ପଥୁରିଆ ଜମି ଏବେ ଶ୍ୟାମଳ ଜଙ୍ଗଲ: ଲଣ୍ଡେଇହିଲ୍ ଗ୍ରାମବାସୀଙ୍କ ‌ସ୍ଳୋଗାନ ‘ବଞ୍ଚିଲେ ବନ, ବଞ୍ଚେ ଜୀବନ’

ପାଳିରେ ପ୍ରତ୍ୟହ ୪ ପରିବାର କରୁଛନ୍ତି ଠେଙ୍ଗା ପହରା

ପ୍ରତାପୁର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେଞ୍ଜ୍ ଲଣ୍ଡେଇହିଲ୍ ବନସୁରକ୍ଷା ସମିତିର ଉଦ୍ୟମରେ ଦିନେ ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ଥିବା ପଥୁରିଆ ଜମି ଆଜି ଶ୍ୟାମଳ ଜଙ୍ଗଲରେ ପରିଣତ ହୋଇଛି। ଗ୍ରାମବାସୀଙ୍କ ଏହି ପ୍ରୟାସକୁ ନେଇ ସବୁଠି ଚର୍ଚ୍ଚା।

ପ୍ରତାପୁର ପଞ୍ଚାୟତର ଲଣ୍ଡେଇହିଲ୍ ହେଉଛି ଏକ ଛୋଟିଆ ଗ୍ରାମ। ବନ ବିଭାଗର ସହଯୋଗରେ ଗ୍ରାମବାସୀ ଗତ ୫ ବର୍ଷ ହେଲା ବନ ସୁରକ୍ଷା ସମିତି ଗଠନ କରିଛନ୍ତି। ଯାହାର ଲକ୍ଷ୍ୟ ଓ ନାରା ହେଉଛି, ‘ବଞ୍ଚିଲେ ବନ ବଞ୍ଚେ ଜୀବନ’ । ଆଉ ଏହି ଅଭିଯାନକୁ ସଫଳ କରିବାକୁ ଯାଇ ଗ୍ରାମବାସୀ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ ଏକର ଏକର ପଥୁରିଆ ଖାଲି ଜମି ଗୁଡ଼ିକରେ ଗ୍ରାମବାସୀ ଗତ ପାଞ୍ଚବର୍ଷ ହେଲା ଆକାଶିଆ ଓ ଶାଗୁଆନ ଭଳି ବିଭିନ୍ନ ପ୍ରକାରର ସହସ୍ରାଧିକ ମୂଲ୍ୟବାନ ଗଛ ଲଗାଇଛନ୍ତି। ଯାହାକି, ଏବେ ଘଞ୍ଚ ଶ୍ୟାମଳ ଜଙ୍ଗଲରେ ପରିଣତ ହୋଇଛି। କାଠ ଚୋରକୁ ଜଗିବା ସହ ଜଙ୍ଗଲର ସୁରକ୍ଷା ପାଇଁ ପାଳି କରି ଦିନକୁ ୪ ପରିବାର ଠେଙ୍ଗା ଧରି ଜଗୁଛନ୍ତି। ଗ୍ରାମ ସଭାପତି ବିଶ୍ୱନାଥ ନାଇକ ଏହାର ନେତୃତ୍ବ ନେଇଛନ୍ତି। କେବଳ ଏତିକି ନୁହେଁ, କିଛି ପର୍ବପର୍ବାଣୀ ଆସିଲେ ଗ୍ରାମବାସୀ ଏହି ଜଙ୍ଗଲରେ ଏକାଠି ହୋଇ ଭୋଜିଭାତ ଆୟୋଜନ କରିଛନ୍ତି। ଗ୍ରାମବାସୀ ଏଭଳି ପଦକ୍ଷେପକୁ ବନ ବିଭାଗ ମଧ୍ୟ ପ୍ରଶଂସା କରିବା ସହ ସମସ୍ତ ପ୍ରକାର ସହଯାଗ କରୁଛି।

ଗ୍ରାମବାସୀଙ୍କ ପାଇଁ ଓଡ଼ିଶା ଫରେଷ୍ଟ ସେକ୍ଟର ଡେଭଲପ୍‌ମେଣ୍ଟ ଜରିଆରେ ଭିଏସ୍‌ଏସ୍ କୋଠା ନିର୍ମାଣ କରାଯାଇଛି। ଏସ୍‌ଏଚଜି ଗୋଷ୍ଠୀମାନଙ୍କ ଜରିଆରେ ଗ୍ରାମବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଉତ୍ତର ଘୁମୁସର ବନାଞ୍ଚଳ ଅଧିକାରୀ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। ଲଣ୍ଡେଇହିଲ୍ ବନ ସୁରକ୍ଷା ସମିତିର ଏଭଳି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଆହୁରି ଅଧିକ ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର