ଭୁବନେଶ୍ବର : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ ହେଲେ ଓଡ଼ିଶାର ଯେ କୌଣସି ବ୍ୟକ୍ତି ଦେଶର ଯେ କୌଣସି ସ୍ଥାନରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବେ। ମାତ୍ର ଏହି ଯୋଜନା ଓଡ଼ିଶାରେ ତ୍ୱରାନ୍ୱିତ ହେଉନାହିଁ। ରାଜ୍ୟ ସରକାର ଏ ବିଷୟରେ ଚିନ୍ତା କରି ତୁରନ୍ତ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଅର୍ଗସ ଟିଭିର ‘ଓଡ଼ିଶା ସ୍ୱାସ୍ଥ୍ୟ ସଂଯୋଗ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।

Advertisment

ଶ୍ରୀମତୀ ପାୱାର କହିଥିଲେ ଯେ ଓଡ଼ିଶାରେ ୬ହଜାରରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଜରିଆରେ କେନ୍ଦ୍ର ସରକାର ରାଜ୍ୟକୁ ୧୩୪୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱାସ୍ଥ୍ୟ ଯାଞ୍ଚରେ ଉନ୍ନତି ଆଣିବା ତଥା ଭିତ୍ତିଭୂମି ବିକାଶ ପାଇଁ ଆଗୁଆ ପ୍ରଯୁକ୍ତି ଉପଯୋଗ ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ଜନସାଧାରଣଙ୍କ ଅଧିକ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତ୍ୱରାନ୍ୱିତ କରିବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ଅପରପକ୍ଷରେ ଶ୍ରୀମତୀ ପାୱାର ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ସଂସ୍ଥାନ(ଆରଏମଆରସି)ର କାର୍ଯ୍ୟ ସମୀକ୍ଷା କରିଥିଲେ। କୋଭିଡ ମହାମାରୀ ସମୟରେ ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହା ପୂର୍ବରୁ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।