ସର୍ଭେ ନାଁରେ ପଛୁଆବର୍ଗଙ୍କୁ ଭଣ୍ଡାଉଛନ୍ତି ରାଜ୍ୟ ସରକାର: ଶ୍ରୀକାନ୍ତ

ଭୁବନେଶ୍ବର : ଆସନ୍ତା ମେ’ ୧ତାରିଖରୁ ରାଜ୍ୟରେ ପଛୁଆବର୍ଗଙ୍କ ସର୍ଭେ ଆରମ୍ଭ ହେବ। ନିକଟରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଲୋକମାନଙ୍କୁ ଅଙ୍ଗନବାଡ଼ି ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଫର୍ମ ପୂରଣ କରିବାକୁ ହେବ। ହେଲେ ବିହାରରେ ପଛୁଆବର୍ଗଙ୍କ ଏବେ ସର୍ଭେ ଚାଲିଛି। ଏଥିରେ ୩ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୫ଶହ କୋଟିର ବ୍ୟୟବରାଦ କରାଯାଇଛି। ନିୟୋଜିତ କର୍ମଚାରୀମାନେ ଘରକୁ ଘର ଯାଇ ପଛୁଆବର୍ଗଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ମାତ୍ର ଓଡ଼ିଶାରେ ଏଭଳି ବ୍ୟବସ୍ଥା ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ସର୍ଭେରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା କେତେ ତାହା ଠିକ୍ ଭାବେ ଜଣାପଡ଼ିବ ନାହିଁ। କାରଣ ଲୋକମାନଙ୍କୁ ଅଙ୍ଗନବାଡ଼ି ଓ ‌ପଞ୍ଚାୟତ କାର୍ଯ୍ୟାଳୟ ଆସିବାକୁ କୁହାଯାଇଥିବାରୁ ଅନେକ ହୁଏତ ନ ଆସିପାରନ୍ତି। କେବଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଛୁଆବର୍ଗଙ୍କୁ ଭଣ୍ଡାଉଛନ୍ତି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା।

ଶ୍ରୀ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି(ଏସ୍‌ସିଏସ୍‌ଟି)ଙ୍କ ସଂଖ୍ୟା ହେଉଛି ୩୮.୫ ପ୍ରତିଶତ। ଜାତୀୟସ୍ତରରେ ଏସ୍‌ସିଏସ୍‌ଟିଙ୍କ ହାର ୨୨ ପ୍ରତିଶତ। ସୁପ୍ରମିକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଦେଇପାରୁ ନାହାନ୍ତି। ଓବିସି ବର୍ଗର ଜନସଂଖ୍ୟାକୁ ବିଚାରକୁ ନେଲେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଛି। ସଂରକ୍ଷଣ ନ ମିଳିବାରୁ ଏହି ବର୍ଗର ଛାତ୍ରଛାତ୍ରୀ ଡାକ୍ତର, ଇଞ୍ଜିନିୟର ହେବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କୁ ପଛୁଆବର୍ଗଙ୍କ ସଂରକ୍ଷଣ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ରାଜ୍ୟ ସରକାର ଏହାକୁ ବିଚାରକୁ ନେଇ ନାହାନ୍ତି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ସର୍ଭେ ଜରିଆରେ କେବଳ ଠକିବାକୁ ଚାହୁଁଛନ୍ତି। ଯଦି ରାଜ୍ୟ ସରକାରଙ୍କ ପଛୁଆବର୍ଗଙ୍କ ପ୍ରତି ଏତେ ଦରଦ ରହିଛି ତାହାଲେ ଏସ୍‌ସିଏସ୍‌ଟି ଅର୍ଥ ନିଗମକୁ ୫ହଜାର କୋଟି ଟଙ୍କାର ଆର୍ଥ ବ୍ୟୟବରାଦ କରନ୍ତୁ। ଯାହାଫଳରେ ଉଦ୍ୟୋଗୀ ହେବାକୁ ଚାହୁଁଥିବା ଉଚ୍ଚଶିକ୍ଷିତ ଯୁବକ-ଯୁବତୀ ଏଠାରୁ ଋଣ ନେଇପାରିବେ। ସ୍ବତନ୍ତ୍ର ନିଯୁକ୍ତି କାର୍ଯ୍ୟକ୍ରମ ଜରିଆରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଉ।

ସମ୍ବନ୍ଧିତ ଖବର