କଣ୍ଟାବାଞ୍ଜି : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କଣ୍ଟାବାଞ୍ଜି ଷ୍ଟେସନରୁ ଉଦ୍ଧାର କରିଛି ରେଳବାଇ ପୁଲିସ। ସମ୍ପୃକ୍ତ ନାବାଳିକାଙ୍କୁ ରାଜସ୍ଥାନରେ ବିବାହ କରିବାକୁ କହି ଦଲାଲ ହାତରେ ଟେକି ଦେଇଥିଲା ସାବତ ବାପା। ସେଥିପାଇଁ ରାଜସ୍ଥାନରୁ ଆସିଥିବା ଜଣେ ମହିଳା ଓ ୩ ଜଣ ଦଲାଲଙ୍କଠାରୁ ନେଇଥିଲା ୫୦ ହଜାର ଟଙ୍କା।

Advertisment

ନିଜ ନାବାଳିକା ଝିଅକୁ ରାଜସ୍ଥାନରେ ବିବାହ ଦେବାକୁ ଉକ୍ତ ଦଲାଲମାନଙ୍କ ହାତରେ ଟେକି ଦେଇଥିଲା ସାବତ ବାପା। କେହି ଯେମିତି ସନ୍ଦେହ ନ କରିବେ, ସେଥିପାଇଁ ନାବାଳିକାକୁ ନବବଧୂ ବେଶରେ ସଜାଇ ଦିଆଯାଇଥିଲା। ଏହାପରେ ତାକୁ ଶୁକ୍ରବାର ବିଳମ୍ବିତ ରାତିରେ ପାଟଣାଗଡ଼ରୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଆଣିଥିଲେ ସମ୍ପୃକ୍ତ ଦଲାଲ। ଟ୍ରେନ୍‌ରେ ରାଜସ୍ଥାନ ନେଇଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କ ସନ୍ଦିଗ୍ଧ ଗତିବିଧି ସ୍ଥାନୀୟ କିଛି ଯୁବକଙ୍କ ଦୃଷ୍ଟିରେ ପଡ଼ିଥିଲା। ସେମାନଙ୍କୁ ପଚାରିବାରୁ ଦଲାଲମାନେ ନିଜ ବ୍ୟାଗ ଧରି ତରବରରେ ଏକ ଗାଡ଼ିରେ ବସି ପଳାଉଥିଲେ। ତେବେ ସ୍ଥାନୀୟ ଯୁବକମାନେ ସେଠାରେ ଥିବା ରେଲୱେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସେପଟେ ଉକ୍ତ ନାବାଳିକାକୁ ନେଇ ଯାଉଥିବା ୪ ଅଭିଯୁକ୍ତ କହିଛନ୍ତି, ସେ ନାବାଳିକା ନୁହେଁ, ତାକୁ ୨୧ ବର୍ଷ ହୋଇଛି।

ଏ ସମ୍ପର୍କରେ ତାର ଏକ ଆଧାରକାର୍ଡ ମଧ୍ୟ ପୁଲିସକୁ ଦେଖାଇଥିଲେ। ମାତ୍ର ନାବାଳିକା ଜଣକ ସେ ନବମ ଶ୍ରେଣୀରେ ପଢ଼ନ୍ତି ଓ ତାଙ୍କର ବୟସ ୧୪ ବର୍ଷ ବୋଲି ଜୋର୍ ଦେଇ କହିଥିଲେ। ତେବେ ଅଭିଯୁକ୍ତଙ୍କ ସହ ଅଟକ ଥିବା ମହିଳା ଜଣକ ହେଉଛି ବେଲପଡ଼ା ଅଞ୍ଚଳର। ସେ ପୂର୍ବରୁ ରାଜସ୍ଥାନରେ ବିବାହ କରିଥିବା ପୁଲିସକୁ କହିଛି। ଆଉ ନାବାଳିକାଙ୍କ ବାପାଙ୍କୁ ସେ ପୂର୍ବରୁ ଚିହ୍ନିଥିବା ମଧ୍ୟ ପ୍ରକାଶ କରିଛି। ଉଦ୍‌ବେଗର ବିଷୟ ହେଲା ସେ ପୂର୍ବରୁ ମଧ୍ୟ ଏ ଅଞ୍ଚଳରୁ ଅନେକ ନାବାଳିକା ଓ ଯୁବତୀଙ୍କୁ ରାଜସ୍ଥାନକୁ ଚାଲାଣ କରିଥିବା ସ୍ବୀକାର କରିଛି। ପୁଲିସ ବଲାଙ୍ଗୀର ଚାଇଲ୍‌ଡ ଲାଇନକୁ ଏ ସମ୍ପର୍କରେ ଖବର ଦେଇଛି ଏବଂ ଖୁବଶୀଘ୍ର ଉଦ୍ଧାର ନାବାଳିକାକୁ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରାଯିବ ବୋଲି ଜଣାଇଛି।