ବାତ୍ୟା ରୂପ ନେଲା ଅବପାତ, ବାଂଲାଦେଶ ମୁହାଁ ’ସିତ୍ରାଙ୍ଗ’

ବିଦାୟ ନେଲା ମୌସୁମୀ, ଆଜିଠୁ ଥଣ୍ଡା ପଡ଼ିବ

ଭୁବନେଶ୍ବର : ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଥିସହ ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ରବିବାର ଦିନ ଅଧିକ ଘନୀଭୂତ ହୋଇ ସକାଳେ ଗଭୀର ଅବପାତରେ ପରିଣତ ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ବାତ୍ୟା(ସିତ୍ରାଙ୍ଗ)ରେ ପରିଣତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବାତ୍ୟା ଘଣ୍ଟା ପ୍ରତି ୧୧ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାନ କରିଛି। ପରେ ଏହା ମୋଡ଼ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତା ୨୫ ତାରିଖରେ ବାଂଲାଦେଶର ତିନ୍‌କୋନା ଓ ସାନଦୀପ ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୪ରୁ ୨୫ ତାରିଖରେ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ବର୍ଷାର ପରିମାଣ ବଢ଼ିବା ସହ ପବନ ବି ବଢ଼ିବ। ତେଣୁ ୨୪ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର। ଏହାସହ ୨୫ ତାରିଖରେ ଉତ୍ତର ଉପକୂଳର ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ତଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବହିବାର ଆକଳନ କରିଛି ପାଣିପାଗ ବିଭାଗ। ଗୋପାଳପୁର, ପାରାଦୀପ, ପୁରୀ ଓ ଧାମରା ବନ୍ଦର ପାଇଁ ବିପଦ ସଂକେତ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ ୩ ଦିନ ହେଲା ରାଜ୍ୟରେ ରାତି ତାପମାତ୍ରା କିଛି କମିଛି। ଆସନ୍ତା ୨ ଦିନ ଉପକୂଳରେ ଆଂଶିକ ମେଘୁଆ ପାଗ ରହିବ। ଆଭ୍ୟନ୍ତରରେ ପାଗ ଖରାଟିଆ ରହିବ। ୨୬ ତାରିଖରେ ଉପକୂଳର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ବାତ୍ୟା ଯୋଗୁଁ ଉପକୂଳ ସମେତ ସାରା ରାଜ୍ୟରେ ବର୍ଷା ହେବାର ସଙ୍କେତ ମିଳୁନାହିଁ। ଆଭ୍ୟନ୍ତରୀଣ ଉତ୍ତରରେ ୨୪ ତାରିଖ (ସୋମବାର)ରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିବ। ୨୯ ତାରିଖରେ ପୁଣି ୧ ଡିଗ୍ରି କମି ତା’ ପର ଦୁଇ ଦିନ ଅପରିବର୍ତ୍ତିତ ରହିବ। ଆଭ୍ୟନ୍ତରୀଣ ଦକ୍ଷିଣରେ ୨୫ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରି କମି ୨୭ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଆସନ୍ତା ୨୫ ତାରିଖରୁ ରାଜ୍ୟକୁ ଉତ୍ତର ଭାରତରୁ ଉତ୍ତର-ପଶ୍ଚିମ ପବନ ବହିବା ଯୋଗୁଁ ତାପମାତ୍ରା କମିବ।

Image Courtesy of Zee News

ଅପରପକ୍ଷରେ ଚଳିତ ବର୍ଷ ଦେଶରେ ମୌସୁମୀ ବାୟୁ ପ୍ରଭାବରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଯାଇଛି। ଗତ ସେପ୍ଟେମ୍ବର ୨୯ରୁ ରାଜଧାନୀ ଦିଲ୍ଲୀରୁ ମୌସୁମୀ ବିଦାୟ ନେଇଥିଲା। କେବଳ ସେପ୍ଟେମ୍ବର ମାସରେ ଉତ୍ତର ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ୬% ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ଆକଳନ କରିଛି। ଯାହା ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରେ ସୃଷ୍ଟି ହେଉଥିବା ନିଅଣ୍ଟ ସ୍ଥିତିକୁ ଭରଣା କରିବାରେ ସହାୟକ ହୋଇଛି।

ସାଧାରଣତଃ ଅକ୍ଟୋବରର ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଉତ୍ତର-ପଶ୍ଚିମ, ଉତ୍ତର ଓ ଇଣ୍ଡୋ-ଗାଙ୍ଗେଟିକ୍ ସମତଳର ଅନେକ ଅଂଶରୁ ଦୂରେଇ ଯାଇଥାଏ। ଓଡ଼ିଶାରୁ ମଧ୍ୟ ଅକ୍ଟୋବର ୨୧ରେ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିଲା ମୌସୁମୀ। ଏବେ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେଇଥିବା ବେଳେ ଚଳିତ ବର୍ଷର ମୌସୁମୀ ଋତୁ ଶେଷ ହୋଇଛି। ଅନ୍ୟପଟେ ଆସନ୍ତାକାଲି ରାଜ୍ୟର ଉଭୟ ଦିନ ଓ ରାତ୍ରି ତାପାମାତ୍ରାରେ ହ୍ରାସ ଘଟିବ ଓ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର