ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛକରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, କିଶୋରବାବୁଙ୍କ ସରଳତା ତାଙ୍କର ବଡ଼ ପରିଚୟ ଥିଲା। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ।
ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ବିଜେଡିର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ। ଦଳକୁ ମଜଭୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା। ଝାରସୁଗୁଡ଼ା ଜିଲ୍ଲାର ବିକାଶ ପାଇଁ ବହୁତ କାର୍ଯ୍ୟ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ କହିଲେ, ସ୍ବର୍ଗତ କିଶୋରବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଗଢ଼ି ଉଠିଥିଲା। ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସେ ଅନେକ ଉନ୍ନୟନମୂଳକ କାମ କରିଯାଇଛନ୍ତି। ତାଙ୍କର ସାଧାରଣ ଲୋକଙ୍କ ସହିତ ମଧ୍ୟ ସମ୍ପର୍କ ରହିଥିଲା।
ବିଧାୟକ ତଥା ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କହିଲେ ଯେ ସ୍ବର୍ଗତ କିଶୋର ମହାନ୍ତି ବ୍ରଜରାଜନଗର ତଥା ସମଗ୍ର ପଶ୍ଚିମ ଓଡ଼ିଶାର ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବେ।
ଏହି କାର୍ଯ୍ୟକ୍ରମରେ ପୂର୍ବ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବ ମାନ୍ତ୍ରୀ ମଙ୍ଗଳା କିଷାନ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ସାରଦା ନାୟକ, ପୂର୍ବ ମନ୍ତ୍ରୀ ପ୍ରଫୁଲ୍ଲ ମାଝୀ, ପୂର୍ବ ବିଧାୟକ ଅନୁପ ସାଏ, ପୂର୍ବ ସାଂସଦ ଡ. ପ୍ରଭାସ ସିଂ, ଅରୁନ୍ଧତୀ କୁମାରୀ ଦେବୀ, ସ୍ବର୍ଗତ କିଶୋରବାବୁଙ୍କ ବାପା ଗୋଲକ ବିହାରୀ ମହାନ୍ତି, ନଗରପାଳ ଯାଜ୍ଞସେନି ଓରାମ, ଉପନଗରପାଳ ଗୋପାଳ ସୀତାନି, ଜିଲ୍ଲାପାଳ ସରୋଜ ସାମଲ, ଏସ୍ପି ରାହୁଲ ଜୈନ, ବ୍ରଜରାଜନଗର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କିଶୋରବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ମହିଳାମାନେ ହୁଳହୁଳି ଦେଇଥିଲେ।