ଭୁବନେଶ୍ବର: ରାଜ୍ୟର ୨୨ ଜିଲ୍ଲାର ୧୨୫ ବ୍ଲକରେ କାର୍ଯ୍ୟକାରୀ ହୋଇଛି ସୋପାନ ଯୋଜନା। ଫଳରେ କିଶୋରୀ ମଧ୍ୟ ପାଇବେ ପୋଷଣ ଯୁକ୍ତ ଖାଦ୍ୟ। ଏସଂକ୍ରାନ୍ତରେ ଆବଶ୍ୟକ ଅର୍ଥ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୨୨ଟି ଜିଲ୍ଲାକୁ ଦିଆଯାଇଛି। ସୂଚନା ଅନୁଯାୟୀ, ପୂର୍ବରୁ କେବଳ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ପୋଷଣଯୁକ୍ତ ଖାଦ୍ୟ ଦିଆଯାଉଥିଲା। ମାତ୍ର ଏବେ ସୋପାନ ଜରିଆରେ ୧୫ରୁ ୧୯ ବର୍ଷୀୟା କିଶୋରୀଙ୍କୁ ସପ୍ତାହରେ ତିନି ଥର ଅଣ୍ଡା ଦିଆଯିବ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ କିଶୋରୀ ମେଳାର ଆୟୋଜନ ହେବ। ଗର୍ଭବତୀ ଏବଂ ପ୍ରସୂତିଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ଅତିମାତ୍ରାରେ କମ ଓଜନ ଥିବା ଶିଶୁଙ୍କୁ ଅତିରିକ୍ତ ଖାଦ୍ୟ ତେଲ ଦିଆଯିବ। ବର୍ତ୍ତମାନ କରୋନା ଯୋଗୁଁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିବାରୁ ପ୍ରତି ଘରକୁ ଯାଇ ଅଙ୍ଗନବାଡ଼ି କର୍ମୀ ଏହା ଦେବେ।

Advertisment

ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରୁ ୨, ବଲାଙ୍ଗୀରର ୧୪ଟିରୁ ୧୧, ବୌଦ୍ଧର ୩ରୁ ୧, ଦେବଗଡ଼ର ୩ରୁ ୧, ଗଜପତିର ସମସ୍ତ ୭ଟି ବ୍ଲକ, ଗଞ୍ଜାମର ୨୨ରୁ ୨, କଳାହାଣ୍ଡିର ୧୩ରୁ ୯, କନ୍ଧମାଳର ୧୨ରୁ ୯, ମାଲକାନଗିରିର ସମସ୍ତ ୭ ବ୍ଲକ, ନବରଙ୍ଗପୁରର ସମସ୍ତ ୧୦ ବ୍ଲକ, ନୂଆପଡ଼ାର ସମସ୍ତ ୫ ବ୍ଲକ, ସମ୍ବଲପୁରର ୯ରୁ ୪, ସୋନପୁରର ୬ରୁ ୪ ବ୍ଲକ, ଅନୁଗୁଳର ୮ରୁ ୩, ଢେଙ୍କାନାଳର ୮ରୁ ୨, ଯାଜପୁରର ୧୦ରୁ ୨, ଝାରସୁଗୁଡ଼ାର ୫ରୁ ୧, କେନ୍ଦୁଝରର ୧୩ରୁ ୭, କୋରାପୁଟର ସମସ୍ତ ୧୪ ବ୍ଲକ, ମୟୂରଭଞ୍ଜର ୨୬ରୁ ୭ ବ୍ଲକ, ରାୟଗଡ଼ାର ୧୧ରୁ ୧୦, ସୁନ୍ଦରଗଡ଼ର ୧୭ରୁ ୭ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ଏନଏଫଏଚଏସ(ଜାତୀୟ ପରିବାର ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ ସର୍ଭେ) ୨୦୧୫-୧୬ ମସିହା ଅନୁସାରେ ୦ରୁ ୫ ବର୍ଷ ମଧ୍ୟରେ ବୟସ ତୁଳନାରେ କମ ଉଚ୍ଚତା ଥିବା ଶିଶୁ ୩୪.୧ ପ୍ରତିଶତ, ଉଚ୍ଚତା ତୁଳନାରେ କମ ଓଜନ ଥିବା ଶିଶୁ ୨୦.୪ ପ୍ରତିଶତ, ଉଚ୍ଚତା ତୁଳନାରେ ଅତି କମ ଓଜନ ଥିବା ଶିଶୁ ୬.୪ ପ୍ରତିଶତ, କମ ଓଜନ ଥିବା ଶିଶୁ ୩୪.୪ ପ୍ରତିଶତ ରହିଥିବା ବେଳେ ଏହି ହାର ୨୦୧୯-୨୧ରେ ୩୧ ପ୍ରତିଶତ, ୧୮.୧ ପ୍ରତିଶତ, ୬.୧ ପ୍ରତିଶତ ଏବଂ ୨୯.୭ ପ୍ରତିଶତ ରହିଛି। ଶିଶୁ ରକ୍ତହୀନତା ହାର ୨୦୧୫-୧୬ ମସିହାରେ ୪୪ ପ୍ରତିଶତ ଏବଂ ୨୦୧୯-୨୧ ମସିହାରେ ୬୪.୨ ପ୍ରତିଶତ ରହିଛି। ଏହାକୁ ଦୃଷ୍ଟିରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି।