ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସେବା ସଂଘ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପ୍ରସଙ୍ଗରେ ମଙ୍ଗଳବାର ବିଜେପି ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି। ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ସହ ସର୍ଭିସ ରୁଲ୍କୁ ଅମାନ୍ୟ କରି ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିଥିବା ଉଭୟ ଭାରତୀୟ ଓ ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଛି।
ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ଉଭୟ ଭାରତୀୟ ଏବଂ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସମର୍ଥନରେ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଶେଷ ଭାବେ କୌଣସି ନିର୍ବାଚନରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରି ତାଙ୍କ ପାଇଁ ଭୋଟ ହାତେଇବାର ପ୍ରଚେଷ୍ଟା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ମାତ୍ର ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ବିଜେଡି ପ୍ରତି ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ଆନୁଗତ୍ୟ ପ୍ରଦର୍ଶନ ସମସ୍ତ ସୀମା ଅତିକ୍ରମ କରିଯାଇଛି । ଯାହା ଫଳରେ ଆଜି ରାଜ୍ୟରେ ସାମ୍ବିଧାନିକ ସଂକଟ ଦେଖାଦେଇଛି। ଏହି ପ୍ରତିନିଧି ଦଳରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ଓ ଅଶୋକ ତ୍ରିପାଠୀଙ୍କ ସମେତ ଅନିତା ଶୁଭଦର୍ଶିନୀ, ଗୋଲକ ମହାପାତ୍ର, ଅଭିମନ୍ୟୁ ସେଠୀ, ରମାରଞ୍ଜନ ବଳିୟାରସିଂହ, ଠାକୁର ରଣଜିତ ଦାସ, ଦିଲୀପ ମଲ୍ଲିକ, ସୁରଥ ବିଶ୍ୱାଳ, ଭୁବନ ମୋହନ ଜେନା, ଶ୍ରୀତମ ଦାଶ, ସୁଜିତ କୁମାର ଦାସ, ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।