ପୁରୀ : ଶ୍ରୀମନ୍ଦିର ରତ୍ନବେଦୀ ପଛପାର୍ଶ୍ବରୁ ଚୂନ ଖସିବାର କିଛିଦିନ ପରେ ପୁଣିଥରେ ଶ୍ରୀମନ୍ଦିରରୁ ପଥର ଖସିଛି। ଶ୍ରୀମନ୍ଦିର ମୁଦୁଲି ଦ୍ବାର ପାର୍ଶ୍ବ ନାଟମଣ୍ଡପ ଉପରୁ ଏହି ପଥର ଖସିଥିବା ବେଳେ ଏହା ଆକାରରେ ବହୁତ ବଡ଼ ବୋଲି ସେବାୟତମାନେ କହିଛନ୍ତି। ଫଳ‌ରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ଏହା ବିରାଟ ପ୍ରଶ୍ନବାଚୀ ଠିଆ କରିଛି। ପ୍ରତ୍ନତତ୍ତ୍ବ ବିଭାଗର ରକ୍ଷଣାବେକ୍ଷଣରେ ଅବହେଳା ଏହି ବିପତ୍ତି ଆଣିଦେଇଛି ବୋଲି ଅଭିଯୋଗ ଉଠିଛି। ଅନ୍ୟପଟେ ଖସିଥିବା ପଥରକୁ ସଂଗ୍ରହ କରି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପ୍ରତ୍ନତତ୍ତ୍ବ ବିଭାଗ ନିକଟରେ ଜିମା ଦେଇଛି।

Advertisment

ମିଳିଥିବା ସୂଚନା ମୁତାବକ, ଦୀପାବଳି ସମୟରେ ଶ୍ରୀମନ୍ଦିର ବେହେରଣ ଦ୍ବାର ଓ ମୁଦୁଲି ଦ୍ବାର ମଝିରେ ଚର୍ଚ୍ଚାମାନେ ବସୁଥିବା ସ୍ଥାନରେ ଏହି ପଥର ଖସିଥିଲା। ଯାହାର ଆକାର ଦେଢ଼ ଫୁଟ ହେବ ବୋଲି ସେବାୟତମାନେ କହିଛନ୍ତି। ଏହି ପଥର ଖସିବାକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେବାୟତମାନେ ପ୍ରତ୍ନତତ୍ତ୍ବ ବିଭାଗକୁ ଏଥିପାଇଁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ କହିଛନ୍ତି, କେଉଁସ୍ଥାନରୁ ଓ କେଉଁ କାରଣରୁ ପଥର ଖସିଛି ତାହା ଠିକ୍‌ ଭାବେ ଜଣାପଡ଼ିନାହିଁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହି ପଥର ଆମକୁ ହସ୍ତାନ୍ତର କରିଛି। ଯାହାର ଓଜନ ପ୍ରାୟ ୩ କେଜି ହେବ। ଖୁବଶୀଘ୍ର ଆମେ ପଥର ଖସିଥିବା ସ୍ଥାନ ଅନୁଧ୍ୟାନ କରିବୁ। ଶ୍ରୀମନ୍ଦିର ବହୁ ପୁରୁଣା ମନ୍ଦିର ହୋଇଥିବାରୁ ଏହାର ପଥର ଦୁର୍ବଳ ହୋଇଗଲାଣି। ମାଙ୍କଡ଼ମାନେ ବିଭିନ୍ନ ସମୟରେ ଏହା ଉପରକୁ ଡେଉଁଥିବାରୁ ଏଭଳି ପଥର ଖସିଥିବା ଅନୁମାନ କରାଯାଉଛି। ଗୁରୁତ୍ବପୂର୍ଣ୍ଣ ହେଉଛି ପଥର ଖସିବା ଆଜିକୁ ଚାରିଦିନ ହୋଇଥିବା ବେଳେ ଏନେଇ ଏଏସ୍‌ଆଇର କୌଣସି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି କିମ୍ବା ସ୍ଥିତି ଅନୁଧ୍ୟାନ କରିନାହାନ୍ତି।

publive-image

ଶ୍ରୀମନ୍ଦିରର ନାଟମଣ୍ଡପ, ମୁଦୁଲି ଦ୍ବାର ଓ ଅନ୍ୟାନ୍ୟ ସ୍ଥାନରେ ପାଣି ଗଳିବା ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ କହିଛନ୍ତି, ନାଟମଣ୍ଡପ ଓ ଭୋଗମଣ୍ଡପ ସଂଯୋଗ ଜାଗାରୁ ପାଣି ଗଳିବା ଆମ ନଜରରେ ରହିଛି। ସେହିଭଳି ମୁଦୁଲି ଦ୍ବାରରେ କିଛି ଜାଗାରେ ଆଜବେଷ୍ଟସ୍‌ ପକାଇବା ବେଳେ ଖୋଳି ହୋଇଯାଇଛି। ଏଥିପାଇଁ ମୁଦୁଲି ଦ୍ବାରା ନିକଟରେ ପାଣି ଗଳୁଛି। ପଥର ବି ଦୁର୍ବଳ ଥିବାରୁ ପାଣି ଭେଦୁଛି। ଅଧିକ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ପାଣି ଗଳୁଛି। ଏବେ କାର୍ତ୍ତିକ ନୀତିକାନ୍ତି ଚାଲିଥିବାରୁ ମରାମତି ସମ୍ଭବ ନୁହେଁ। କାର୍ତ୍ତିକ ମାସ ପରେ ଏହାର ସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକ ମରାମତି କରାଯିବ। ତଥାପି ପୂର୍ବରୁ ମନ୍ଦିରରୁ ଯେଉଁଭଳି ପାଣି ଗଳୁଥିଲା, ଏବେ ଆଉ ନାହିଁ। ଯେଉଁ ଯେଉଁ ଜାଗାରୁ ପୂର୍ବରୁ ପାଣି ଗଳୁଥିଲା, ସବୁର ମରାମତି ସରିଛି। ବାକି ଯେଉଁ ଦୁଇ ତିନି ଜାଗାରୁ ପାଣି ଗଳୁଛି, ତାର ଆବଶ୍ୟକ ଅନୁଧ୍ୟାନ କରି ମରାମତି କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।