ସମ୍ବଲପୁର: ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ସମ୍ବଲପୁରବାସୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟ ସରକାରୀ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ ଲଗାତାର ଭାବେ ସରକାରୀ ଅବହେଳାର ଶିକାର ହୋଇ ଆସୁଥିବା ସମ୍ବଲପୁରର ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଏଥର ରାଜ୍ୟ ସରକାର ହାତଖୋଲା ଅନୁଦାନ ଦେଇଛନ୍ତି। ଫଳରେ ଦେବୋତ୍ତର ବିଭାଗର ଆଭିମୁଖ୍ୟରେ ଅସନ୍ତୁଷ୍ଟ ଥିବା ଯାତ୍ରା କମିଟିମାନେ ସ୍ବତନ୍ତ୍ର ଅନୁଦାନ ପାଇ ଉତ୍ସାହିତ ହୋଇଥିବାବେଳେ ସମ୍ବଲପୁରବାସୀ ବି ଆନନ୍ଦ ବ୍ୟକ୍ତ କରିଛନ୍ତି।

Advertisment

‌େ‌ହଲେ ସ୍ବତନ୍ତ୍ର ଅନୁଦାନରୁ ବଞ୍ଚିତ ହୋଇଥିବା ଯାତ୍ରା କମିଟିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶୁକ୍ରବାର ରାଜ୍ୟ ସରକାର ତିନି ପୁରାତନ ଓ ବୃହତ୍‌ ଯାତ୍ରା କମିଟି ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ାକୁ ନେଇ ଗଠିତ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତିକୁ ୩୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି। ଏହି ଅନୁଦାନ ରାଶି ମିଳିତ ସମନ୍ବୟ ସମିତିର ବ୍ୟାଙ୍କ ଖାତାରେ ଜମା ହୋଇଛି। ଏହାଛଡ଼ା ୭ଟି ଅନ୍ୟ ଯାତ୍ରା କମିଟି ବାଲିବନ୍ଧା, ଦୁର୍ଗାପାଲି, ସାଲିଆବଗିଚା-କୁମ୍ଭାରପଡା, କୁଳୁଥକାନି, ଶଙ୍କରମଠ ଭତରା, ସିନ୍ଦୁରପଙ୍କ ଓ ବୁର୍ଲାକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। ଅପରପକ୍ଷରେ ଆଉ ୨ଟି ପ୍ରମୁଖ ଯାତ୍ରା କମିଟି ବଡ଼ବଜାର ଓ ଠାକୁରପଡ଼ାକୁ ଏଯାଏଁ ଅନୁଦାନ ମିଳି ନାହିଁ। ସେହିପରି ବୁଢ଼ାରଜା, ସାକ୍ଷୀପଡ଼ା ଭଳି ଆଉ କିଛି ଯାତ୍ରା କମିଟି ଅନୁଦାନରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସ୍ବତନ୍ତ୍ର ଅନୁଦାନ ମିଳି ନଥିବା ବଡ଼ବଜାର କମିଟି ସଂପାଦକ ସରୋଜ ସାହୁ ଏବଂ ଠାକୁରପଡ଼ା କମିଟି ସଭାପତି ଶିବ ପ୍ରଧାନ କହିଛନ୍ତି। ତେବେ ସେମାନେ ସାମାନ୍ୟ ବିଳମ୍ବରେ ଆବେଦନ କରିଥିବାରୁ ପ୍ରସ୍ତାବ ବିଚାରାଧୀନ ରହିଛି ଓ ଶୀଘ୍ର ଅନୁଦାନ ଘୋଷଣା ହେବ ବୋଲି ସଂଜୟ ବାବୁ ସୂଚନା ଦେଇଛନ୍ତି। ଆଉ କେତେକ କମିଟି ଆବେଦନ କରି ନଥିବାରୁ ଅନୁଦାନରୁ ବାଦ ପଡ଼ିଛନ୍ତି ବୋଲି ସେ କହିଛନ୍ତି।

ଶୁକ୍ରବାର ସଂଧ୍ୟାରେ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତିର ଏକ ବୈଠକରେ ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ାର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ପ୍ରଥମଥର ପାଇଁ ୩୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଶୀତଳଷଷ୍ଠୀ ଯାତ୍ରା ପ୍ୟାକେଜ୍ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ମିିଳିତ ସମନ୍ବୟ ସମିତିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ଝାଡ଼ୁଆପଡ଼ା କମିଟି ସଭାପତି ସରୋଜ ଦଲପତ, ନନ୍ଦପଡ଼ା କମିଟି ସଭାପତି ପ୍ରଶାନ୍ତ ବରେଇ ଏବଂ ମୁଦିପଡ଼ା କମିଟି ସଭାପତି ଜଗଦୀଶ ପଣ୍ଡା ଏକ ପ୍ରେସ୍ ବିବୃତି ଜରିଆରେ କୃତଜ୍ଞତା ଜଣାଇବା ସହ ଶୀତଳଷଷ୍ଠୀ ଭଳି ପ୍ରାଚୀନ ସାଂସ୍କୃତି ଯାତ୍ରାକୁ ପ୍ରୋତ୍ସାହିତ କରିବା ଦିଗରେ

ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ ଓ ପ୍ରଶଂସା କରାଯାଇଛି। ଅପରପକ୍ଷରେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପାଇଥିବା ୭ଟି ଯାତ୍ରା କମିଟିର କର୍ମକର୍ତ୍ତାମାନେ ସମଲେଶ୍ୱରୀ ମନ୍ଦିର ମଣ୍ଡପରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କୁ ଅନୁଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇବା ସହ ସେଠାରେ ଉପସ୍ଥିତ କାଳିଆ ଯୋଜନା ଓ କୃଷି ସଶକ୍ତୀକରଣ ଉପଦେଷ୍ଟା ସଞ୍ଜୟ ବାବୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ଶୀତଳଷଷ୍ଠୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଏହି ସମସ୍ତ କମିଟିକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ବ୍ୟବସ୍ଥା କରିଥିବାରୁ ମହାନଗର ବିଜେଡି ତରଫରୁ ପ୍ରଫୁଲ୍ଲ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ରାଜ୍ୟ ସଂସ୍କୃତି ବିଭାଗ ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା କମିଟି ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଛନ୍ତି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ସଂସ୍ଥା ଗେଲ୍ ତରଫରୁ ୩ ଲକ୍ଷ ଟଙ୍କାର ମଞ୍ଜୁରି ପତ୍ର ମିଳିଥିବା ବଡ଼ବଜାର ଯାତ୍ରା କମିଟି ତରଫରୁ କହାଯାଇଛି। ତେବେ ୨ ବର୍ଷ ହେଲା ରାଜ୍ୟ ଦେବୋତ୍ତର ବିଭାଗ ଅନୁଦାନ ଦେଉ ନଥିବାରୁ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟି କ୍ଷୁବ୍‌ଧ ଅଛନ୍ତି।