ଭୁବନେଶ୍ବର: ରାଜ୍ୟ ସରକାର ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଚିନ୍ତାଜନକ ସ୍ଥିତିରେ ରହିଛି। ବିଶେଷକରି ଶିଶୁ ନିଖୋଜ, ନାବାଳିକା ଅପହରଣ, ଦୁଷ୍କର୍ମ, ମହିଳାଙ୍କୁ ଅସଦାଚରଣ, ଦୁଷ୍କର୍ମ, ଯୌତୁକଜନିତ ମୃତ୍ୟୁ ଓ ହତ୍ୟା ଭଳି ମାମଲା ସ୍ଥିତି ଉଦ୍‌ବେଗଜନକ। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଏଭଳି ଅପରାଧକୁ କମାଇବା ସହିତ ଦୁଷ୍କର୍ମ, ଯୌନ ନିର୍ଯାତନା, ଏସିଡ୍ ଆକ୍ରମଣ, ମହିଳା ଓ ଶିଶୁ ଚାଲାଣ, ଅପହରଣ, ଯୌତୁକ ନିର୍ଯାତନା, ନିଖୋଜ ଶିଶୁଙ୍କୁ ଠାବ କରିବା, ରାଜ୍ୟର ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଗୋଟିଏ ସ୍ବତନ୍ତ୍ର ଶାଖା ଖୋଲିଥିଲେ। କ୍ରାଇମ୍‌ବ୍ରାଞ୍ଚ ଅଧୀନରେ ରାଜ୍ୟ ଫୋରେନ୍‌ସିକ୍ ଲାବରେଟୋରିରେ ଏହା କାର୍ଯ୍ୟ କରୁଥିଲା। ସରକାର ଆଇଜି ପାହ୍ୟାର ଜଣେ ଅଧିକାରୀଙ୍କୁ ଏହି ଶାଖାର ମୁଖିଆ ଭାବେ ନିଯୁକ୍ତି ଦେଇଥିଲେ। ୧୯୯୭ ବ୍ୟାଚର ଆଇପିଏସ୍ ଅଫିସର ରେଖା ଲୋହାନୀଙ୍କୁ ପ୍ରଥମେ ଏହି ଶାଖାର ମୁଖିଆ ଭାବେ ଅବସ୍ଥାପିତ କରାଯାଇଥିଲା। ହେଲେ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ(ବିପିଆରଡି)ରେ ନିଯୁକ୍ତ ହେବା ପରେ ଏହି ପଦବି ଫାଙ୍କା ପଡ଼ିଲା। ଏହା ପରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ୨୦୦୨ ବ୍ୟାଚର ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ଏହି ଶାଖା ଦାୟିତ୍ବରେ ରହିଥିଲେ। ଗତ ଜୁଲାଇରେ ସେ ମଧ୍ୟ କେନ୍ଦ୍ରୀୟ ଡେପୁଟେସନକୁ ଯାଇ ସିଆରପିଏଫ୍ ଆଇଜି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପରଠାରୁ ଏହି ସଂସ୍ଥାର ଗୁରୁତ୍ବ ଯେମିତି ହଠାତ୍ କମିଗଲା। ନିୟମିତ ଆଇଜିଙ୍କ ବଦଳରେ ଏହି ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ଭାଗ୍ୟ ଜଣେ ଅତିରିକ୍ତ ଏସ୍‌ପିଙ୍କ ହାତରେ ଟେକି ଦିଆଯାଇଛି।

Advertisment

ପରିଣାମ ହେଲା, ଡିଏସ୍‌ପି, ଇନ୍ସପେକ୍ଟର, ଏସ୍ଆଇ ଓ ଏଏସ୍ଆଇ ପାହ୍ୟାର ୩୦ରୁ ଅଧିକ ଅଧଇକାରୀ ନିୟୋଜିତ ଥିଲେ ମଧ୍ୟ ସେଭଳି ଆଖିଦୃଶିଆ କାର୍ଯ୍ୟ ହୋଇପାରୁ ନାହିଁ। ଯାହା ଫଳରେ ସ୍ବତନ୍ତ୍ର ଶାଖାର କାର୍ଯ୍ୟକାରିତା ଓ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଲାଣି। ଆହୁରି ସାଂଘାତିକ କଥାଟି ହେଲା, ବିଭିନ୍ନ ପୁଲିସ ଜିଲ୍ଲାରେ ମଧ୍ୟ ସ୍ବତନ୍ତ୍ର ଶାଖା ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନାହାନ୍ତି। ସ୍ବତନ୍ତ୍ର ଶାଖାର ସମୀକ୍ଷା ହେଉନାହିଁ କି ସରକାରୀସ୍ତରରେ ଏହି ସଂସ୍ଥାର କାର୍ଯ୍ୟ ନେଇ କେହି ତତ୍ପରତା ଦେଖାଉନାହାନ୍ତି।
ଅନ୍ୟପକ୍ଷରେ ଯେଉଁ କିଛି ପ୍ରଶ୍ନ ଏବେ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି, ତାହା ହେଲା- ଯାଜପୁର ଜିଲ୍ଲା ମଧୁସୂଦନପୁର ଅଞ୍ଚଳର ଶିଶୁକନ୍ୟା ପିହୁ ଏବେ କେଉଁଠି? ତିନି ବର୍ଷ ହେଲା ପିହୁର ପରିବାର ଯାଜପୁରରୁ ଭୁବନେଶ୍ବର ସମସ୍ତଙ୍କୁ ଗୁହାରି କରି ଥକିଯିବା ପରେ ଏବେ ଭାଗ୍ୟକୁ ଭରସି ରହିଛନ୍ତି। ପରିବାର ଲୋକଙ୍କ ଆଖିର ଲୁହ ଆଖିରେ ମରୁଛି। ପିହୁ ଅପହରଣକାରୀକୁ ଧରିବା ଲାଗି ପୁଲିସ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ସେଇଠି ଅଟକିଯାଇଛି ପିହୁକୁ ନେଇ ସରକାରୀ ତନାଘନା। କେବଳ ପିହୁ ନୁହେଁ, ରାଜ୍ୟର ନିଖୋଜ ଶତାଧିକ ଶିଶୁଙ୍କ ପରିବାର ଏବେ ଏଭଳି ସମୟ ଦେଇ ଗତି କରୁଛନ୍ତି। ଅନ୍ୟପକ୍ଷରେ ସାଇବର ଅପରାଧୀଙ୍କ ନଜରରେ ବି ଏବେ କଅଁଳ ଶିଶୁ। ଅନୂରୂପ ଭାବେ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଅପରାଧ ଉପରମୁହାଁ ହୋଇ ରହିଛି। ଏସବୁ ଘଟଣା ପୁଲିସକୁ ଯେତିକି ଅଡ଼ୁଆରେ ପକାଉଛି, ସରକାର ମଧ୍ୟ ସେତିକି ବଦନାମ୍ ହେଉଛନ୍ତି। ବିଧାନସଭାରେ ବାରମ୍ବାର ଅପଦସ୍ତ ହେବାକୁ ପଡ଼ୁଛି। କାହିଁକି ଓ କାହା ସ୍ବାର୍ଥରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ସଂସ୍ଥାକୁ ଅଣଦେଖା କରାଗଲା? ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରସଙ୍ଗଟି କାହିଁକି ପଛକୁ ଚାଲିଗଲା? ସେ ନେଇ କେହି ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହଁନ୍ତି।

ଉଲ୍ଲେଖଥାଉକି, ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆର୍‌ବି) ତଥ୍ୟ ଅନୁସାରେ, ୨୦୧୯ରେ ରାଜ୍ୟରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧ ମାମଲା ସଂଖ୍ୟା ଥିଲା ୨୩ ହଜାର ୧୮୩। ୨୦୨୦ରେ ଏହି ମାମଲା ସଂଖ୍ୟା ବୃଦ୍ଧି ପାଇ ୨୫ ହଜାର ୪୯୯ ଓ ୨୦୨୧ରେ ୩୧ ହଜାର ୩୫୨ ଛୁଇଁଥିଲା। ସେହିପରି ୨୦୧୯ରେ ଶିଶୁଙ୍କ ପ୍ରତି ହୋଇଥିବା ଅପରାଧ କାରଣରୁ ୭୦୧୨ ମାମଲା ରୁଜୁ ହୋଇଥିଲା। ୨୦୨୦ରେ ଏହା ବଢ଼ି ୬୩୩୦ ଓ ୨୦୨୧ରେ ୭୮୮୯ ରେ ପହଞ୍ଚିଥିଲା। ଶିଶୁଙ୍କ ପ୍ରତି ହୋଇଥିବା ଅପରାଧ ମାମଲାରେ ଓଡ଼ିଶାର ସ୍ଥାନ ୫ ନମ୍ବରରେ ରହିଥିଲା। ଶିଶୁ ନିଖୋଜ ସଂଖ୍ୟା ମଧ୍ୟ ଅତି ଉଦ୍‌ବେଗଜନକ ଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା। ଏନ୍‌ସିଆରବି ରିପୋର୍ଟ ଅନୁସାରେ, ୨୦୨୦ରେ ୨୮୯୯ ଶିଶୁ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୪୧୩୩ରେ ପହଞ୍ଚିଥିଲା। ଆଇନଜୀବୀ ବନ ମହାନ୍ତିଙ୍କ କହିବା ଅନୁସାରେ, ମହିଳା ଓ ଶିଶୁ ଅପରାଧ ଶାଖା ଥଇଥାନ କେନ୍ଦ୍ର ପାଲଟିଛି । ଏକାଧିକ ଅଫିସର୍ ଏଠାରେ ନିଯୁକ୍ତ ହେଉଛନ୍ତି । କିନ୍ତୁ ସେହି ହିସାବରେ କାର୍ଯ୍ୟକାରୀ ହୋଇ ପାରୁନି । ବିଭିନ୍ନ ଜିଲ୍ଲାରେ ମଧ୍ୟ ମହିଳା ଓ ଶିଶୁ ଅପରାଧ ଶାଖା ବାଟବଣା ହୋଇଛି । ଏହାର ସମୀକ୍ଷା ହେଉନି । ଯାହା ଫଳରେ କାର୍ଯ୍ୟକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳା ଓ ଶିଶୁ ଅପରାଧ ସ୍ୱତନ୍ତ୍ର ଶାଖାରେ ସ୍ଥାୟୀ ଅଧିକାରୀ ନିଯୁକ୍ତି ସମ୍ପର୍କରେ ଡିଜିପି ସୁନୀଲ ବଂଶଲଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।