ରାଜ୍ୟରେ ୩ ବର୍ଷରେ ମରିଛନ୍ତି ୨୮୨ ହାତୀ, ୧୭ ବାଘ
ଓଡ଼ିଶାରେ ବାଘ, ହାତୀ ସଂଖ୍ୟା କମିବା କଥା ସତ ନୁହେଁ: ଜଙ୍ଗଲ ମନ୍ତ୍ରୀ
ଭୁବନେଶ୍ବର: ତିନି ବର୍ଷ ମଧ୍ୟରେ ରାଜ୍ୟରେ ୨୮୨ ହାତୀଙ୍କର ମୃତ୍ୟୁ ହୋଇଛି। ୧୭ଟି ବାଘ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଦେଶର ଅନ୍ୟ ରାଜ୍ୟରେ ହାତୀ ଓ ବାଘ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ତାହା ହ୍ରାସ ପାଉଥିବା କଥା ସତ ନୁହେଁ। ହାତୀ ଓ ବାଘମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।
ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ୨୦୧୮ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୮୨ଟି ହାତୀଙ୍କର ମୃତ୍ୟୁ ହୋଇଛି। ୨୦୧୮ରେ ୯୩ଟି, ୨୦୧୯ରେ ୮୨ଟି, ୨୦୨୦ରେ ୭୭ ଓ ୨୦୨୧ ଅଗଷ୍ଟ ସୁଦ୍ଧା ୩୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ୭ଟି ହାତୀ ଶିକାରୀଙ୍କ ହାତରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଆଘାତରେ ୪୩, ରେଳ ଦୁର୍ଘଟଣାରେ ୧୩, ରାସ୍ତା ଦୁର୍ଘଟଣାରେ ୪, ବିଭିନ୍ନ ରୋଗରେ ପୀଡ଼ିତ ହୋଇ ୧୦୧, ପ୍ରାକୃତିକ ଜନିତ କାରଣରୁ ୩୪ଟି ହାତୀର ମୃତ୍ୟୁ ଘଟିଛି। ଏହାଛଡ଼ା ପାହାଡ଼ରୁ ଖସି ପଡ଼ି, ନଦୀ ଓ ନାଳରେ ବୁଡ଼ି ହୋଇ, ନିଜ ମଧ୍ୟରେ କଳହ ଆଦି କାରଣରୁ ୫୯ଟି ହାତୀଙ୍କ ଜୀବନ ଯାଇଛି। ୩ ବର୍ଷ ମଧ୍ୟରେ ପ୍ରାଣ ହରାଇଥିବା ବାକି ୨୧ଟି ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତେବେ ୨୦୧୨ଠାରୁ ରାଜ୍ୟରେ ହାତୀଙ୍କ ସଂଖ୍ୟା ବଢ଼ୁଛି। ୨୦୧୨ ଗଣନା ବେଳେ ୧୯୩୦ ହାତୀ ଥିବା ବେଳେ ୨୦୧୫ରେ ୧୯୫୪, ୨୦୧୭ରେ ୧୯୭୬ଟି ହାତୀ ଓଡ଼ିଶାରେ ଥିବା ଜଣାପଡ଼ିଛି।
ସେହିପରି ଜଂଗଲ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୮ରୁ ଏପର୍ଯ୍ୟନ୍ତ ୧୭ଟି ବାଘ ପ୍ରାଣ ହରାଇଛନ୍ତି। ୨୦୧୮-୧୯ରେ ୮ଟି ବାଘ ମରିଥିବା ବେଳେ ୨୦୧୯-୨୦ରେ ୩ଟି ଓ ୨୦୨୦-୨୧ରେ ୬ଟି ବାଘଙ୍କର ମୃତ୍ୟୁ ହୋଇଛି; ଯେଉଁଥିରେ ୧୫ଟି କଳରାପତରିଆ ବାଘ ରହିଥିବା ବେଳେ ଦୁଇଟି ମହାବଳ ରହିଛନ୍ତି। ୨୦୧୮-୧୯ରେ ଗୋଟିଏ ମହାବଳ ବାଘ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ଅନ୍ୟଟି ରୋଗରେ ପଡ଼ି ପ୍ରାଣ ହରାଇଛି। ୫ଟି କଲରାପତରିଆ ବାଘ ଶିକାରୀଙ୍କ ଦ୍ବାରା ମରିଥିବା ବେଳେ ରେଳ ଦୁର୍ଘଟଣାରେ ଗୋଟିଏ, ପ୍ରାକୃତିକ ଭାବେ ଦୁଇଟି ଓ ଅନ୍ୟାନ୍ୟ ରୋଗରେ ୪ଟି କଲରାପତରିଆଙ୍କର ଜୀବନ ଯାଇଛି। ୩ଟି କଲରାପତରିଆ ବାଘଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଆଶ୍ବସ୍ତିର ବିଷୟ ହେଉଛି ଯେ ୨୦୨୧-୨୨ରେ ଏବେ ସୁଦ୍ଧା ଗୋଟିଏ ବି ବାଘଙ୍କର ମୃତ୍ୟୁ ହୋଇ ନାହିଁ। ଏମିତିକି ୩ ବର୍ଷ ମଧ୍ୟରେ ରାସ୍ତା ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ ଦୁର୍ଘଟଣାରେ ଆଦୌ ବାଘ ପ୍ରାଣ ହରାଇନାହାନ୍ତି। ଆନ୍ଥ୍ରାକ୍ସ କିମ୍ବା ହରପିସ୍ ରୋଗ ଦ୍ବାରା ବାଘ ଆକ୍ରାନ୍ତ ହୋଇ କୌଣସି ବାଘର ମୃତ୍ୟୁ ଘଟିନାହିଁ।