୍ରକଳ୍ପକୁ ଡିସେମ୍ବର,୨୦୨୩ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଇସ୍ପାତ ଓ ଖଣି ବିଭାଗର ୪ଟି ସର୍ଭିସ୍ ରୁଲ୍‌କୁ ସଂଶୋଧନ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ସେଗୁଡ଼ିକ ହେଲା ‘ଓଡ଼ିଶା ଅଧସ୍ତନ ଖଣିଜ ପ୍ରଶାସନ ସେବା କ୍ୟାଡର ନିୟମ-୨୦୨୧’, ‘ଓଡ଼ିଶା ଖଣିଜ ଏବଂ ରସାୟନ ବିଶ୍ଳେଷଣ ସେବା କ୍ୟାଡର ନିୟମ-୨୦୨୧’, ‘ଓଡ଼ିଶା ଖଣିଜ ପ୍ରଶାସନ ସେବା କ୍ୟାଡର ନିୟମ-୨୦୨୧’, ‘ଓଡ଼ିଶା ଅଧସ୍ତନ ଖଣିଜ ଏବଂ ରସାୟନ ବି‌ଶ୍ଳେଷଣ ସେବା କ୍ୟାଡର ନିୟମ-୨୦୨୧’।

ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ପ୍ରୋଭିଜନାଲ୍ ପେନ୍‌ସନ୍ ମଞ୍ଜୁରି କ୍ଷମତା
କାନୁପୁର ଜନଳସେଚନ ପ୍ରକଳ୍ପ ପାଇଁ ୨୦୦ କୋଟିରେ ହେବ ପ୍ଲାଷ୍ଟିକ କାନ୍ଥ

ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହାଦ୍ବାରା ୪୫୯ଟି ନୂତନ ପଦବି ସୃଷ୍ଟି କରି ମୋଟ୍ ପଦବି ସଂଖ୍ୟା ୧୯୪୦କୁ ବୃଦ୍ଧି କରାଯାଇଛି ଏବଂ ଗ୍ରୁପ୍ ବି ସ୍ତରରେ ପ୍ରାଣୀ ଚିକିତ୍ସକ ପ୍ରବେଶସ୍ତରୀୟ ପଦବିକୁ ଗ୍ରୁପ୍‌-ଏ ପାହ୍ୟାକୁ ଉନ୍ନୀତ କରାଯାଇଛି। ଫଳସ୍ବରୂପ ପରବର୍ତ୍ତୀ ପଦୋନ୍ନତି ନିମିତ୍ତ ଉଦ୍ଦିଷ୍ଟ ପଦବିଗୁଡ଼ିକର ପାହ୍ୟା ବୃଦ୍ଧି ହେବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ର ଆସବାବପତ୍ରକୁ ପଞ୍ଚାୟତ ସମିତିକୁ ରକ୍ଷଣାବେକ୍ଷଣ କରିବା ନିମନ୍ତେ ହସ୍ତାନ୍ତର କରିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ରାଜ୍ୟର ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟଗୁଡ଼ିକରେ ଗ୍ରୁପ୍‌-ଡି ବର୍ଗର କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳିକୁ ଅଧିକ ଫଳପ୍ରଦ ଭାବେ ବିନିୟମିତ କରିବା ସକାଶେ ଏକ ପୃଥକ ନିୟମାବଳି ମଧ୍ୟ ପ୍ରଣୟନ କରାଯାଇଛି।

ରାଜ୍ୟ ସରକାର ହସ୍ତଶିଳ୍ପର ବିକାଶ ଲାଗି ରୁଲ୍‌ସ ଅଫ୍ ବିଜିନେସ୍‌ରେ ସଂଶୋଧନ କରିଛନ୍ତି। ଏଥିରେ ହସ୍ତ ଓ କୁଟୀର ଶିଳ୍ପ ସ୍ଥାନରେ କେବଳ ହସ୍ତଶିଳ୍ପ ଲେଖାଯିବ ଏବଂ କୁଟୀର ଶିଳ୍ପକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରୁ ବାଦ୍‌ ଦିଆଯିବ। ହସ୍ତଶିଳ୍ପ ସମ୍ପର୍କିତ ସମସ୍ତ ଯୋଜନା, କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପକୁ ଏହାର ଅନ୍ତର୍ଭୁକ୍ତ କରାଯିବ। ଓଡ଼ିଶା ହସ୍ତଶିଳ୍ପ ନୀତି, ଓଡ଼ିଶା ହସ୍ତତନ୍ତ ସେବା ନିୟମ କ୍ୟାଡର ଓ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ କ୍ୟାଡର, ଓଡ଼ିଶା ଶିଳ୍ପ ସଂଗ୍ରହାଳୟ-କଳାଭୂମି, ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ, ଅର୍ବାନ ହାଟ ଓ ହସ୍ତଶିଳ୍ପ ପାଇଁ ମାର୍କେଟ୍ ବି ଏଥିରେ ସାମିଲ୍‌ ହେବ। ଏହାସହ ଓଡ଼ିଶା ସାମାଜିକ ସୁରକ୍ଷା ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବାର ସର୍ତ୍ତ) ସଂଶୋଧନ କରାଯାଇଛି।

 

ସମ୍ବନ୍ଧିତ ଖବର