ରାଜ୍ୟ ସରକାର ନିଜକୁ କ୍ଲିନଚିଟ୍ ‌ଦେବାକୁ ବ୍ୟଗ୍ର: ବିଜେପି

ଭୁବନେଶ୍ବର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ରାଜ୍ୟ ସରକାରଙ୍କର ଜଣେ ପୁଲିସ ଗୁଳି ମାରି ହତ୍ୟା କଲେ, ପରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଗଲା। ବର୍ତମାନ ରାଜ୍ୟ ସରକାରଙ୍କ ସୁପାରିସ ଆଧାରରେ ଅବସରପ୍ରାପ୍ତ ବିଚାରପତି ଜେ.ପି ଦାସଙ୍କୁ ତଦନ୍ତର ତଦାରଖ ଦାୟିତ୍ୱ ଦିଆଯାଇଛି। ସତେ ଯେପରି ଏହି ଘଟଣାରେ ରାଜ୍ୟ ସରକାର ନିଜକୁ କ୍ଲିନଚିଟ୍ ଦେବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ଅକାଳ ମୃତ୍ୟୁ ପଛରେ ବିରାଟ ଷଡ଼ଯନ୍ତ୍ର ଦିନକୁ ଦିନ ଘନୀଭୁତ ହେଉଥିବାବେଳେ ରାଜ୍ୟ ସରକାର ଏହାର ସତ୍ୟାସତ୍ୟକୁ ଚାପି ଦେବାର ଅପପ୍ରୟାସ କରୁଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦାରଖ କରି ରାଜ୍ୟ ସରକାର ଏହି ସନ୍ଦେହକୁ ଆହୁରି ଘନୀଭୁତ କରିଛନ୍ତି। ଅତୀତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ହେଉ କି କୁନ୍ଦୁଲି ଘଟଣା, ଏଥିରେ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇଥିଲେ ଏବଂ ଏହାର ଫଳାଫଳ ବିରାଟ ଶୂନ ହୋଇ ରହିଗଲା। ଆଜି ପର୍ଯ୍ୟନ୍ତ ଉପରୋକ୍ତ ଦୁଇଟି ଘଟଣାର କୌଣସି ଫଇସଲା ସାମ୍ନାକୁ ଆସିଲା ନାହିଁ। ଏପରି ସ୍ଥଳେ ନବ ଦାସଙ୍କ ହତ୍ୟାର ତଦନ୍ତକୁ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଇ ରାଜ୍ୟ ସରକାର କ’ଣ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ଏହାସହ ସେ କହିଛନ୍ତି ଯେ, ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପରେ ଆଜି ଓଡ଼ିଶାବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଓଡ଼ିଶାବାସୀଙ୍କ ମନରୁ ଏହି ହତ୍ୟା ଷଡ଼ଯନ୍ତ୍ରର ସନ୍ଦେହକୁ ଦୂରୀଭୁତ କରିବା ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ସୁପାରିସ କରିବାକୁ ପୁନର୍ବାର ଦାବି କରୁଛୁ। ଏହି ସାମ୍ବାଦିକ ସମ୍ମିଳନୀରେ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର