ନିଜ ଛବି ଆଙ୍କୁଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାର ୟାସ୍‌ ବାତ୍ୟା କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ନ କରି ନିଜ ଛବି ଆଙ୍କିବାରେ ବ୍ୟସ୍ତ। ଆଜି ରାଜ୍ୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ତଥା କଂଗ୍ରେସର ୟାସ୍‌ ଟାସ୍କ୍‌ ଫୋର୍ସ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ। ସେ କହିଛନ୍ତି, ଗତ ମେ ୨୦ ତାରିଖରୁ ବାତ୍ୟାର ଆଶଙ୍କା ଥିବା ନେଇ ଜଣାପଡ଼ିବା ପରେ ବି ସରକାର ଖାମଖିଆଲି ଭାବେ ପ୍ରସ୍ତୁତିରେ ଅବହେଳା କରିଥିଲେ। ଯାହା ଯୋଗୁ ଲକ୍ଷ ଲକ୍ଷ ଲୋକମାନଙ୍କ ଅବସ୍ଥା ବିପନ୍ନ ହୋଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଟାସ୍କ ଫୋର୍ସ କମିଟି ଶ୍ରୀ ମାଝୀଙ୍କ ନେତୃତ୍ବରେ ଭଦ୍ରକ, ବାଲେଶ୍ବର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲା। ଶ୍ରୀ ମାଝୀ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ। କିନ୍ତୁ କ୍ଷତିଗ୍ରସ୍ତଙ୍କ ପାଖରେ ସରକାର ଏ ପର୍ଯ୍ୟନ୍ତ ପହଞ୍ଚିପାରିନାହାନ୍ତି। ସରକାରୀ କର୍ମଚାରୀମାନେ ଶାସକ ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ହାତ ବାରିସି ସାଜି ରିଲିଫ ସାମଗ୍ରୀ ଦଳୀୟ ପ୍ରିୟାପ୍ରୀତି ଆଧାରରେ ବଣ୍ଟନ କରୁଛନ୍ତି। ଏସବୁ ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିରେ ଲୁଣାପାଣି ମାଡିଯାଇ ଲୋକମାନଙ୍କର ମୀନ, ପାନ ଓ ଧାନକ୍ଷେତକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି। ପ୍ରାୟ ୫୦୦ରୁ ୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷ କ୍ଷତିଗସ୍ତ ହୋଇଛି। ସେହିପରି ଧାନ, ପନିପରିବା ଓ ପାନଚାଷୀମାନଙ୍କର ପ୍ରାୟ ୧୦୦ କୋଟି କ୍ଷତି ହୋଇଥିବା କଂଗ୍ରେସ ଟାସ୍କ୍‌ ଫୋର୍ସ କମିଟି ଆକଳନ କରିଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କ ଲାଗି ସରକାର ଅବିଳମ୍ବେ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ୧୨୮ଟି ଗ୍ରାମ ପାଣି ଘେରରେ ରହିଥିବା ସରକାର ତଥ୍ୟ ଦର୍ଶାଇଥିବା ବେଳେ ସେସବୁ ଅଞ୍ଚଳର ଲୋକମାନେ ଏବେ ବି ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ, ରନ୍ଧାଖାଦ୍ୟ ଓ ବିଦ୍ୟୁତ ସେବା ପାଇବାରେ ବହୁ ହଇରାଣ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ୭ ଦିନର ରିଲଫ ପରିବର୍ତ୍ତେ ୧୫ ଦିନ ପାଇଁ ରିଲିଫ ଘୋଷଣା କରନ୍ତୁ।

ଓଡ଼ିଶା ସରକାର ଦୁଇ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରନ୍ତୁ ବୋଲି ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଟାସ୍କଫୋର୍ସ କମିଟି ସଦସ୍ୟ ପଦ୍ମାକର ଗୁରୁ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ସମେତ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର