ରାଜ୍ୟ ସରକାର ନିଜ ଅବହେଳାରୁ କେନ୍ଦ୍ରୀୟ ଅନୁଦାନ ହରାଇବା ପରିସ୍ଥିତି ସୃଷ୍ଟି କରୁଛନ୍ତି : ମୋହନ ମାଝୀ

ଭୁବନେଶ୍ୱର : ରାଜ୍ୟ ସରକାର ନିଜ ଅବହେଳା କାରଣରୁ ପିଏମ୍‌ ପୋଷଣ ଓ ଅନ୍ୟାନ୍ୟ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ହରାଇବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।

ଶ୍ରୀ ମାଝୀ କହିଛନ୍ତି ଯେ, ପିଏମ୍‌ ପୋଷଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ କରି କେନ୍ଦ୍ର ଉପରେ ଦୋଷ ଲଦିବା କେତେ ଦୂର ଯୁକ୍ତିଯୁକ୍ତ? ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତ ୧୬ ମାର୍ଚ୍ଚରେ ଚିଠି ଲେଖି ପିଏମ୍‌ ପୋଷଣ ଯୋଜନାରେ ଦ୍ୱିତୀୟ କିସ୍ତି ମିଳିନଥିବା କଥା କହିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାର୍ଚ୍ଚ ୧୭ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ମୂଳ ବଜେଟରେ ସ୍ୱଳ୍ପ ଅର୍ଥ ଏବଂ ଅତିରିକ୍ତ ବଜେଟରେ କୌଣସି ଅର୍ଥ ଆବଣ୍ଟନ ନ କରିବା ପରେ ବି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପ ପରେ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ପିଏମ୍‌ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ବ୍ୟତୀତ ରାଜ୍ୟ ସରକାର ପିଏଫ୍‌ଏମ୍‌ଏସ୍‌ ମାଧ୍ୟମରେ ବିସ୍ତୃତ ପ୍ରସ୍ତାବ ପ୍ରଦାନ କଲେ ଆହୁରି ୨୫ କୋଟି ଟଙ୍କା ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାର ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ କରିବା ସତ୍ତ୍ୱେ ବି କେନ୍ଦ୍ର ସରକାର ପିଏମ୍‌ ପୋଷଣର ଦ୍ୱିତୀୟ କିସ୍ତି ପାଇଁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ରାଜ୍ୟ ସରକାର ଧନ୍ୟବାଦ ଦେବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର