ଡ୍ୟାମ୍ ସୁରକ୍ଷା ନେଇ ନିୟମାବଳୀ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ବର : ଗତବର୍ଷ ସଂସଦରେ ଡ୍ୟାମ୍ ସୁରକ୍ଷା ଆଇନ, ୨୦୨୧ ପାରିତ ହେବା ପରେ ରାଜ୍ୟ ସରକାର ଆଜି ରାଜ୍ୟ ଡ୍ୟାମ୍ ସୁରକ୍ଷା କମିଟି((ପ୍ରଣାଳୀ, ଭତ୍ତା ଓ ଅନ୍ୟାନ୍ୟ ଖର୍ଚ) ୨୦୨୨ ନିୟମାବଳୀ ପ୍ରଣୟନ କରିଛନ୍ତି। ଏହାସହ ରାଜ୍ୟ ଡ୍ୟାମ୍ ସୁରକ୍ଷା ସଂସ୍ଥା(ଏସ୍‌ଡିଏସ୍‌ଓ) ମଧ୍ୟ ଗଠନ କରାଯାଇଛି। ଏଥିରେ ଜଣେ ମୁଖ୍ୟମନ୍ତ୍ରୀ(ଡ୍ୟାମ୍ ସୁରକ୍ଷା)ଙ୍କ ସହିତ ୧୭ଜଣ ଅନ୍ୟ ଇଞ୍ଜିନିୟର ରହିଛନ୍ତି। ରାଜ୍ୟ ଜଳ ସଂପଦ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ଡ୍ୟାମ୍ ସୁରକ୍ଷା କମିଟିରେ ଜଣେ ମୁଖ୍ୟ ଯନ୍ତ୍ରୀ(ଡ୍ୟାମ୍ ସୁରକ୍ଷା)ଙ୍କ ନେତୃତ୍ବରେ ଡ୍ୟାମ୍ ସୁରକ୍ଷା ନେଇ ବର୍ଷକୁ ଦୁଇଥର ବୈଠକ ବସିବ। ତେବେ ମୌସୁମୀ ଆସିବା ପୂର୍ବରୁ ଗୋଟିଏ ବୈଠକ ଅନୁଷ୍ଠିତ ହେବ ବୋଲି ନିୟମାବଳୀରେ କୁହାଯାଇଛି। କମିଟି ଡ୍ୟାମ୍‌ ସୁରକ୍ଷାର ମାନ ବଜାୟ ରଖିବା ସହିତ ବିପର୍ଯ୍ୟୟ ସମୟରେ ଡ୍ୟାମ୍ ବିଫଳ ହେବା ଭଳି ଆଶଙ୍କାର ମଧ୍ୟ ସମୀକ୍ଷା କରିବ। ଯଦି କୌଣସି ଡ୍ୟାମ୍ ବିପଦ ସଂକୁଳ ଅବସ୍ଥାରେ ରହିଛି, ତାହାଲେ କମିଟି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କୁହାଯାଇଛି। ରାଜ୍ୟର ଯେଉଁ ଡ୍ୟାମ୍ ଗୁଡ଼ିକ ବହୁତ ପୁରୁଣା ହୋଇଗଲାଣି ସେମାନଙ୍କୁ ପର୍ଯ୍ୟାୟକ୍ରମେ ପୁନଃ ଥଇଥାନ ଉପରେ ପ୍ରସ୍ତାବ ଦେବ। ଏସ୍‌ଡିଏସ୍‌ଓ ଡ୍ୟାମ୍‌ଗୁଡ଼ିକର ସୁରକ୍ଷା ନେଇ ନିରୀକ୍ଷଣ ସହିତ ଯାଞ୍ଚ ମଧ୍ୟ କରିବ। ‌ଏସ୍‌ଡିଏସ୍‌ଓ ଅଧୀନରେ ରହିଥିବା ଯେତେ‌ ସବୁ ଡ୍ୟାମ୍‌ ରହିଛି ତାହାର ତଥ୍ୟ ରଖିବା ସହିତ କି କି ପ୍ରକାର ନିରୀକ୍ଷଣ ଓ ଯାଞ୍ଚ ଗ୍ରହଣ କରାଯାଇଛି ତାହାର ଡାଟାବେସ୍ ପ୍ରସ୍ତୁତ ରହିବ। ଆର୍ଥିକ ବର୍ଷ ଶେଷ ହେବାର ୩ ମାସ ପୂର୍ବରୁ ଏସ୍‌ଡିଏସ୍‌ଓ ଏକ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବେ ଓ ବିଧାନସଭାରେ ଏହି ରିପୋର୍ଟ ଯେପରି ଉପସ୍ଥାପନ ହେବ ସେଥିପାଇଁ କର୍ତୃପକ୍ଷଙ୍କୁ ନିକଟକୁ ପଠାଇବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର