ଭୁବନେଶ୍ବର: ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଲାଗୁ ନ କରିବାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଛି। ଓଡ଼ିଶାକୁ ଆସୁଥିବା କେନ୍ଦ୍ର ମନ୍ତ୍ରୀମାନେ ନିୟମିତଭାବେ ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ଲାଗୁ କରିବା ଲାଗି ଦାବି କରୁଛନ୍ତି। ତେବେ ରାଜ୍ୟରେ କାହିଁକି ଏହି ଯୋଜନା ଲାଗୁ ହେଉନାହିଁ, ସେ ନେଇ ରାଜ୍ୟ ସରକାର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ‘ଆୟୁଷ୍ମାନ ଭାରତ’‌ ଯୋଜନାକୁ ନେଇ କେନ୍ଦ୍ର ସହିତ ଏକାଧିକ ବୈଠକ ହୋଇଛି। ଏହି ଯୋଜନାରେ ୬୮ଲକ୍ଷ ପରିବାରକୁ ସୁବିଧା ମିଳିବ।

Advertisment

ମାତ୍ର ରାଜ୍ୟ ସରକାରଙ୍କ ବି‌ଏସ୍‌କେୱାଇ(ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା)ରେ ୯୬ଲକ୍ଷ ପରିବାରକୁ ସ୍ବାସ୍ଥ୍ୟ ସୁବିଧା ମିଳିପାରୁଛି। ଆୟୁଷ୍ମାନ ଭାରତରେ ଥିବା ଚିକିତ୍ସା ୱାଲେଟ୍‌ରେ ୫ଲକ୍ଷ ରହିଛି। ଯାହାକି ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେବ। ହେଲେ ବିଏସ୍‌କେୱାଇରେ ସରକାରୀ ହସ୍ପିଟାଲରେ ହେଉଥିବା ଚିକିତ୍ସାକୁ ହିସାବକୁ ନିଆଯାଉନାହିଁ। ଏହାଛଡ଼ା ବିଏସ୍‌କେୱାଇରେ ଜଣେ ମହିଳା ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇପାରିବେ। ‘ଆୟୁଷ୍ମାନ ଭାରତ’ରେ ସମୁଦାୟ ୫ଲକ୍ଷ ଟଙ୍କା ରହିଛି। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ଭିତରେ ସହମତି ହୋଇପାରୁନାହିଁ। ଏଣୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଲାଗୁ କରାଯାଇ ନ ଥିବା ଶ୍ରୀମତୀ ପଣ୍ଡିତ କହିଛନ୍ତି।