କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ବିତୀୟ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

ପ୍ଲାଜ୍‌ମାଦାତା ପଞ୍ଜୀକରଣ ଲାଗି ପୋର୍ଟାଲ ଲୋକାର୍ପିତ, ରାଜ୍ୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ କେହି ବି ବଞ୍ଚିତ ହେବେ ନାହିଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ବିତୀୟ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ଯୋେଗ ଏହାର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର କେହି ଜଣେ ବି ବ୍ୟକ୍ତି ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ। ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ଡାକ୍ତରମାନେ ରାଜ୍ୟରେ ଆଧୁନିକ ପ୍ଲାଜ୍‌ମା ଥେରାପିର ସଫଳ ପ୍ରୟୋଗ କରି ଓଡିଶାକୁ ଗର୍ବିତ କରିଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ଏପର୍ଯ୍ୟନ୍ତ ୨୩ ଜଣ ବ୍ୟକ୍ତିଙ୍କ ଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇଛି। ଜଣେ ବ୍ୟକ୍ତିଙ୍କ ପ୍ଲାଜ୍‌ମା ଦୁଇ ଜଣ ରୋଗୀଙ୍କୁ ଦିଆଯାଇପାରିବ। ତେଣୁ ଏହାଦ୍ବାରା ୪୬ଜଣ ରୋଗୀ ଚିକିତ୍ସିତ ହୋଇପାରିବେ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ଚିକିତ୍ସା ସେବା ସଂପ୍ରସାରିତ କରିବା ପାଇଁ ଏହା ଆମକୁ ପ୍ରେରଣା ଦେଇଛି।
କରୋନା ମହାମାରୀ ପରି ଏକ ଅସାଧାରଣ ପରିସ୍ଥିତିରେ ରାଜ୍ୟର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଯେଭଳି ନିଷ୍ଠା ଓ ତ୍ୟାଗର ସହ କୋଭିଡ୍‌ ଯୁଦ୍ଧରେ ସାମିଲ ହୋଇ ସେବା ଜାରି ରଖିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। କହିଥିଲେ, ଏଭଳି କଠିନ ସମୟରେ କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳକୁ ଦୃଢ ରଖିବା ପାଇଁ ଆମେ ସମସ୍ତେ କାମ କରିବା ଉଚିତ।

ସେହିଭଳି କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ପ୍ଲାଜ୍‌ମାଦାତାମାନଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ, ରାଜ୍ୟର ଦାୟିତ୍ବବାନ ନାଗରିକ ଭାବରେ ସମାଜ ପ୍ରତି ସେମାନେ ସେମାନଙ୍କର ଦାୟିତ୍ବ, କର୍ତ୍ତବ୍ୟବୋଧ ଓ ମାନବିକତାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି। ପ୍ଲାଜ୍‌ମା ଦାନ କରିଥିବା ଓଡିଶା ପୋଲିସର ଯବାନ, ଏନଡିଆର୍‌ଏଫ୍ ଯବାନ ଏବଂ ଅଗ୍ନିଶମ ସେବାର କର୍ମଚାରୀ ମାନଙ୍କର ମହତ୍‌ କାର୍ଯ୍ୟ ସଂପର୍କରେ ସ୍ବତନ୍ତ୍ର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଖୁବ ଶୀଘ୍ର ପ୍ଲାଜମା ଦାନ ଏକ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ୱେବ୍ ପୋର୍ଟାଲର ମଧ୍ୟ ଉଦ୍‌ଘାଟନ କରିଥିଲେ। ପ୍ଲାଜ୍‌ମା ଦାନ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଯେଭଳି ସୁବିଧାରେ ଏଠାରେ ପଞ୍ଜୀକରଣ କରିପାରିବେ, ସେଥିପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଏହି ୱେବ୍ ପୋର୍ଟାଲର ବିକଶିତ କରାଯାଇଛି। ଏହି ପୋର୍ଟାଲରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କର ଡାଟାବେସକୁ (https:// covid19.odisha.gov.in/ରେ login କରି ‘Plasma Donor Self Registration’ click କରିବାକୁ ପଡିବ)। ଏହି ପୋର୍ଟାଲରେ ପ୍ଲାଜ୍‌ମା ଦାତାମାନଙ୍କର ଯୋଗ୍ୟତା ଏବଂ ସମ୍ମତି ଆଦି ବିଷୟ ମଧ୍ୟ ସ୍ଥାନ ପାଇବ।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ଲାଜ୍‌ମା ଦାନ ଅଭିଯାନକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ଏହାସହିତ ଅଧିକରୁ ଅଧିକ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ଲାଜ୍‌ମା ଦାନ ପାଇଁ ଆଇଇସି ଅଭିଯାନକୁ ଜୋରଦାର କରାଯିବ ବୋଲି କହିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ଲାଜ୍‌ମା ଚିକିତ୍ସା ପଦ୍ଧତି ସଂପର୍କରେ ଖୁବ ଶୀଘ୍ର ଏସ୍‌ଓପି ଜାରି କରାଯିବ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ଲାଜ୍‌ମା ଚିକିତ୍ସା ପଦ୍ଧତି ସଂପର୍କରେ ଏକ ଭିଡ଼ିଓ ଫିଲ୍ମ ଓ ଏହି ଚିକିତ୍ସା ସଂପର୍କିତ ଏକ ବିବରଣୀ ପୁସ୍ତିକା ଉନ୍ମୋଚନ କରିଥିଲେ। ବାଲେଶ୍ବରର ପ୍ଲାଜ୍‌ମାଦାତା ରଶ୍ମୀରଞ୍ଜନ ବେହେରା କୋଭିଡ୍‌ ରୋଗ ସଂପର୍କରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ଏପରି ମହତ କାର୍ଯ୍ୟ ପାଇଁ ସରକାର ସୁଯୋଗ ସୃଷ୍ଟି କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ କଟକରେ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ଅବସରରେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ। ଏହାସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ଲାଜ୍‌ମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଥିଲା। ୧୫ ଦିନ ତଳେ କଟକ ଏସ୍‌ସିବିରେ ରାଜ୍ୟର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଥିଲା। ଖୁବ୍‌ ଶୀଘ୍ର ରାଉରକେଲାର ଆଇଜିଏଚ୍‌, ବୁର୍ଲାର ଭୀମ୍‌ସାର୍‌ ଏବଂ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲରେ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପନ କରାଯିବ। କୋଭିଡ୍‌ ମୁକାବିଲାରେ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରାପିର ପ୍ରୟୋଗ ଅତ୍ୟନ୍ତ ଉତ୍ସାହଜନକ ହୋଇଥିବାରୁ ଏହି ଚିକିତ୍ସା ପଦ୍ଧତିକୁ ଅଧିକରୁ ଅଧିକ ଭାବେ ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର