ରାଜ୍ୟର ନିଜସ୍ୱ ରାଜସ୍ୱ ବଢ଼ୁଛି

ଭୁବନେଶ୍ବର : ୨୦୦୫-୦୬ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ରାଜସ୍ବ ବଳକା ବଜେଟ୍‌ ଦେଇ ଆସୁଛନ୍ତି। ରାଜ୍ୟର ବିତ୍ତୀୟ ନିଅଣ୍ଟକୁ ଏଫ୍‌ଆରବିଏମ୍‌ ଆକ୍ଟ ୨୦୦୩ରେ ଥିବା ନିର୍ଦେଶନାମା ଅନୁଯାୟୀ ନିୟନ୍ତ୍ରଣ କରାଯାଉଛି ‌ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ ‌ଦର୍ଶାଇଛନ୍ତି ଯେ ରାଜ୍ୟର ନିଜସ୍ବ ରାଜସ୍ବ ବଢ଼ିଛି। ୨୦୦୫-୦୬ରେ ରାଜ୍ୟର ନିଜସ୍ବ ଟିକସ ରାଜସ୍ବ ୫ ହଜାର ୨ କୋଟି ଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ତାହା ୪୦ ହଜାର ୭୪୭ କୋଟିରେ ପହଞ୍ଚିଛି। ୨୦୨୨-୨୩(ମେ’ ମାସ ସୁଦ୍ଧା)ରେ ନିଜସ୍ବ ଟିକସ ରାଜସ୍ବ ୬ ହଜାର ୬୬୩ରେ ପହଞ୍ଚିଛି। ସେହିପରି ଅଣଟିକସ ରାଜସ୍ବ ୨୦୦୫ରେ ୧୫୩୧ କୋଟିରୁ ବଢ଼ି ୨୦୨୧-୨୨ରେ ୫୪ ହଜାର ୨୫୬ କୋଟିରେ ପହଞ୍ଚିଛି। ମୋଟ ନିଜସ୍ବ ରାଜସ୍ବ ୬୫୩୪ କୋଟି ଥିବା ବେଳେ ୨୦୨୧-୨୨ରେ ତାହା ୯୫ ହଜାର ୪ କୋଟିରେ ପହଞ୍ଚିଥିଲା। ୨୦୨୨-୨୩(ମେ’ ସୁଦ୍ଧା) ୧୫ ହଜାର ୯୮୯ କୋଟି ଟଙ୍କା ନିଜସ୍ବ ରାଜସ୍ବ ହୋଇଛି।

କେନ୍ଦ୍ରୀୟ ଅନୁଦାନ ବାବଦରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୦୦୫-୦୬ରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ୪୮୭୬ କୋଟି, କେନ୍ଦ୍ରୀୟ ଅନୁଦାନ ୨୬୭୩ କୋଟି ରହିଥିଲା। ମୋଟ କେନ୍ଦ୍ରୀୟ ପ୍ରାପ୍ତି ୭୫୫୦ କୋଟି ରହିଥିଲା। ଧୀରେ ଧୀରେ ଏହା ବୃଦ୍ଧି ପାଇ ୨୦୧୮-୧୯ ଆର୍ଥିକ ବର୍ଷରୁ ମୋଟ କେନ୍ଦ୍ରୀୟ ପ୍ରାପ୍ତି ୫୦ ହଜାର କୋଟିରୁ ଅଧିକ ରହୁଛି। ୨୦୧୮-୧୯ରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ୩୫ ହଜାର ୩୫୩ କୋଟି ଥିବା ବେଳେ କେନ୍ଦ୍ରୀୟ ଅନୁଦାନ ୧୯ ହଜାର ୫୯୭ କୋଟି ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ୩୮ ହଜାର ୧୪୪ କୋଟି ଏବଂ କେନ୍ଦ୍ରୀୟ ଅନୁଦାନ ୧୯ ହଜାର ୯୦୯ କୋଟି ଥିଲା। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରୁ ୪୩୦୯ କୋଟି ଆସିଥିବା ବେଳେ କେନ୍ଦ୍ରୀୟ ଅନୁଦାନ ମାତ୍ର ୧୯ କୋଟି ରହିଛି।

ସମ୍ବନ୍ଧିତ ଖବର