ସମ୍ବଲପୁର: ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା ପଥରମାଡ଼ ଘଟଣା ସଂପର୍କରେ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି। ପଥରମାଡ଼ ଘଟଣା ସଂପୂର୍ଣ୍ଣ ଯୋଜନାବଦ୍ଧ ଥିଲା ବୋଲି ଆଜି ସମ୍ବଲପୁର ଏସ୍ପି ବି. ଗଂଗାଧର କହିଛନ୍ତି। ଯେଉଁ ଅଂଚଳରେ ପଥରମାଡ଼ ହୋଇଥିଲା ଯାଂଚବେଳେ ସେଠାରୁ ପେଟ୍ରୋଲ୍ ବମ୍ ମିଳିଛି। ଏଥିରୁ ଅଭିଯୁକ୍ତମାନେ ହିଂସା ଭିଆଇବା ପାଇଁ ପୂର୍ବରୁ ଯୋଜନା କରିଥିବା ସ୍ପଷ୍ଟ ହୋଇଛି। ଯେଉଁ ଲୋକଙ୍କ ଘରୁ ପେଟ୍ରୋଲ୍ ବମ୍ ଜବତ ହୋଇଥିଲା, ସେମାନଙ୍କ ଘର ସରକାରୀ ଜମିରେ ରହିଛି କି ନାହିଁ, ତାହା ଯାଂଚ କରାଯାଉଛି। ସେମାନଙ୍କ ଘର ସରକାରୀ ଜମିରେ ଥିଲେ ତାହା ଭଂଗାଯିବ ବୋଲି ସେ କହିଛନ୍ତି। ପଥରମାଡ଼ ଘଟଣାରେ ଯେଉଁମାନ ବି ସଂପୃକ୍ତ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି କହିଛନ୍ତି।
ଏପ୍ରିଲ୍ ୧୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ବାଇକ୍ ରାଲି ସମୟରେ ହୋଇଥିବା ପଥରମାଡ଼ ଘଟଣା ଓ ହନୁମାନ ଜୟନ୍ତୀ ଦିନ ଘଟିଥିବା ଜଳାପୋଡ଼ା ଓ ଭଙ୍ଗାରୁଜା ଘଟଣାରେ ମୋଟ ଗିରଫ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ପଥରମାଡ଼ ଘଟଣାରେ ଗିରଫ ସଂଖ୍ୟା ୨୬ରେ ରହିଥିବା ବେଳେ ପ୍ରତିଦିନ ଭଙ୍ଗାରୁଜା ଓ ଜଳାପୋଡ଼ା ଘଟଣାର ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଭଙ୍ଗାରୁଜା ଓ ଜଳାପୋଡ଼ା ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ଆଉ ୩୦ ଜଣଙ୍କୁ ଗିରଫ କରାଯାଇଛି। ମୋଟ ଉପରେ ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କୁ ଭଙ୍ଗାରୁଜା ଓ ଜଳାପୋଡ଼ା ଘଟଣାରେ ପୁଲିସ ଗିରଫ କରିସାରିଲାଣି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଏସ୍ପି କହିଛନ୍ତି। ପଥରମାଡ଼ ଘଟଣା ଗୋଟିଏ ସ୍ଥାନରେ ଘଟିଥିବା ବେଳେ ତା’ ବିରୋଧରେ ଗୋଟିଏ ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ସେହି ମାମଲାରେ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଭିଡିଓଗ୍ରାଫି ମାଧ୍ୟମରେ ପ୍ରମାଣ ଖୋଜା ଚାଲିଛି। ଆହୁରି ଗିରଫ ହେବେ। ଯେଉଁମାନେ ସହରରେ ଅଛନ୍ତି, ଆମେ ଗିରଫ କରୁଛୁ। ଯେଉଁମାନେ କାର୍ଯ୍ୟାନୁଷ୍ଠାନ ଭୟରେ ପଳାଇ ଯାଇଛନ୍ତି, ସେମାନଙ୍କୁ ମଧ୍ୟ ଟ୍ରାକ୍ ଚାଲିଛି। ପଥରମାଡ଼ ଘଟଣାରେ ଏବେସୁଦ୍ଧା ମୋଟ ୧୦୦ ଜଣଙ୍କୁ ଚିହ୍ନଟ କରାଯାଇଛି।
ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ଛୋଟବଡ଼ ଜଳାପୋଡ଼ା ଓ ଭଙ୍ଗାରୁଜା ଘଟଣାରେ ବିଭିନ୍ନ ଥାନାରେ ମୋଟ ୧୫ଟି ଏତଲା ହୋଇଛି। ଆହୁରି ଯଦି ରିପୋର୍ଟ କରିବେ, ସେଗୁଡ଼ିକ ମଧ୍ୟ ମାମଲା ରୁଜୁ କରାଯିବ। ଶନିବାର ରାତି କୌଣସି ଅଘଟଣ ଘଟିଥିବା ନେଇ ରିପୋର୍ଟ ହୋଇନାହିଁ। ସବୁକିଛି ନିୟନ୍ତ୍ରଣରେ ରହିଛି। ଉଭୟ ଘଟଣାରେ ବହୁତ ଲୋକଙ୍କ ସମ୍ପୃକ୍ତି ରହିଛି। ଉଭୟ ଘଟଣାରେ ନେତୃତ୍ବ ନେଇଥିବା ବ୍ୟକ୍ତିମାନେ ସମ୍ବଲପୁର ସହର ଛାଡ଼ି ଫେରାର୍ ହୋଇଛନ୍ତି। ସେମାନଙ୍କ ଉପରେ ମଧ୍ୟ ନଜର ରହିଥିବା ଏସ୍ପି କହିଛନ୍ତି।