ତୈଳରୁ ରାଜ୍ୟର ୫୬୬ କୋଟି ଟିକସ ଆୟ, ମଦରୁ ମିଳିଲା ୧୬୧ କୋଟି

ଭୁବନେଶ୍ବର: ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ବୃଦ୍ଧି କେବଳ କେନ୍ଦ୍ର ସରକାର ନୁ‌ହେଁ ବରଂ ରାଜ୍ୟ ସରକାରଙ୍କ ରାଜକୋଷ ଭର୍ତ୍ତି କରିବାରେ ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଚଳିତ ବର୍ଷ ଅକ୍ଟୋବରରେ ପେଟ୍ରୋଲିୟମ୍ ସାମଗ୍ରୀରୁ ରାଜ୍ୟ ସରକାର ୫୬୬.୬୧ କୋଟି ଟଙ୍କାର ଭାଟ୍‌ ସଂଗ୍ରହ କରିଛନ୍ତି। ଗତବର୍ଷ ଏହି ମାସରେ ହୋଇଥିବା ୫୧୫.୯୬ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୯.୮୨ ପ୍ରତିଶତ ଅଧିକ। ସେହିପରି, ମଦରୁ ସରକାର ୧୬୧.୭୧ କୋଟି ଟଙ୍କାର ଭାଟ୍ ସଂଗ୍ରହ କରିଛନ୍ତି। ମୋଟ ଉପରେ ପେଟ୍ରୋଲିୟମ୍ ସାମଗ୍ରୀ ଓ ମଦରୁ ଅକ୍ଟୋବର ମାସରେ ୭୨୮.୩୨ କୋଟି ଟଙ୍କାର ଭାଟ୍‌ ସଂଗ୍ରହ ହୋଇଛି।

୨୦୨୦ ଅକ୍ଟୋବରରେ ସମୁଦାୟ ୬୯୬.୪୩ କୋଟି ଟଙ୍କାର ଭାଟ୍ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ‌ଅକ୍ଟୋବରରେ ରାଜ୍ୟରେ ୩୫୯୩.୩୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ୨୦୨୦ର ଅକ୍ଟୋବରରେ ହୋଇଥିବା ୨୪୨୮.୨୭ କୋଟି ଟଙ୍କା ତୁଳନାରେ ଏହା ୪୯% ଅଧିକ। ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ କ୍ରମାଗତ ଦ୍ବିତୀୟ ମାସ ଲାଗି ଓଡ଼ିଶା ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି। ୨୦୨୧ ଅକ୍ଟୋବର ମାସରେ ୧୦୫୩.୪୮ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୯୦୭.୨୯ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୧୦୦୫.୫୦ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୬୨୭.୦୭ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର