ଭୁବନେଶ୍ବର/ଅନୁଗୁଳ: ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କିରାଣି ଚାକିରି କରି ବି ଗଞ୍ଜେଇ ଚାଲାଣ କରୁଥିଲେ। ଫୁଲବାଣୀରୁ ଗଞ୍ଜେଇ ଆଣି ଅନୁଗୁଳରେ ବିକ୍ରି କରୁଥିଲେ। ବହୁ ଦିନ ଧରି ଏହି ବେଆଇନ କାରବାର ଚଳାଇ ଆସୁଥିଲେ ବି ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ କେହି ତାଙ୍କୁ ସନ୍ଦେହ କରିବା ଅବକାଶ ନଥିଲା। ମାତ୍ର ଏସ୍ଟିଏଫ୍ ନଜରରୁ ବେଶି ଦିନ ବର୍ତ୍ତି ପାରିନଥିଲେ। କାର୍ରେ ଗଞ୍ଜେଇ ଧରି କୁଜି ବେପାରୀଙ୍କୁ ବିକିବା ବେଳେ ମାଡ଼ି ବସିଲା ଏସ୍ଟିଏଫ୍। ଏସ୍ଟିଏଫ୍ ହାତରେ ଧରା ପଡ଼ିଥିବା ଏହି ବ୍ୟାଙ୍କ କିରାଣୀ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଳସା ଅଞ୍ଚଳର ସୁଶାନ୍ତ ସାହୁ। ଏସ୍ଟିଏଫ୍ ଚଢ଼ଉ ବେଳେ ସୁଶାନ୍ତ ଓ ତାଙ୍କ ସହଯୋଗୀ ଯୁଗଳ ସାହୁ ଧରାପଡ଼ିଛନ୍ତି। ସେମାନଙ୍କ କାର୍ରୁ ଏକ କ୍ବିଣ୍ଟାଲ ୬୫ କେଜି ଗଞ୍ଜେଇ ଓ ଏକ ବନ୍ଧୁକ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ସାଢ଼େ ୧୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।
ସୂଚନା ମୁତାବକ, ବହୁ ଦିନ ହେଲା ଏସ୍ଟିଏଫ୍ ଟିମ୍ ସୁଶାନ୍ତ ଓ ଯୁଗଳ ଉପରେ ନଜର ରଖିଥିଲା। ସେମାନେ ଗତ ୨୧ ତାରିଖ ରାତିରେ ଫୁଲବାଣୀରୁ ଗଞ୍ଜେଇ ଧରି ୨୨ ତାରିଖରେ ଅନୁଗୁଳରେ ପହଞ୍ଚିଥିଲେ। ସେମାନଙ୍କଠାରୁ ମାଲ୍ ନେବାକୁ କେତେକ ବ୍ୟବସାୟୀ ଅପେକ୍ଷା କରିଥିଲେ। ହେଲେ ପୂର୍ବରୁ ଏସବୁର ଟିକ୍ନିକ୍ ତଥ୍ୟ ଏସ୍ଟିଏଫ୍ ପାଖରେ ପହଞ୍ଚିଥିଲା। ପୁଲିସ ଟିମ୍ ଡିଲ୍ ପଏଣ୍ଟରେ ଛକି ରହିଥିଲା। ସୁଶାନ୍ତ ଓ ଯୁଗଳ କିଶୋରନଗରରେ ପହଞ୍ଚି ଉକ୍ତ ଡିଲ୍ ପଏଣ୍ଟରେ ପହଞ୍ଚିବା ମାତ୍ରେ ଛକି ବସିଥିବା ଟିମ୍ ସେମାନଙ୍କୁ ଘେରିଯାଇଥିଲା। ଏସ୍ଟିଏଫ୍ ଟିମ୍ର ଏଭଳି ଅତର୍କିତ ଚଢ଼ଉ ବାବଦରେ ସୁଶାନ୍ତ ଓ ଯୁଗଳ ସାମାନ୍ୟତମ ସୁରାକ୍ ପାଇନଥିଲେ ଓ ଆତ୍ମସମର୍ପଣ କରିବାକୁ ହାତ ଟେକି ଦେଇଥିଲେ। ସୂଚନାଯୋଗ୍ୟ, ୨୦୨୦ରୁ ଏପର୍ଯ୍ୟନ୍ତ ଏସ୍ଟିଏଫ୍ ଅଧ କ୍ବିଣ୍ଟାଲରୁ ଊର୍ଧ୍ବ ବ୍ରାଉନ୍ସୁଗାର, ୯୧ କ୍ବିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କଲାଣି। ୧୩୦ ରୁ ଅଧିକ ମାଫିଆ ଗିରଫ ହେଲେଣି।