ନୟାଗଡ଼ : ଦିନିକିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ତଥା ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜରଦୋଶ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଦର୍ଶନା ଜରଦୋଶ ଗଣମାଧ୍ୟମକୁ କହିଛନ୍ତି ଫସଲବୀମା ଯୋଜନା, କିସାନ୍‌ ସମ୍ମାନ ନିଧି ଯୋଜନା ଜିଲ୍ଲାରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହି। ଏନେଇ ଆବଶ୍ୟକ ପଞ୍ଜୀକରଣ ହେଉନଥିବା, ଚାଷୀଙ୍କୁ ସଚେତନତା କରାଯାଉନଥିବା ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ନାହିଁ, ଆୟୁଷ୍ମାନ ଯୋଜନାଠାରୁ ନେଇ ବିଭିନ୍ନ କେନ୍ଦ୍ରୀୟ ‌ଯୋଜନା କାର୍ଯ୍ୟକାରୀ ନେଇ ରାଜ୍ୟ ସରକାରଙ୍କ ସମର୍ଥନ ମିଳୁନଥିବା କହି ଗଣମାଧ୍ୟମ ଆଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହ ସେ ଦଳର ସାଙ୍ଗଠନିକ ସ୍ଥିତି ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି।

Advertisment

ଦିନ ପ୍ରାୟ ୧ଟା ୩୦ରେ କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ତଥା ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜରଦୋଶ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କୋଭିଡ୍‌ ଲାଗି ପ୍ରଦାନ କରାଯାଉଥିବା ଚାଉଳ କେତେ ଲୋକଙ୍କ ନିକଟ‌ରେ ପହଞ୍ଚିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଧାରକାର୍ଡ, ଫସଲ ବୀମା ଯୋଜନା, ବୟନ ଓ ହସ୍ତତନ୍ତ, ସ୍ବଚ୍ଛ ଭାରତ ଆଦି ବିଭିନ୍ନ ଯୋଜନାରେ ନୟାଗଡ଼ ଜିଲ୍ଲାରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ।

ବୈଠକ ପରେ ଖୋର୍ଦ୍ଧା- ବଲାଙ୍ଗୀର ରେଳପ୍ରକଳ୍ପ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ରେଳପଥର ବିଭିନ୍ନ କାମ ଠିକ୍‌ ଭାବେ ଚାଲିଛି। ଯେଉଁଠି ଅସୁବିଧା ରହିଛି ସେ ନେଇ ସେ ଅଫିସର୍‌ମାନଙ୍କ ସହିତ ବୈଠକ କରିବେ ବୋଲି କହିଛନ୍ତି। ବିଭିନ୍ନ ରେଳ ଷ୍ଟେସନ୍‌ରେ ହସ୍ତତନ୍ତ ଓ ବୟନ ଶିଳ୍ପ ସାମଗ୍ରୀ ଷ୍ଟଲ୍‌ ‌ଖୋଲିବାକୁ ବୈଠକରେ ଆଲୋଚନା ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବ‌ାହୀ ଅଧିକାରୀ ସୁବାସଚନ୍ଦ୍ର ରାୟ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଇରାନୀ ରାୟ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ସକାଳ ପ୍ରାୟ ୧୦ଟା ୩୦ରେ ଟ୍ରେନ୍‌ ଯୋଗେ ନୟାଗଡ଼ ‌ଷ୍ଟେସନ୍‌ରେ ପହଞ୍ଚିଥିଲେ, ସେଠାରେ ତାଙ୍କୁ ଦଳୀୟ କର୍ମକର୍ତ୍ତା ସ୍ବାଗତ କରିଥିଲେ।