ଉତ୍ତରମୁଖୀ ପୀଠରେ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଘାଟିତ

ବାଲିଅନ୍ତା: ଶ୍ରୀ ଜଗନ୍ନାଥ କଳାକାର ମହାସଂଘ ପକ୍ଷରୁ ସ୍ଥାନୀୟ ବାଲିଅନ୍ତା ପଞ୍ଚାୟତ ଅଧୀନ ଭୁବନପୁର ଗ୍ରାମ ଦେବତୀ ମା’ ଉତ୍ତରମୁଖୀ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଦିନ ତମାମ ରାଜ୍ୟର ବିଭିନ୍ନ ପାଲା ଅନୁଷ୍ଠାନ ପକ୍ଷରୁ ପାଲା ପରିବେଷଣ କରାଯାଇଥିଲା। ସଂଧ୍ୟାରେ ଗୁହାଳି ସ୍ଥିତ ଓଡ଼ିଶୀ କଳା ଅନୁଷ୍ଠାନ ପକ୍ଷରୁ ଗୁରୁ ସଙ୍ଗୀତା ଛୋଟରାୟଙ୍କ ଦଳ ପକ୍ଷରୁ ଦଳଗତ ଓଡ଼ିଶୀ ଏବଂ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

ଏନେଇ ଆୟୋଜିତ ସାରସ୍ବତ ସଭାରେ ସଂଘର ଉପଦେଷ୍ଟା ତଥା ଗାୟକ ବାଗ୍ମୀ କୈଳାଶ ନାରାୟଣ ମହାରଣା ସଭାପତିତ୍ବ କରିଥିଲେ। ରାଜ୍ୟ ପାଲାକାର ସଂଘର ସଭାପତି ନିରଞ୍ଜନ ସ୍ବାଇଁ , ସଂପାଦକ ଦୁଷ୍ମତ କୁମାର ବେହେରା, ସମାଜସେବୀ ବିଜୟ କୁମାର ନାୟକ , ଇଂଜିନିୟର ସନ୍ୟାସୀ, ଶିବ ମଲ୍ଲିକ, ସିଦ୍ଧେଶ୍ବର ନାଥ ଏବଂ ଗ୍ରାମ ମୁରବୀ ଲକ୍ଷ୍ମୀଧର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ସଡ଼ିଶାର ଲୋକକଳା ପାଲା ସଂସ୍କୃତିକୁ ସବୁଦିନ ପାଇଁ ଉଜ୍ଜୀବିତ କରି ରଖିବା ପାଇଁ ଯୁବ ଗାୟକମାନଙ୍କ ସହଯୋଗ କାମନା କରିଥିଲେ। ଶେଷରେ ସମାଜସେବୀ ଶ୍ରୀ ନାୟକଙ୍କ ସମେତ ଜୟଦେବ ପ୍ରେସ ୟୁନିୟନର ସମସ୍ତ ସାମ୍ବାଦିକମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଗାୟକ ଚୂଡ଼ାମଣି ସୁରେନ୍ଦ୍ର ନାଥ ଛୋଟରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର