ବାବୁସାନ୍‌ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଝଡ଼, ଦିନସାରା ହାଇଡ୍ରାମା

ରାସ୍ତାରେ ମାଡ଼ ମାରିଲେ ସ୍ତ୍ରୀ ତୃପ୍ତି

ଭୁବନେଶ୍ବର : ଓଲିଉଡ୍‌ ଚକ‌ଲେଟ୍‌ ବୟ ବାବୁସାନ୍‌ ଓ ଚୁଲୁବୁଲି ନାୟିକା ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ଝଡ଼ ଉଠିଛି। ନିଜେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଶନିବାର ଦିନ ବିଚ୍ ରାସ୍ତାରେ ବାବୁସାନ୍‌ ଓ ପ୍ରକୃତିଙ୍କୁ ଟଣାଓଟରା କରିବା ଭଳି ଦୃଶ୍ୟର ଭିଡିଓ ଭାଇରାଲ୍‌ ହେବା ପରେ ରାଜ୍ୟର ସବୁ ମହଲରେ ହଟଚମଟ ସୃଷ୍ଟି ହୋଇଛି। କଥା କେବଳ ଭିଡିଓ ଭାଇରାଲ୍‌ରେ ସୀମିତ ହୋଇ ରହିନାହିଁ, ଘଟଣା କମିସନରେଟ୍‌ ପୁଲିସ ପାଖରେ ପହଞ୍ଚିଛି। ଏନେଇ ଖାରବେଳନଗର ଥାନାରେ ଦୁଇ ଦୁଇଟି ମାମଲା ରୁଜୁ ହୋଇଛି। ପ୍ରକୃତି ମିଶ୍ରଙ୍କ ବାପା ବିଶିଷ୍ଟ ସଂଗୀତଜ୍ଞ ମନ୍ମଥ ମିଶ୍ର ତାଙ୍କ ଝିଅକୁ ରାସ୍ତାରେ ଗୁଣ୍ଡା ଲଗାଇ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ବାବୁସାନ୍‌ଙ୍କ ଶ୍ବଶୁର ଲଳିତ ଏବଂ ତୃପ୍ତି ଶତପଥୀ ଏଭଳି କାଣ୍ଡ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିଭଳି ତୃପ୍ତି ମଧ୍ୟ ଥାନାରେ ସ୍ବାମୀ ବାବୁସାନ ଓ ପ୍ରକୃତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ୨ ବର୍ଷ ହେଲା ବାବୁସାନ୍‌କୁ କରାୟତ୍ତ କରି ପ୍ରକୃତି ତାଙ୍କ ପରିବାରକୁ ଉଜାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ତୃପ୍ତିଙ୍କ ସହ ବାବୁସାନ୍‌ଙ୍କ ମା’ ତଥା ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଉପସ୍ଥିତ ରହି ବୋହୂକୁ ନୈତିକ ସମର୍ଥନ ଦେଉଥିବା ଦେଖିବାକୁ ମିଳିଥିଲା। ବାବୁସାନ୍‌-ପ୍ରକୃତିଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଛି ବୋଲି ଶାଶୁବୋହୂ ପରୋକ୍ଷରେ ଇଙ୍ଗିତ କରିଛନ୍ତି। ପୁଲିସ ଦୁଇ ପକ୍ଷର ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ ଶନିବାର ସକାଳ ପ୍ରାୟ ୮ଟା ବେଳେ ବାବୁସାନ୍‌ ଓ ପ୍ରକୃତି ଚେନ୍ନାଇ ଯିବା ପାଇଁ ସତ୍ୟନଗରରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ବାହାରୁଥିଲେ। ଉତ୍କଳ ଆସୋସିଏସନ୍‌ ଅଫ୍ ମାଡ୍ରାସ୍‌ ପକ୍ଷରୁ ଚେନ୍ନାଇରେ ଥିବା ଓଡ଼ିଆମାନଙ୍କ ସହିତ ଏକ ଉତ୍ସବ‌ରେ ଅତିଥି ଭାବେ ଯୋଗ ଦେବାକୁ ସେମାନଙ୍କୁ ନିମନ୍ତ୍ରଣ ମିଳିଥିବାରୁ ସେମାନେ ଏକାଠି ହୋଇ ବାହାରିଥିଲେ। ମାତ୍ର ହଠାତ୍ ତାଙ୍କ କାର୍‌କୁ ଅଟକାଇଥିଲେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି। ଭାଇରାଲ୍‌ ହୋଇଥିବା ଭିଡିଓର ଦୃଶ୍ୟ ଅନୁସାରେ ତୃପ୍ତିଙ୍କ ସହ କିଛି ଯୁବକ ଥିଲେ ଓ ସେମାନେ ମୋବାଇଲ୍‌ରେ ଭିଡିଓ ସୁଟ୍‌ କରୁଥିଲେ। ତୃପ୍ତି ପ୍ରଥମେ ବାବୁସାନ୍‌ଙ୍କୁ ଟଣାଓଟରା କରିଥିଲେ। ସେହିଭଳି କାର୍‌ ଭିତରେ ସେ ପ୍ରକୃତିଙ୍କ ଚୁଟି ଟାଣି ମାଡ଼ ମାରିବା ସହ ବାହାରେ ବି ମାଡ଼ ମାରିବାକୁ ଗୋଡ଼ାଇଥିଲେ। ପ୍ରକୃତି ତାଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଧାଇଁଧାଇଁ ଏକ ଅଟୋ ପାଖରେ ଅଟକିବା ବେଳେ ତୃପ୍ତି ସେଠା‌ରେ ତାଙ୍କୁ ଧକ୍କା ମାରିବା ଦେଖାଯାଇଛି। ତେବେ ଏହି ଗଣ୍ଡ‌ଗୋଳ ପରେ ବାବୁସାନ୍‌ ଓ ପ୍ରକୃତି ବିମାନବନ୍ଦର ଯାଇଥିଲେ ଓ ସେଠାରୁ ଚେନ୍ନାଇ ଚାଲି ଯାଇଥିଲେ।

କିନ୍ତୁ ଭିଡିଓ ଭାଇରାଲ୍ ହେବା ପରେ ଆରମ୍ଭ ହେଲା ମାମଲା ଖେଳ। ବାବୁସାନ୍‌ ଓ ପ୍ରକୃତି ଚେନ୍ନାଇରେ ପହଞ୍ଚି ଯାଇଥିବା ବେଳେ ଦୁଇ ପରିବାର ପକ୍ଷରୁ ଖାରବେଳ ନଗର ଥାନ‌ାରେ ଦାଖଲ ହେଲା ଅଭିଯୋଗ। ପୂର୍ବାହ୍ନରେ ଥାନାକୁ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଓ ମା’ କୃଷ୍ଣାପ୍ରିୟା ଆସିଥିଲା ବେଳେ ସନ୍ଧ୍ୟାରେ ବାବୁସାନ୍‌ଙ୍କ ମା’ ଅପରାଜିତା ମହାନ୍ତି ଓ ପତ୍ନୀ ତୃପ୍ତି ଆସିଥିଲେ। ସେମାନଙ୍କୁ ଦେଖିବା ପାଇଁ ଥାନା ସାମ୍ନାରେ ଦିନତମାମ ପ୍ରବଳ ଭିଡ଼ ହୋଇଥିଲା।

ଗୁଣ୍ଡାମାନଙ୍କୁ ସାଙ୍ଗରେ ଆଣି ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ତାଙ୍କ ଝିଅ ପ୍ରକୃତି ମିଶ୍ରଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ବୋଲି ବାପା-ମା’ ଏତଲାରେ ଦର୍ଶାଇଛନ୍ତି। ବାବୁସାନ୍‌ ଓ ପ୍ରକୃତି ଭଲ ବନ୍ଧୁ ଓ ଅନ୍ୟ କିଛି ନୁହେଁ ବୋଲି ସେମାନେ କହିଛନ୍ତି। କିନ୍ତୁ ପାଲଟା ଅଭିଯୋଗରେ ପ୍ରକୃତି ମିଶ୍ରଙ୍କ ନାଁରେ ସଂଗିନ୍ କଥା ଉଲ୍ଲେଖ କରିଛନ୍ତି ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି। ବାବୁସାନ୍‌କୁ ପାଖରେ ରଖି ପ୍ରକୃତି ତାଙ୍କ ପରିବାରରେ ଝଡ଼ ସୃଷ୍ଟି କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ବାବୁସାନ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତୃପ୍ତି। ପୁଲିସ ଉଭୟ ପକ୍ଷଙ୍କ ବୟାନ୍‌ ରେକର୍ଡ କରିଛି ଓ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଏହି ବିବାଦକୁ ନେଇ ବାବୁସାନ୍‌ଙ୍କ ବାପା ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ନିଜ ପୁଅକୁ ଦୋଷ ଦେଇଛନ୍ତି। ଗଣମାଧ୍ୟମକୁ ଉତ୍ତମ କହିଛନ୍ତି, ଆପଣା ସୁନା ତ ଭେଣ୍ଡି। ମୋ ପୁଅକୁ ଏନେଇ ବହୁଥର ପଚାରିଛି। ତା’ ମା ବି ତାକୁ ବୁଝାଉଥିଲା। ଏବେ ତାକୁ ପୁଣି ବୁଝାଇବୁ। ଆଜି ବାବୁସାନକୁ ଫୋନ୍‌ କରିଥିଲି। ସେ ଉଠାଇଲାନି। ବହୁଦିନ ଧରି ପୁଞ୍ଜିଭୂତ କ୍ଷୋଭର ଆଜି ପରିପ୍ରକାଶ ଘଟିଛି।

ତେବେ ବାବୁସାନ୍ ଓ ପ୍ରକୃତି ସେମାନଙ୍କ ଭିତରେ କୌଣସି ଅନୈତିକ ସମ୍ପର୍କକୁ ଅସ୍ବୀକାର କରିଛନ୍ତି। ସେମାନେ କେବଳ ସାଙ୍ଗ ବୋଲି ବିଭିନ୍ନ ଗଣମାଧ୍ୟମକୁ ଫୋନ୍ ଯୋଗେ କହିଛନ୍ତି। ବାବୁସାନ୍‌ ସ୍ତ୍ରୀ ତୃପ୍ତିଙ୍କୁ ଦୋଷ ନ ଦେଇ ଫିଲ୍ମ ଦୁନିଆ ବିଷୟରେ ତାଙ୍କର ଜ୍ଞାନ ନଥିବା କହି ମାମଲାକୁ ହାଲ୍‌କା କରିବାକୁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର