ଫୁଲବାଣୀ : ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଓଡ଼ିଶାରେ ‘ପେସା’ ଆଇନ ଲାଗୁ ହୋଇପାରୁନି। ଫଳରେ, ରାଜ୍ୟରେ ବସବାସ କରୁଥିବା ଜନଜାତି ଗୋଷ୍ଠୀ ଉପେକ୍ଷିତ ହେଉଛନ୍ତି। ଆଦିବାସୀଙ୍କ ପ୍ରତି ଏଭଳି ଚରମ ପ୍ରତାରଣାର ଜବାବ ଆସନ୍ତା ସାଧାରଣ ନିର୍ବାଚନରେ ମିଳିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ଆଜି ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ‘ପେସା’ ଆଇନ ସମ୍ପର୍କରେ ଉଲ୍ଲେଖକରି ସେ କହିଥିଲେ, ଏହି ଆଇନ ଲାଗୁ ହେଲେ ରାଜ୍ୟର ଅନୁସୂଚିତ ଅଞ୍ଚଳରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ହୋଇଯିବ। ଏଣୁ ରାଜ୍ୟ ସରକାର ଜାଣିଶୁଣି ‘ପେସା’ ଆଇନ ଲାଗୁ କରୁନାହାନ୍ତି।
ଏଥିସହିତ, କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ବଖାଣିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ କହିଥିଲେ, ମୋଦୀ ସରକାର ଯେମିତି କରୋନା ମୁକାବିଲା କଲେ ତାହା ବିଶ୍ବସ୍ତରରେ ପ୍ରଶଂସିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଦ୍ରବ୍ୟ ଯୋଗାଇ ଦିଆଯାଉଛି। ‘ସ୍ବଚ୍ଛ ଭାରତ ମିସନ’ କେନ୍ଦ୍ରର ଅନ୍ୟ ଏକ ସଫଳ ଉପଲବ୍ଧି। ସେହିପରି, ଗତ ୯ ବର୍ଷ ମଧ୍ୟରେ ଦେଶରେ ୫୩,୮୬୮ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇପାରିଛି। ତେବେ, ରାଜ୍ୟ ସରକାର ଜାଣିଶୁଣି ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅନସୂଚୀତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ ନିର୍ମଲ, କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ କନ୍ଧମାଳ ବିଜେପି ଲୋକସଭା ସଂଯୋଜକ ରମେଶ ଚନ୍ଦ୍ର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/kandhamal-ppp.jpg)