ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି: ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାର ବନ୍ୟା ଜଳ ପରିଚାଳନା ପାଇଁ କୌଣସି ଠୋସ୍‌ ପଦକ୍ଷେପ ନେଉ ନଥିବାରୁ ଏବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ। ରାଜ୍ୟରେ ଜଳ ନୀତି ଥାଇ ମଧ୍ୟ ନିୟମିତ କାର୍ଯ୍ୟକାରୀ କରାଯାଉନି। ପ୍ରତିବର୍ଷ ଜଳ ପରିଚାଳନା, ଜଳ ନିଷ୍କାସନ ଓ ନଦୀ ବନ୍ଧ ସୁରକ୍ଷା ପ୍ରସଙ୍ଗରେ ସମୀକ୍ଷା ତଥା ଆକଳନ ହେବାର ନିୟମ ଥିବାବେଳେ ରାଜ୍ୟ ସରକାର ଗତ ୩ବର୍ଷ ଧରି ସେତିପ୍ରତି ଧ୍ୟାନ ନଦେଇ ଚିରନିଦ୍ରାରେ ଶୋଇପଡ଼ିଛନ୍ତି। ଯେଉଁଥିପାଇଁ ନଦୀ ବନ୍ଧରେ ମୂଷାଗାତ ସୃଷ୍ଟିହୋଇ ଘାଇରେ ପରିଣତ ହୋଇଛି। ରାଜ୍ୟ ସରକାର ବର୍ଷାଦିନ ପୂର୍ବରୁ ଦୁର୍ବଳ ବନ୍ଧର ସମୀକ୍ଷା କରିଥିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ବୁଧବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ଜଳବାୟୁ ପରିବର୍ତନ, ଗୋବ୍ଲାଲ ୱାର୍ମିଂ, ଅଦିନିଆ ବନ୍ୟା ବାତ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରତି ୧୦ବର୍ଷରେ ‘କର୍ଭ କୋର୍ଡ’ର ସଂଶୋଧନ ହେବା କଥା। ହୀରାକୁଦ ବନ୍ଧର ଜଳ ପରିଚାଳନା ପାଇଁ ୧୯୬୨ ମସିହାରେ ଏକ ‘କର୍ଭ କୋଡ୍‌’ ପ୍ରସ୍ତୁତ କରାଯାଇଥିଲା। ଯାହାକୁ ପରବର୍ତୀ ସମୟରେ ୧୯୮୪ମସିହାରେ ସଂଶୋଧନ କରାଯାଇଥିଲା। ଏହା ଭିତରେ ୩୮ବର୍ଷ ବିତିଗଲାଣି। ଅଥଚ ‘କର୍ଭ କୋଡ୍‌’ର ସଂଶୋଧନ କରଯାଇନାହିଁ।

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟର ପ୍ରାୟ ୩୦୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ‌େହାଇଥିବାବେଳେ ୧୩୬୫ରୁ ଅଧିକ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଲୋକମାନେ ନିଜ ଉଦ୍ୟମରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ରାଜ୍ୟ ସରକାର କେବଳ ପ୍ରଚାର ଏବଂ ନୋଟିସ୍‌ ଜାରି କରିବାରେ ବ୍ୟସ୍ତ।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର