ଭୁବନେଶ୍ବର: ଶୃଙ୍ଖଳିତ ଭାବେ ପଞ୍ଚାୟତ ନିର୍ବାଚନ ପରିଚାଳନା ଏବଂ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳ ଓ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ରାଜ୍ୟ ନିର୍ବାଚନ କମିସନର ଶ୍ରୀ ପାଢୀ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ୱାର୍ଡରେ ବାସ କରୁଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ସହ ଅଯୋଗ୍ୟ ଭୋଟର ଯେପରି ତାଲିକାରେ ସାମିଲ ନହୁଅନ୍ତି ସେଥିପ୍ରତି ସଜାଗ ରହିବେ।
ବିଧାନସଭା ଭୋଟର ତାଲିକାରୁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ବେଳେ ଯେପରି କୌଣସି ଭୋଟର ବାଦ୍ ନପଡ଼ନ୍ତି କିମ୍ବା ଜଣଙ୍କ ନାମ ଏକାଧିକବାର ଭୋଟର ତାଲିକାରେ ସ୍ଥାନ ନପାଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ବରଗଡ଼, ବଲାଙ୍ଗୀର, ଗଜପତି, କଳାହାଣ୍ଡି, କୋରାପୁଟ ଏବଂ ନୂଆପଡ଼ା ଆଦି ୭ଟି ଜିଲ୍ଲା ନଭେମ୍ବର ୩୦ତାରିଖ ସୁଦ୍ଧା ତେଲେଙ୍ଗାନା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭୋଟ୍ ବାକ୍ସ ସଂଗ୍ରହ କରିବାକୁ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ଆଲୋଚନା ହୋଇଥିଲା। ଏଥିସହ ନଭେମ୍ବର ୧୫ତାରିଖ ସୁଦ୍ଧା ଜିଲ୍ଲାରେ ଭୋଟ୍ ଗଣତି କେନ୍ଦ୍ରର ସ୍ଥିତି ସମ୍ପର୍କରେ ଜଣାଇବା ନେଇ ବୈଠକରେ କମିସନର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।
ଆଜିର ବୈଠକରେ ଭୋଟବାକ୍ସ ମରାମତି ଓ କଲରିଂ, ଭୋଟ୍ ଗ୍ରହଣ େକନ୍ଦ୍ର ଚିହ୍ନଟ ଆଦି ବିଷୟରେ ଆଲୋଚନା ହୋଇଥିଲା। ଭିଡିଓ କନଫରେନ୍ସିଂରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଚିବ ରବୀନ୍ଦ୍ରନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଅାର୍. ଆୟାର, ଉପସଚିବ ଆଜାଦ୍ ହିନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ରାଜ୍ୟ ନିର୍ବାଚନ କମିସନର ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/state-election-commission.jpg)