ଭୁବନେଶ୍ବର: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ରାଜ୍ୟ ଖାଦ୍ୟ ଯୋଗାଣ ନିଗମ। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ରିହାତି ବକେୟା ଦିଆଯାଉନାହିଁ, ଅନ୍ୟଦିଗରେ ବ୍ୟାଙ୍କ ସୁଧ ଟଙ୍କା ବୃଦ୍ଧି ପାଇଚାଲିଛି। ଏସବୁ ଦର୍ଶାଇ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବା ସହିତ ଖାଦ୍ୟ ରିହାତି ବାବଦରେ ବକେୟା ଥିବା ୧୪ ହଜାର ୨୪୯ କୋଟି ୭ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଦାବି ରଖିଛନ୍ତି। ୨୦୨୧ ମସିହାରେ ଜବତ ବିଆର୍ଏଲ୍ ଚାଉଳର ପ୍ରତିବଦଳ କରାଯାଇଥିଲେ ମଧ୍ୟ ଏହାକୁ ସାର୍ଟିଫାଏ କରାଯାଉନଥିବା ନେଇ ମଧ୍ୟ ଏହି ଚିଠିରେ ଦୃଷ୍ଟି ଆକର୍ଷଣ କରାଯାଇଛି।
କେନ୍ଦ୍ର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ପତ୍ରରେ କୁହାଯାଇଛି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ଏବଂ ସାଧାରଣ ବିତରଣ ଏବଂ ଜନ କଲ୍ୟାଣ ଯୋଜନାରେ ଚାଉଳ ବିତରଣ ଆଦି କେନ୍ଦ୍ର ସରକାରଙ୍କ ଦାୟିତ୍ବ। କେନ୍ଦ୍ର ସହିତ ରାଜ୍ୟର ଚୁକ୍ତିନାମା ଅନୁଯାୟୀ ରାଜ୍ୟ ସରକାରଙ୍କ କେବଳ ଏଜେନ୍ସି ଭାବରେ ଧାନ ସଂଗ୍ରହ କରିବ ସିନା କିନ୍ତୁ କୌଣସି ପ୍ରକାର ଆର୍ଥିକ ଚାପ ରାଜ୍ୟ ଉପରେ ପଡ଼ିବ ନାହିଁ। ହେଲେ ଚଳିତ ବର୍ଷ ତୃତୀୟ କ୍ବାଟରର ପ୍ରୋଭିଜିନାଲ ସବ୍ସିଡି ୫୦୨୭ କୋଟି ଏବଂ ଚତୁର୍ଥ କ୍ବାଟରର ଆଡଭାନ୍ସ ସବ୍ସିଡି ୧୪୬୯.୭୮ ଟଙ୍କା କେନ୍ଦ୍ର ବାକି ରଖିଛି।
ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ, ରାଜ୍ୟ ସରକାର ଚାଷୀଙ୍କଠାରୁ ଧାନ ସଂଗ୍ରହ ପରେ ଚାଉଳ ପାଇଁ ମିଲର୍ ପାଖକୁ ଯାଇଥାଏ। ମିଲର୍ ଏହି ଉତ୍ପାଦିତ ଚାଉଳ ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଗୋଦାମମାନଙ୍କରେ ରଖାଯାଏ। ମିଲ ପକ୍ଷରୁ ଦିଆଯାଉଥିବା ଚାଉଳର ମାନ ଏଫ୍ସିଆଇ, କେନ୍ଦ୍ର ଏବଂ ରାଜ୍ୟ ଟିମ ମିଳିତ ଭାବରେ କରିଥାଆନ୍ତି। ୨୦୨୧ ମସିହା ଜୁଲାଇ ମାସ ୧୬ ତାରିଖରେ କେନ୍ଦ୍ରୀୟ ଟିମ ପକ୍ଷରୁ ବ୍ୟାପକ ଭାବରେ ବିଆର୍ଏଲ୍ ଚାଉଳ ଜବତ କରାଯାଇ ଥିଲା। ଏହି ଚାଉଳର ପ୍ରତିବଦଳରେ ଉତ୍ତମମାନର ଚାଉଳ ଦେବା ପାଇଁ ମିଲର୍ମାନଙ୍କୁ କୁହାଯାଇଥିଲା। ବିଆର୍ଏଲ୍ ଚାଉଳ ଜବତର ୬ ମାସ ମଧ୍ୟରେ କେନ୍ଦ୍ରୀୟ ଟିମ ଯାଞ୍ଚ କରି ପ୍ରତିବଦଳ ଚାଉଳ ଠିକ ହୋଇଥିଲେ ସାର୍ଟିଫାଏ କରିବା ଉଚିତ। ମାତ୍ର ଏଯାଏ ପ୍ରତିବଦଳ ୧୮ ଷ୍ଟ୍ରାକ ଚାଉଳ ସାର୍ଟିଫାଏ କରାଯାଉ ନାହିଁ। ଏସବୁ ଚାଉଳ ବର୍ତ୍ତମାନ ଗୋଦାମରେ ପଡ଼ି ରହିଛି। ତାର ରିହାତି ଟଙ୍କା ପାଇବା ନେଇ ମଧ୍ୟ ଅନିଶ୍ଚିତତା ହେଉଛି। ଯଥାଶୀଘ୍ର ଖାଦ୍ୟ ରିହାତି ଏବଂ ବ୍ୟାଙ୍କ ସୁଧ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେବା ପାଇଁ ଚିଠିରେ କୁହାଯାଇଛି।
୨୦୧୪ରୁ ବଢ଼ିଚାଲିଛି ବକେୟା
କେବଳ ଚଳିତ ବର୍ଷ ନୁହେଁ ଗତବର୍ଷ ମଧ୍ୟ ୧୦ ହଜାର ୩୩୪ କୋଟି ଟଙ୍କାର ଖାଦ୍ୟ ରିହାତି ଟଙ୍କା କେନ୍ଦ୍ର ଦେବା ପାଇଁ ଚିଠି କରିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୧୪ ହଜାରରୁ ଉର୍ଧ୍ବକୁ ପହଞ୍ଚିଛି। ୨୦୦୩ ମସିହାରୁ କେନ୍ଦ୍ର ସରକାର ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଛନ୍ତି। ରାଜ୍ୟ ସରକାର କେବଳ ମଧ୍ୟସ୍ଥି ଭୂମିକାରେ ଥିବାରୁ ଏଥିପାଇଁ ହେଉଥିବା ଖର୍ଚ୍ଚ କେନ୍ଦ୍ର ରାଜ୍ୟକୁ ଦେଇଥାଏ। ୨୦୦୩ ମସିହାରୁ ହିଁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଚୁକ୍ତିନାମା ଅନୁସାରେ ଟଙ୍କା ଦିଆଯାଉନଥିଲା। କିନ୍ତୁ ସ୍ଥିତି ଜଟିଳ ନଥିଲା। ତେଣୁ ଓଡ଼ିଶା ଏହାକୁ ଗୁରୁତ୍ବ ଦେଇନଥିଲା। ୨୦୧୪ ମସିହାରୁ ବକେୟା ଟଙ୍କା ବଢିବା ସହିତ ୨୦୧୯ ମସିହାରୁ କେନ୍ଦ୍ର ସବସିଡି ଟଙ୍କା ପ୍ରଦାନରେ ଗୁରୁତର ଅବହେଳା କରିଛି।
ଏଥିଯୋଗୁଁ ରାଜ୍ୟର ଆର୍ଥିକ ଚାପ ବଢିବାରେ ଲାଗିଛି। ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହାରେ ୧୨୦.୫୬ କୋଟି, ୨୦୧୫ ମସିହାରେ ୧୬୦.୭୫ କୋଟି, ୨୦୧୬ ମସିହାରେ ୧୦୪.୪୬ କୋଟି, ୨୦୧୭ ମସିହାରେ ୨୮୨.୪୨ କୋଟି, ୨୦୧୮ ମସିହାରେ ୨୫୮.୪୨ କୋଟି, ୨୦୧୯ ମସିହାରେ ୧୦୬୭୫.୪୧ କୋଟି, ୨୦୨୦ ମସିହାରେ ୧୩୭୦.୪୪ କୋଟି, ୨୦୨୧ ମସିହାରେ ୨୯୮୮.୪୦ କୋଟି ଟଙ୍କା ବକେୟା ରହିଛି। ଧାନ ସଂଗ୍ରହ ଏବଂ ଚାଉଳ ବିତରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଋଣ କରାଯାଏ। ଏହାର ସୁଧ କେନ୍ଦ୍ର ଦେଇଥାଏ। ମାତ୍ର ଏଥିରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବାରୁ ରିହାତି ବକେୟା ଏତେ ବୃଦ୍ଧି ପାଇଛି।