ଜ୍ଞାନେନ୍ଦ୍ର ନାରାୟଣ ରଥ
ବ୍ରହ୍ମପୁର : ରାଜ୍ୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ୧୯୮୬ମସିହାରେ ବ୍ରହ୍ମପୁରରେ ସ୍ଥାପନ ହୋଇଥିଲା ବ୍ରେଲି ପ୍ରେସ୍‌। ରାଜ୍ୟରେ ଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପାଠ୍ୟପୁସ୍ତକଠାରୁ ଆରମ୍ଭ କରି ଗପବହି, ବିଜ୍ଞାନ ପତ୍ରିକା, ବାର୍ଷିକ କ୍ୟାଲେଣ୍ଡର ଆଦି ଏହି ପ୍ରେସ୍‌ରେ ଛପା ହେଉଛି। ହେଲେ ଏତେସବୁ ସେବା ଯୋଗାଇ ଦେବାପାଇଁ ରାଜ୍ୟର ଏହି ଏକ ମାତ୍ର ବ୍ରେଲି ପ୍ରେସ୍‌ ସ୍ଥାପନ ହେବା ଦିନ ଠାରୁ ନିୟୋଜିତ ହୋଇଥିବା ଦୁଇ ଜଣ କର୍ମଚାରୀ ଆଜି ପର୍ଯ୍ୟନ୍ତ ଅଛନ୍ତି। ଜଣେ ମ୍ୟାନେଜର୍ ଦାୟିତ୍ବ ତୁଲାଉଥିବା ବେଳେ ଅନ୍ୟଜଣେ ଷ୍ଟେରିଓ ଟାଇପ୍ ଅପରେଟର୍‌ ଅଛନ୍ତି। କିନ୍ତୁ ପରିତାପର ବିଷୟ ଏହିକି ଯେ, ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଥିବା ଦୁଇ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ମିଳିନି। ନାଁ ସେମାନଙ୍କର ସର୍ଭିସ୍‌ ବୁକ୍‌ ଅଛି, ନା ଇପିଏଫ୍ ଅବା ଇନ୍‌କ୍ରିମେଣ୍ଟ। ପ୍ରତିମାସରେ ସେମାନଙ୍କୁ ଅନୁକମ୍ପା (କନ୍‌ସୋଲଡେଟେଡ୍‌) ରାଶି ଭାବେ ମାତ୍ର ୧୫ହଜାର ଟଙ୍କା ଦରମା ମିଳୁଛି। ଅର୍ଥାତ୍ ଜଣେ କୁଶଳୀ ଶ୍ରମିକଙ୍କ ଠାରୁ ମଧ୍ୟ ଅପେକ୍ଷାକୃତ କମ୍‌ ଦୈନିକ ମଜୁରି। ଯାହାକୁ ନେଇ ସେମାନଙ୍କ ମନରେ ଅବଶୋଷ ରହିଛି। ସ୍ବଳ୍ପ ଦରମାରେ ସେମାନଙ୍କୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଥିବା ପ୍ରକାଶ କରିଛନ୍ତି।

Advertisment

ପ୍ରେସ୍‌ ସ୍ଥାପନ ହେବା ଦିନ ଠାରୁ ବର୍ତ୍ତମାନ ମ୍ୟାନେଜର୍ ଦାୟିତ୍ବରେ ଥିବା ପ୍ରକାଶ ନାରାୟଣ ରଥ (୫୭) ଏବଂ ଷ୍ଟେରିଓଟାଇପ୍ ଅପରେଟର୍‌ ଦାୟିତ୍ବ ତୁଲାଉଥିବା ‌ଦେବେନ୍ଦ୍ର ପ୍ରସାଦ ମହାନ୍ତି କାର୍ଯ୍ୟରତ ଅଛନ୍ତି। ପ୍ରେସ୍‌ରେ ଆବଶ୍ୟକ ଭିତ୍ତିଭୂମି ରହିଛି। ୩ଟି କମ୍ପ୍ୟୁଟରାଇଜଡ୍ ଏବଂ ଗୋଟିଏ ମାନୁଆଲ୍‌ ଛାପା ମେସିନ୍ ରହିଛି। ଯେତେବେଳେ ଯାହା ଦରକାର ପଡ଼ୁଛି, ସରକାର ଯୋଗାଇ ଦେଉଛନ୍ତି। ଜିଲ୍ଲା ପ୍ରଶାସନ ସବୁପ୍ରକାର ସହଯୋଗ କରୁଛି। କିନ୍ତୁ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ଦରମା ବୃଦ୍ଧିକୁ ଅଣଦେଖା କରାଯାଉଛି। ମ୍ୟାନେଜର୍‌ ଦାୟିତ୍ବରେ ଥିବା ଶ୍ରୀ ରଥଙ୍କ କାର୍ଯ୍ୟକାଳ ଆଉ ତିନିବର୍ଷ ରହିଛି। ଅବସର ପରବର୍ତ୍ତୀ ଜୀବନକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି।