‘ରାଜ୍ୟ ୫୦%ରୁ ଅଧିକ ସଂରକ୍ଷଣ ସପକ୍ଷରେ ରହୁ’ ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର : ଗତକାଲି ମରାଠା ସଂରକ୍ଷଣ ପିଟିସନ ଉପରେ ବିଚାର କରି ସୁପ୍ରିମକୋର୍ଟଙ୍କ ଏକ ୫ ଜଣିଅା ଖଣ୍ଡପୀଠ ଅାସନ୍ତା ୧୫ ତାରିଖ ସୁଦ୍ଧା ୧୯୯୨ ମସିହାର ‘ଇନ୍ଦିରା ସୁହାନୀ ମୋକଦ୍ଦମା’ ଓରଫ୍ ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତା ନେଇ ନିଜର ମତାମତ ଦେବାପାଇଁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି। ତେବେ, ରାଜ୍ୟ ସରକାର ୫୦%ରୁ ଅଧିକ ସଂରକ୍ଷଣ ସପକ୍ଷରେ ନିଜର ମତାମତ ରଖିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି।

ଦଳ ପକ୍ଷରୁ କୁହାଯାଇଛି ଯେ, ୧୯୯୦ ମସିହାରେ ମଣ୍ଡଳ କମିଶନ କାର୍ଯ୍ୟକାରୀ ହେଲାପରେ ୧୯୯୨ ମସିହାରେ ଇନ୍ଦିରା ସୋହାନୀ ମୋକଦ୍ଦମାକୁ ବିଚାରକୁ ନେଇ ସୁପ୍ରିମକୋର୍ଟଙ୍କ ଏକ ୯ଜଣିଅା ଖଣ୍ଡପୀଠ ଏହାକୁ ସାମ୍ବିଧାନିକ ଭାବରେ ସଠିକ୍ କହିବା ସହିତ ବିଶେଷ ପରିସ୍ଥତିରେ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ କରିପାରିବେ ବୋଲି ମତାମତ ଦେଇଥିଲେ। ଏହାକୁ ଅାଧାର କରି ତାମିଲନାଡୁ, ଅାନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଓ ହରିୟାଣା ଭଳି ଦେଶର ୭ଟି ରାଜ୍ୟ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ଏହା ମଧ୍ୟ ଯୁକ୍ତିଯୁକ୍ତ।

ରାଜ୍ୟରେ ପଛୁଅାବର୍ଗର ଜନସଂଖ୍ୟା ୫୪ ପ୍ରତିଶତ ଏବଂ ଅାଦିବାସୀ ଓ ପଛୁଅାବର୍ଗ ଜନସଂଖ୍ୟାକୁ ବିଚାରକୁ ନେଲେ ସମୁଦାୟ ୯୦ ଭାଗରୁ ଅଧିକ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ସୁପ୍ରିମକୋର୍ଟରେ ନିଜ ମତ ରଖିବା ପାଇଁ ଦଳର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି। ଏ ନେଇ ଶ୍ରୀ ବେହେରା ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର