ପଥର ମାଫିଆଙ୍କ ରାଜୁତି, ପଡୋଶୀ ରାଜ୍ୟକୁ ବେଆଇନ ପଥର ଚାଲାଣ

ମାନୁନାହାନ୍ତି ସରକାରୀ ନୀତିନିୟମ,-ଅନୁମତି ଠାରୁ ଅଧିକ ଉତ୍ତୋଳନ, ସ୍ଥାନୀୟ ତହସିଲ କର୍ମଚାରୀ ସମ୍ପୃକ୍ତ

ରାଉରକେଲା: ଜିଲ୍ଲାରେ କମୁନି ବାଲି ମାଫିଆଙ୍କ ଦୌରାତ୍ମ୍ୟ। ବିନା ଲିଜ୍‌ରେ ଲୁଟି ଚାଲିଛନ୍ତି ହଜାର ହଜାର ଟ୍ରକ ବାଲି। ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ୍ ଅଧିକାଂଶ ବାଲି ଘାଟରେ ରାଜୁତି କରୁଛନ୍ତି ବାଲି ମାଫିଆ। ଏବେ ସମାନ ରାସ୍ତା ଆପଣେଇଛନ୍ତି ଜିଲ୍ଲାରେ କିଛି ପଥର ମାଫିଆ। ଲୁଟ୍‌ କରୁଛନ୍ତି ପଥର ଖଣି। ବିଭାଗର ବିନା ଅନୁମତିରେ ମାସ ମାସ ଏଭଳି ବେଆଇନ କାମ ଚାଲିଛି। ଦୈନିକ ଗୋଟିଏ ଗୋଟିଏ ପଥର ଖାଦାରୁ ଶହ ଶହ ଟ୍ରକ ପଥର କ୍ରସର ୟୁନିଟ୍‌ଗୁଡ଼ିକୁ ଯାଉଛି।  ସେଠାରେ ମେଟାଲ, ଚିପ୍‌ସ ବାହାରିବା ପରେ ଜିଲ୍ଲା ନୁହେଁ ବରଂ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡକୁ ଚାଲାଣ ହେଉଛି।

ଏହାଦ୍ବାରା ପଥର ମାଫିଆ, କ୍ରସର ମାଲିକ ଓ ସ୍ଥାନୀୟ ସରକାରୀ ଅଧିକାରୀ ମାଲେମାଲ୍ ହେଉଥିବାବେଳେ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ସବୁଠି ଆଶ୍ଚର୍ଯ୍ୟ କଥା ଏସବୁ ପଥର ଖଣିକୁ ନିଲାମ କରିବା ପରିବର୍ତ୍ତେ କିଛି କରିତକର୍ମା ପଥର ମାଫିଆଙ୍କୁ ଟେମ୍ପରାରୀ ପାସ୍‌ (ଟିପି) ଦେଇ ଦିଆଯାଉଛି। ଏହି ବେଆଇନ କାର୍ଯ୍ୟରେ ସମ୍ପୃ୍କ୍ତ ଅଞ୍ଚନ୍ତି ଅଧିକାଂଶ ତହସିଲର କର୍ମଚାରୀ। ଯେଉଁମାନେ ମୋଟା ଅଙ୍କର ଅର୍ଥ ନେଇ ଏମାନଙ୍କୁ ଏଭଳି ବେଆଇନ କରିବାକୁ ପରୋକ୍ଷରେ ସହାୟତା କରୁଛନ୍ତି। ଫଳରେ ସେମାନଙ୍କୁ ଯେତିକି ଟ୍ରକ୍‌ ଉତ୍ତୋଳନ କରିବାକୁ ଅନୁମତି ମିଳୁଛି, ତା’ ଠାରୁ ୧୦ରୁ ୧୫ ଗୁଣ ଲୁଟୁଛନ୍ତି।

ସ୍ଥାନୀୟ ଅଫିସର କିଛି ଅଧିକାରୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦୃଷ୍ଟି ଆଢ଼ୁଆଳରେ ରଖି ଏସବୁ ବେଆଇନ କାମ କରୁଥିବା ଅଭିଯୋଗ ହେଉଛି। ବର୍ଷା ପାଇଁ କିଛି ପଥର ଖଣିର ଉତ୍ତୋଳନ ବନ୍ଦ ରହିଥିବାବେଳେ ପ୍ରାୟ ଅଧିକାଂଶ ପଥର ଖଣିରେ ବେଆଇନ ବ୍ଲାଷ୍ଟିଂ ‌ହେଉଛି। ସ୍ଥାନୀୟ ବାସିନ୍ଦା ପ୍ରତିବାଦ କଲେ ମଧ୍ୟ ପଥର ମାଫିଆଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। ପଥର ଖଣିଗୁଡ଼ିକରୁ ବର୍ଷକୁ ଯେତିକି ରାଜସ୍ବ ଆଦାୟ ପାଇଁ ଟାର୍ଗେଟ ଦିଆଯାଉଛି। ତା’ ଠାରୁ ଢ଼େର ଅଧିକ ରାଜସ୍ବ ଆଦାୟ ହେଉଛି। ବିନା ଅନୁମତିରେ ପଥର ଖଣି କେମିତି ଅବାଧରେ ଖୋଳା ଚାଲିଛି ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଉଲ୍ଲେଖନୀୟ,  ରାଉରକେଲା ତହସିଲ, ବିଶ୍ରା, କୁଆରମୁଣ୍ଡା, ଲାଠିକଟା ଓ ବୀରମିତ୍ରପୁରରେ ମୋଟ୍‌ ୪୪ଟି ପଥର ଖଣି ରହିଛି।

ରାଉରକେଲା ତହସିଲ ଅଧୀନରେ ୩ଟି, ବିଶ୍ରା ତହସିଲ ଅଧୀନରେ ୪ଟି ପଥର ଖଣି ରହିଥିବାବେଳେ କୁଆରମୁଣ୍ଡା ତହସିଲରେ ୩ଟି, ଲାଠିକଟା ବ୍ଲକରେ ୨୮, ବୀରମିତ୍ରପୁର ତହସିଲରେ ୬ଟି ପଥର ଖଣି ରହିଛି। ଏଥି ମଧ୍ୟରୁ ହାତ ଗଣତି କେତୋଟି ପଥର ଖଣି ଲିଜ୍‌ରେ ଚାଲିଛି। ଆଉ କିଛି ଟିପିରେ ଏବଂ ଅବଶିଷ୍ଟ ବିନା ଲିଜ୍‌ରେ ବେଧଡକ ଚାଲିଛି। ଲାଠିକଟା ବ୍ଳକରେ ୨୮ଟି ପଥର ଖଣି ମଧ୍ୟରୁ  କିଛି ନିଲାମ ହୋଇଥିବାବେଳେ ଅନ୍ୟ କିଛି ଖଣି ବିନା ଲିଜ୍‌ରେ ଚାଲୁଛି। କିଛି ପଥର ମାଫିଆ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ହାତ ମିଳାଇ ବର୍ଷ ବର୍ଷ ଧରି ବେଆଇନ ବ୍ଲାଷ୍ଟିଂ କରୁଛନ୍ତି। ସେସବୁ ଖାଦାନରୁ ପଥର ଉତ୍ତୋଳନ କରି ନିକଟସ୍ଥ କ୍ରସର ୟୁନିଟ୍‌ଗୁଡ଼ିକୁ ଯୋଗାଣ କରୁଛନ୍ତି। କ୍ରସର ୟୁନିଟ୍‌ଗୁଡ଼ିକରୁ ଚିପ୍‌ସ ଓ ମେଟାଲ ବାହାରିବା ପରେ ରାତାରାତି ପଡୋଶୀ ରାଜ୍ୟକୁ ଚାଲାଣ କରି ଦିଆଯାଉଛି।

ଏପରି ବେଆଇନ କାର୍ଯ୍ୟ କରି ମାଲେମାଲ୍‌ ହେଉଥିବା ପଥର ମାଫିଆଙ୍କ ବିରୋଧରେ ଆଜି ଯାଏ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି  କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ବରଂ ପରୋକ୍ଷରେ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ  କିଛି  ପଥର ଖାଦାନ ନିଲାମ ହୋଇ ନାହିଁ ବୋଲି ସଫେଇ ଦେଉଛନ୍ତି। ଯଦି ନିଲାମ ହୋଇ ନାହିଁ ବିଭାଗୀୟ ଅଧିକାରୀ କହୁଛନ୍ତି, ତେବେ ବେଆଇନ ବ୍ଲାଷ୍ଟିଂ ଓ ଚୋରା ପଥର ଚାଲାଣକୁ କାହିଁକି ରୋକାଯାଉ ନାହିଁ ବୋଲି ପ୍ରଶ୍ନ ହେବା ସ୍ବାଭାବିକ। ଏଥିରୁ କେମିତି ଖୋଲାଖୋଲି ବେଆଇନ କାମ ଚାଲିଛି ତାହା ସ୍ପଷ୍ଟ ହୋଇ ଯାଉଛି। ତେଣୁ  ପଥର ଚୋରିର ଚେର କେତେବାଟ ଲମ୍ବିଛି, ଏହାର ବିଧିବଦ୍ଧ ତଦନ୍ତ ହେବାରେ ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର