ଆଜି ବସିବ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ବିଜେପି ଫୋକସ୍‌ରେ ସଂସଦୀୟ କ୍ଷେତ୍ର

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଫୋକସ୍‌ରେ ୨୧ଟି ଯାକ ସଂସଦୀୟ କ୍ଷେତ୍ର ଅଛି। ୨୧ରୁ ୨୧ ନଚେତ୍‌ ଯଥାସମ୍ଭବ ଅଧିକ ଆସନ ହାତେଇବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଛି। ରାଜ୍ୟ କାର୍ଯ୍ୟକାରିଣୀ ‌େବୖଠକ ପୂର୍ବରୁ ବିଜେପିର ବସିଥିବା ରାଜ୍ୟ ପଦାଧିକାରୀ ବୈଠକରୁ ଏହି ସଂକେତ ମିଳିଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ପଦାଧିକାରୀ ବୈଠକ ବସିଥିବାବେଳେ ଏଥିରେ ବିଜେପି ୨୦୧୯ରେ ହାରିଥିବା ୧୩ଟି ଲୋକସଭା ସଂସଦୀୟ କ୍ଷେତ୍ରର ପଦାଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ଏଥିରେ ୨୦୧୯ରେ ମୋଦୀ ହାୱା ସତ୍ତ୍ବେ କେଉଁ କାରଣ ଯୋଗୁଁ ସାଂସଦ ପ୍ରାର୍ଥୀ ହାରିଥିଲେ, ଏବେ ସ୍ଥିତି କ’ଣ ଅଛି ସେନେଇ ଆଲୋଚନା ହୋଇଥିଲା। ଏପରିକି ଏହି ୧୩ଟି ସଂସଦୀୟ କ୍ଷେତ୍ରରେ ଯେପରି ପ୍ରାର୍ଥୀମାନେ ଜିତିବେ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଷ୍ଟ୍ରୀୟ ସଚିବ ହରିଶ ଦ୍ବିବେଦୀଙ୍କ ଉପସ୍ଥିତିରେ ବସିଥିବା ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଏହି ୧୩ଟି ସଂସଦୀୟ କ୍ଷେତ୍ରକୁ ବାକି ସାଂସଦମାନେ ନିୟମିତ ବ୍ୟବଧାନରେ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ କରିବେ। କେନ୍ଦ୍ର ମନ୍ତ୍ରୀମାନେ ନିୟମିତ ବ୍ୟବଧାନରେ ବଡ଼ ବଡ଼ ସଭା କରି କେନ୍ଦ୍ରୀୟ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବେ ଏବଂ ରାଜ୍ୟ ସରକାରଙ୍କ ବିଫଳତା ତୁଳନାତ୍ମ ଢଙ୍ଗରେ କହିବେ।

ସେହିପରି ଏହି ରାଜ୍ୟ ପଦାଧିକାରୀ ବୈଠକରେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀ ଓ ଚାଷ ସମସ୍ୟା, ମହିଳା ଓ ଶିଶୁ ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସୀମା ବିବାଦ, ବେରୋଜଗାରୀ ସମସ୍ୟା, ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା, ବ୍ୟାପକ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସମସ୍ୟା, ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ଆଦି ଘଟଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଲୋଚନା ହୋଇଥିଲା। ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଓଡିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବିଧାନର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଗୈାରବର ବିଷୟ। କୃଷକ ଓ କୃଷକ କଲ୍ୟାଣକୁ ପ୍ରାଥମିକତା ଦେବା, ଅଗ୍ନିପଥ ଯୋଜନାର ଶୁଭାରମ୍ଭ, ଗରୀବ କଲ୍ୟାଣ ଯୋଜନାରେ ଦୀର୍ଘ ୨ ବର୍ଷ ଧରି ୮୦ କୋଟି ଦେଶବାସୀଙ୍କୁ ମାଗଣା ଚାଉଳ, ଡାଲି ଆଦି ରାସନ ଯୋଗାଇଦେବା, ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ଦୂରସଂଚାର ବିଭାଗ ତରଫରୁ ୩ ହଜାରରୁ ଉର୍ଦ୍ଧ୍ୱ ମୋବାଇଲ ଟାୱାର ନିର୍ମାଣ, ପ୍ରଧାନମନ୍ତ୍ରୀ ଜନଔଷଧି ପରିଯୋଜନାରେ ଶସ୍ତା ଓ ସୁବିଧାରେ ଔଷଧ ଯୋଗାଇଦେବା ଆଦି ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ଆଜି ପଦାଧିକାରୀ ବୈଠକରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଆଜିର ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର, ଜିଲ୍ଲା ସଭାପତି, ପ୍ରଭାରୀମାନେ ଯୋଗ ଦେଇଥିଲେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସହ ପ୍ରଭାରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର