ରାଜ୍ୟ ସରକାରଙ୍କ ସର୍ଭେ ଶୈଳୀ ପଛୁଆବର୍ଗଙ୍କ ପ୍ରତି ଉପହାସ: ବିଜେପି

ଭୁବନେଶ୍ୱର : ଦୀର୍ଘ ୨ ବର୍ଷ ବିଳମ୍ବରେ ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଉ ଏକ ଉପହାସ। ପଛୁଆ ବର୍ଗ ଲୋକଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ପଛୁଆ ବର୍ଗ ସର୍ଭେ କାର୍ଯ୍ୟ କାଳିଆ, ଆବାସ ଭଳି କୌଣସି ଯୋଜନା ନୁହେଁ। ହେଲେ ରାଜ୍ୟ ସରକାର ଅଫଲାଇନ ଓ ଅନଲାଇନ ଜରିଆରେ ଆବେଦନ କରିବାକୁ ବିଜ୍ଞାପନ ଜାରି କରିଛନ୍ତି। ରାଜ୍ୟରେ ପ୍ରାୟ ୨.୫ କୋଟି ପଛୁଆ ବର୍ଗର ଲୋକ ଥିବାବେଳେ ସର୍ଭେ ପ୍ରକ୍ରିୟାକୁ ଜାଣିଶୁଣି ଜଟିଳ କରାଯାଇଛି। ଏହାଦ୍ୱାରା ଅନେକ ପ୍ରକାରର ବିବାଦ ସୃଷ୍ଟି ହେବ ଏବଂ ଅଯଥାରେ ପ୍ରକ୍ରିୟା ବିଳମ୍ବିତ ହେବ। ଏମିତିରେ ଏହି ସର୍ଭେ କାର୍ଯ୍ୟ କେବେ ଶେଷ ହେବ ସେନେଇ ଆଶଙ୍କା ଦେଖାଦେଇଥିବାବେଳେ ଅନେକ ହିତାଧିକାରୀ ମଧ୍ୟ ବଞ୍ଚିତ ହେବେ। ରାଜ୍ୟ ସରକାରଙ୍କ ବିଜ୍ଞାପନରୁ ଜଣାପଡ଼ୁଛି ସର୍ଭେକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରିବାକୁ ଚକ୍ରାନ୍ତ କରାଯାଉଛି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଘରକୁ ଘର ବୁଲି ସର୍ଭେ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ମେସିନାରି ଥିବାବେଳେ କାହିଁକି ପଛଘୁଞ୍ଚା ଦେଉଛନ୍ତି? ଅପରପକ୍ଷେ ଦେଶର ସମସ୍ତ ରାଜ୍ୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେଉଥିବାବେଳେ ଓଡ଼ିଶାରେ କାହିଁକି ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ? ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଥିବାବେଳେ ନାମଲେଖାରେ ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଦରକାର। କେନ୍ଦ୍ର ସରକାର ମେଡିକାଲ, ଡେଣ୍ଟାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଓବିସି ବର୍ଗଙ୍କୁ ୨୭%ସଂରକ୍ଷଣ ଦେଉଥିବା ବେଳେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଜେଡି ସରକାର ଜାଣିଶୁଣି ଯୋଜନାବଦ୍ଧ ଭାବେ ପଛୁଆ ବର୍ଗ ସଂରକ୍ଷଣକୁ କାର୍ଯ୍ୟକାରୀ କରୁନାହାନ୍ତି। ରାଜ୍ୟ ସରକାରଙ୍କ ଏଭଳି ପଛୁଆ ବର୍ଗ ବିରୋଧୀ ନିଷ୍ପତି ପଛରେ ଆଉ କିଛି ଷଡଯନ୍ତ୍ର ରହିଛି କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ରାଜ୍ୟ ସଂଯୋଜକ ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର