ଭୁବନେଶ୍ବର/ବାଲୁଗାଁ: ଚିଲିକାରେ ଆଜି ରାଜ୍ୟର ପ୍ରଥମ ବିଳାସପୂର୍ଣ୍ଣ ହାଉସ୍ବୋଟ୍ ‘ଗରୁଡ଼’ ଭାସିଛି। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ୍ରେ ଉଦ୍ଘାଟନ କରିଛନ୍ତି। ହାଉସ୍ବୋଟ୍ ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ‘ବିକାଶ ଇକୋ ରିସର୍ଟସ୍’ର ପରିଚାଳନା ନିର୍ଦ୍ଦେଶକ ମୁରଲୀକୃଷ୍ଣ ଦଶରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍. ଯାଦବ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କଟେରିଆ ପ୍ରମୁଖ ଉପସ୍ଥିତ ଥିଲେ।
୧୦୫ ଫୁଟ ଲମ୍ବ ଓ ୨୨ଫୁଟ୍ ଓସାର ବିଶିଷ୍ଟ ‘ଗରୁଡ଼’ ପ୍ରାୟ ୩କୋଟିରୁ ଊର୍ଧ୍ବ ଟଙ୍କାରେ ନିର୍ମିତ ହୋଇଛି। ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି। ବୋଟ୍ରେ ଦୁଇଟି ଇଞ୍ଜିନ୍ ଲାଗିଥିବା ବେଳେ ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ଓ ହୋଟେଲ ରହିଛି। ଏଠାରେ ଏକକାଳୀନ ସର୍ବାଧିକ ୩୦ଜଣ ବ୍ୟକ୍ତି ଏକାଠି ହୋଇପାରିବେ। ସେହିପରି ବୋଟ୍କୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ୍ ଅନୁଯାୟୀ ବୁକ୍ କରିପାରିବେ। ଗରୁଡ଼ର ପ୍ରାଇଭେଟ୍ ଲାଉଞ୍ଜରେ ଛଅଟି ପ୍ରିମିୟମ୍ ରୁମ୍ ଓ ଦୁଇଟି ସୁଟ୍ ରହିଛି। ପର୍ଯ୍ୟଟକମାନେ ବେଳାଭୂମିରେ ସନ୍ବାଥ, ମସାଜ୍, କ୍ରୀଡ଼ା, ନାଚ ଗୀତ, ଡଲଫିନ୍ ଓ ବିଦେଶୀ ପକ୍ଷୀ ଦେଖିବା ଓ ଚିଲିକାରେ ବିଶେଷ ସମୟ କଟାଇବାର ଆଦି ମଜା ନେଇପାରିବେ। ଗରୁଡ଼ ବୋଟ୍ର ପ୍ରିମିୟମ୍ ରୁମ୍ ମଧ୍ୟାହ୍ନ ୧୨ଟାରୁ ପୂର୍ବାହ୍ନ ସାଢ଼େ ୯ଟା ଯାଏ ବୁକ୍ କରିବାକୁ ୧୮ହଜାର ଟଙ୍କା ପଡ଼ୁଥିବା ବେଳେ ସୁଟ୍ ପାଇଁ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ରହଣୀ ସମୟରେ ସକାଳ ଜଳଖିଆ ସହ ମଧ୍ୟାହ୍ନଭୋଜନ, ସ୍ନାକ୍ସ ଓ ରାତ୍ରିଭୋଜନ ଉପଲବ୍ଧ ହେବ।
ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟ୍ରେ ଜୀବନ ରକ୍ଷାକାରୀ ଉପକରଣ ରହିବା ସମେତ ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନାନ୍ତର ନିମନ୍ତେ ଏକ ବ୍ୟାକ୍ଅପ୍ ବୋଟ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ସେନ୍ସର୍ ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି। ବୋଟ୍ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହା ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରିବ ବୋଲି ଆଜି ଭୁବନେଶ୍ବରସ୍ଥିତ ସ୍ବସ୍ତି ଗ୍ରାଣ୍ଡ୍ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିକାଶ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ଜି. ଭାସ୍କର ରାଓ, ଡି. ନାଗେଶ୍ବର ରାଓ, ଗୌତମ କୁମାର ଅଗ୍ରୱାଲ୍ ଓ ଏମ୍.ଏଲ୍ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଗରୁଡ଼ ଉଦ୍ଘାଟନ ହେବା ପରେ ସ୍ଥାନୀୟ ମା’ କାଳିଜାଈ ବୋଟ୍ ମାଲିକ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ବୋଟ୍ ମାଲିକ ଓ କର୍ମଚାରୀମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବ ବୋଲି ଜଣେ ବୋଟ୍ ମାଲିକ ସୁରେଶ ବେହେରା କହିଛନ୍ତି।