ଭୁବନେଶ୍ବର : ରାଜ୍ୟ ସରକାର ଖରିଫ୍ ଧାନ ସଂଗ୍ରହ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଅନେକ ଜିଲ୍ଲାରୁ ୧୫ ଦିନରୁ ୧ମାସ ବିଳମ୍ବରେ ମଣ୍ଡି ଖୋଲାଯିବା କାରଣରୁ ଚାଷୀ ଉତ୍ପାଦିତ ଧାନର ପ୍ରାୟ ୩୦ ପ୍ରତିଶତ ଧାନକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ବେଗୁନିଆପଡ଼ାର ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ରାଜ୍ୟ ସରକାରଙ୍କ ଧାନ କ୍ରିୟ ନୀତିରେ ଆଦୌ ସ୍ବଚ୍ଛତା ନାହିଁ ଓ ମଣ୍ଡି ବିଫଳତା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ।
ଗୁରୁବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ଚଳିତବର୍ଷ ଧାନ ଅମଳ ମୁତାବକ ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲାଯାଇନାହିଁ। ମିଲରମାନଙ୍କ ଅବୈତନିକ କାରବାର, କଟ୍ନି ଛଟନି, ଚାଷୀ ଶୋଷଣ ପ୍ରକ୍ରିୟା ପ୍ରତି ବିଭାଗୀୟ କର୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ୨୦୧୪ ମସିହାରୁ ସ୍ବାମୀନାଥନ କମିଟି ସୁପାରିସ ଆଧାରରେ ଏମ୍ଏସ୍ପିର ଦେଢ଼ଗଣା ବୃଦ୍ଧି ପାଇଁ ମୋଦୀ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏମ୍ଏସ୍ପିର ଆଇନଗତ ଗ୍ୟାରେଣ୍ଟି ଦିଆଗଲା ନାହିଁ। ରାଜ୍ୟ ସରକାର କ୍ବିଣ୍ଟାଲ ପିଛା ଧାନରେ ୯ଶହ ଟଙ୍କା ଅତିରିକ୍ତ ସହାୟତା ବା ବୋନସ ଦେବାକୁ ଘୋଷଣା କରିଥିଲେ। ତାହାକୁ ମଧ୍ୟ ପାଳନ କରାଗଲା ନାହିଁ। ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କଠାରୁ ସମସ୍ତ ବଳକା ଧାନ ନିର୍ଧାରିତ ଏମ୍ଏସ୍ପିରେ ଠିକଣା ସମୟରେ କ୍ରୟ କରନ୍ତୁ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୪ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ କରାଯାଉ। କେନ୍ଦ୍ର ସରକାର ଅବିଳମ୍ବେ ସ୍ବାମୀନାଥନ କମିଟି ସୁପାରିଶ ଆଧାରରେ ଏମ୍ଏସ୍ପିରେ ବୃଦ୍ଧି କରନ୍ତୁ। ଯଦି ସରକାର ଏପରି ଚାଷୀ ମାରଣ ନୀତିକୁ ନିବୃତ୍ତ ନ ରୁହନ୍ତି ତେବେ ଆଗାମୀ ଦିନରେ ମଣ୍ଡିସ୍ତରରୁ ଦୁର୍ବାର ଚାଷୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଚାଷୀ ନେତା ଦାଶରଥି ସାହୁ, ରବୀନ୍ଦ୍ର କୁମାର ପାଇ ଓ ତୁଷାରକାନ୍ତ ନାୟକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Mkg-paddy-jabat-1.jpg)