ସମ୍ବଲପୁର/ହୀରାକୁଦ/ଅତାବିରା : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଆସିଥିବା ଟିମ୍ ଆଜି ବିଭିନ୍ନ କେନାଲ ସହିତ ହୀରାକୁଦ ସେଚାଞ୍ଚଳ ପରିଦର୍ଶନ କରିଛି। ଛତିଶଗଡ଼ର ବ୍ୟାରେଜ ନିର୍ମାଣ ଯୋଗୁ ଓଡ଼ିଶାକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ଜଳସେଚନଠାରୁ ଆରମ୍ଭ କରି ଜଳବିଦ୍ୟୁତ୍ ଉତ୍ପାଦନ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି। ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ବି ପ୍ରଭାବିତ ହେଉଛି। ଆଜି ଟ୍ରିବ୍ୟୁନାଲ୍ ଟିମ୍ ସମ୍ମୁଖରେ ଏଭଳି କିଛି ତଥ୍ୟ ରଖିଛି ଓଡ଼ିଶା।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଟିମ୍ ସଦସ୍ୟମାନେ ଶନିବାର ବୁର୍ଲା ପାୱାରହାଉସ୍ ଦେଖିଥିବା ବେଳେ ରବିବାର ସକାଳେ ଚିପିଲିମା ପାୱାରହାଉସ୍ ନିରୀକ୍ଷଣ କରିଥିଲେ। ଚିପିଲିମା ପାୱାରହାଉସର ସମସ୍ତ ୩ଟି ଯାକ ୟୁନିଟ୍ ଅନୁଧ୍ୟାନ କରିଥିଲେ। ବୁର୍ଲା ପାୱାରହାଉସରୁ ପାୱାର ଚାନେଲ୍ ଦେଇ ପ୍ରବାହିତ ହୋଇ ଚିପିଲିମା ପାୱାରହାଉସ ବ୍ୟବହୃତ ହେବାପରେ ମହାନଦୀକୁ ଛଡ଼ା ଯାଇଥାଏ। ହୀରାକୁଦ ଜଳଭଣ୍ଡାରକୁ କମ୍ ଜଳପ୍ରବେଶ ଯୋଗୁ ଉଭୟ ବୁର୍ଲା ଓ ଚିପିଲିମା ପାୱାରହାଉସ୍ର ପୂର୍ଣ୍ଣ କ୍ଷମତା ଅନୁଯାୟୀ ଜଳବିଦ୍ୟୁତ ଉତ୍ପାଦନ ହୋଇପାରୁ ନାହିଁ। କେବଳ ସେତିକି ନୁହେଁ, ମହାନଦୀର ତଳମୁଣ୍ଡକୁ ପର୍ଯ୍ୟାପ୍ତ ପାଣି ପ୍ରବାହିତ ହୋଇପାରୁ ନଥିବାରୁ ଓଡ଼ିଶାବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବା ନେଇ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲ୍ ଟିମ୍କୁ ଅବଗତ କରାଯାଇଥିଲା।
ଏହାପରେ ଟିମ୍ ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଭୋଇପୁରା ହୋଇ ପାହାଡ଼ଶ୍ରୀଗିଡ଼ାଠାରେ ବରଗଡ଼ ମୁଖ୍ୟ କେନାଲରେ ପହଞ୍ଚି ଥିଲେ। ବରଗଡ଼ ମୁଖ୍ୟ କେନାଲ ରାସ୍ତାରେ ଅତାବିରା କେନାଲର ଉତ୍ପତ୍ତିସ୍ଥଳ ଟାଙ୍ଗରପାଲି ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଥିଲେ। ଅତାବିରା କେନାଲ ଦେଇ ରେଙ୍ଗାଲି କ୍ୟାମ୍ପ ପର୍ଯ୍ୟନ୍ତ ଆସିଥିଲେ। କେନାଲର ଉଭୟ ପାର୍ଶ୍ବ ତଥା ରାଜପଥ ପାର୍ଶ୍ବରେ ଥିବା ବ୍ୟାପକ କୃଷିକ୍ଷେତ୍ର ଦେଖିବା ସହିତ ଅପରାହ୍ନରେ ପୁଣି ହୀରାକୁଦ ଜଳଭଣ୍ଡାରର ନିର୍ମାଣାଧୀନ ଅତିରିକ୍ତ ସ୍ପିଲ୍ୱେ ନିରୀକ୍ଷଣ କରିଥିଲେ। ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ମୁହାଣଠାରେ ଟିମ୍ ସଦସ୍ୟ ବେଶ୍ କିଛି ସମୟ ଅଟକିଥିଲେ। ଏଠାରୁ ହିଣ୍ଡାଲକୋ କେତେ ପାଣି ଟାଣୁଛି, ହୀରାକୁଦ କେନାଲ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରୁ ଚାଷଜମିକୁ କେତେ ପାଣି ଛଡ଼ାଯାଉଛି, ସେନେଇ ଟିକିନିଖି ପଚାରିଥିଲେ। କାରଖାନାକୁ ଆଗରୁ କେତେ ପାଣି ଯାଉଥିଲା ଏବଂ ଏବେ କେତେ ପାଣି ଦିଆଯାଉଛି, ସେ ସଂପର୍କରେ ମଧ୍ୟ ଟିମ୍ ପକ୍ଷରୁ ପଚରାଯାଉଥିବା ଦେଖିବାକୁ ମିଳିଥିଲା।
ମୋଟାମୋଟି ଭାବେ ଦେଖିବାକୁ ଗଲେ ଟିବ୍ୟୁନାଲ ଟିମ୍ ସଦସ୍ୟ କ୍ଷେତ୍ର ପରିଦର୍ଶନର ଦ୍ବିତୀୟ ଦିନରେ ଜଳସେଚନ, ବିଦ୍ୟୁତ ଉତ୍ପାଦନଠାରୁ ଆରମ୍ଭ କରି ମହନଦୀ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବାରୁ ଓଡ଼ିଶାକୁ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଥିବା ନେଇ ଅବଗତ କରାଯାଇଥିଲା। ତଥାପି, ସ୍ଥିତିକୁ ଦୃଷ୍ଟିରେ ରଖି ଅତି ସତର୍କତା ସହିତ ଓଡ଼ିଶା ହୀରାକୁଦ ଜଳ ପରିଚାଳନା କରୁଥିବା ସୂଚନା ଦିଆଯାଇଥିଲା। ଅପର ମହାନଦୀ ବେସିନ୍ର ବେସିନ ମ୍ୟାନେଜର ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟତଃ ଟିମ୍ର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଆଜି ଟିମ୍ ସହିତ ଉନ୍ନୟନ କମିସନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।