ଜୟପୁର : ପଣତ କାନି। କେତେବେଳେ ଏହା ପୁଅଙ୍କ ପାଇଁ ଶ୍ରୀକ୍ଷେତ୍ରର ନେତ ତ ଆଉ କେତେବେଳେ ସ୍ୱାମୀ ପାଇଁ ଜୀବନର ଆଶାବାଡି। ଆଉ ସେ କେତେବେଳେ ଜୀବନ ସହ ଯୁଝୁଥିବା ଆତ୍ମୀୟ ସ୍ୱଜନଙ୍କ ପାଇଁ ଆଶ୍ରା। ଏପରି ଜଣେ ମହିଳା ଯିଏ କି ତାଙ୍କ ପଣତକାନିରେ ସାଇତିଛନ୍ତି ନିଜ ସ୍ୱାମୀଙ୍କ ସହ ତିନିପୁଅଙ୍କୁ। ବର୍ଷ ନୁହେଁ କି ଦୁଇବର୍ଷ ନୁହେଁ ଦୀର୍ଘ ୧୨ ବର୍ଷ ହେଲା ଜୀବନମରଣ ସହ ଲଢୁଥିବା ପରିବାର ସଦସ୍ୟଙ୍କ ପାଇଁ ସେ ପାଲଟିଛନ୍ତି ମା, ସ୍ତ୍ରୀ ଓ ସେବିକା। ଆମେ କହୁଛୁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ଅନ୍ତର୍ଗତ ତଳଜଗନ୍ନାଥପୁର ଅଞ୍ଚଳର ଏକ ଅଭିଶପ୍ତ ପରିବାରରେ ରହୁଥିବା ୮୦ ବର୍ଷୀୟ ମହିଳା ବି.ଶିବୁଲକ୍ଷ୍ମୀ ରାଓଙ୍କ କଥା। ଏମିତି ଏକ ଅଭିଶପ୍ତ ପରିବାର ଯାହାଙ୍କ ସ୍ୱାମୀ ବି.ଶ୍ରୀରାମଲୁଙ୍କୁ ପକ୍ଷାଘାତ, ବଡ ପୁଅ ଡି.ଲକ୍ଷ୍ମଣ ରାଓଙ୍କୁ ମୁଖ କର୍କଟ, ମଝିଁଆ ପୁଅ ଡି.ଜନାର୍ଦ୍ଦନ ରାଓଙ୍କୁ ପକ୍ଷାଘାତ ଓ ସାନପୁଅ ବି.ଶ୍ରୀଧରଙ୍କୁ ଆଣ୍ଠୁଗଣ୍ଠି ବ୍ୟଥା।
/sambad/media/post_attachments/wp-content/uploads/2020/04/panat-kanire-4-jiban-4-300x138.jpg)
ଖାଲି ସେତିକି ନୁହେଁ ସମସ୍ୟା ଯେମିତି ଭଗବାନ ଏମାନଙ୍କ ଉପରେ ବୋଝ ଉପରେ ଲଦି ଦେଇଛନ୍ତି ଲଳିତାବିଡା। ପୁରା ପରିବାରକୁ ନିଜ ପଣତରେ ବୋହି ବୋହି ନିଜ ଅଷ୍ଟାରେ ମଧ୍ୟ ଆଉ ଯୁ ନାହିଁ। ବୟସର ଅପରାହ୍ନରେ ସେ ଭଗବାନଙ୍କୁ ଡାକି ଡାକି ଥକି ଗଲେଣି ହେଲେ ବି ତାଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। ଆଉ ସମୟେ ସମୟେ ଏପରି ଅଣ୍ଟାରେ କଷ୍ଟ ହେଉଛି ଯେ ଜୀବନ ଛାଡି ଯାଉ ସିନା କଷ୍ଟ ନ ହେଉ ପରି। ଏପଟେ ଗରିବି, ଅସହାୟତା ଓ ଭେଣ୍ଡାପୁଅଙ୍କ ଦୁୁର୍ଦ୍ଦିନରେ ହାତ ଧରିଥିବା ସ୍ୱାମୀଙ୍କ କଥା ନ କହିଲେ ଭଲ। ବେଳେବେଳେ ତାଙ୍କ ସ୍ୱାମୀଙ୍କ ମୁଣ୍ଡକୁ ଏପରି ରାଗ ଉଠୁଛି ଯେ ସେ ଅମାନିଆ ହେଉଛନ୍ତି। ଆଉ ବଡ ପାଡିରେ ଚିତ୍କାର କରି କଣ କଣ କହି ପ୍ରମାଦ ଗଣୁଛନ୍ତି ବୋଲି କହିଛନ୍ତି ଶିବୁଲକ୍ଷ୍ମୀ। ଯେଉଁ ବୟସରେ ନାତିନାତୁଣୀଙ୍କ ସହ ସମୟ ବିତାଇବା କଥା ସେହି ସମୟରେ ଜୀବନମରଣ ସହ ଲଢୁଥିବା ତିନିପୁଅ ଓ ସ୍ୱାମୀଙ୍କ ପେଟ ଚାଖଣ୍ଡକ ପାଇଁ ଚିନ୍ତା।
ଖାଲି ସେତିକି ନୁହେଁ ସମୟ ଥିଲା ସୁନାରୀ ସାହିରେ ଜଣ ଭଲ ସୁନା ବ୍ୟବସାୟୀ ଥିଲେ ତାଙ୍କ ସ୍ୱାମୀ। ଏକ ସମୟରେ ସେ କୋଟି କୋଟି ଟଙ୍କା, ସୁନାଅଳଙ୍କାର ସହ ଅଚଳାଚଳ ସମ୍ପତ୍ତି ଥିଲା। ଏବେ ଯଦିଓ ଏହି ସମ୍ପତ୍ତି ନାହିଁ କି ପଡିଛି କପୂରରୁ ଉଡିଯାଇଥିବା କନା। ତେବେ ସେ ସହର ଛାଡି ଆସି ଜୟପୁର ତଳଜଗନ୍ନାଥପୁରରେ ରହୁଥିଲେ। ସେଠାରେ ତିନିପୁଅ ଓ ବାପା ମିଶି ଚାଷବାସ କରି ପରିବାର ପ୍ରତିପୋଷଣ କରିବା ସହ ସାନ ଭଉଣୀଙ୍କୁ ମଧ୍ୟ ବିବାହ କରାଇଥିଲେ। ହେଲେ ୧୨ ତଳେ ହଠାତ ମଝିଆପୁଅ ଜନାର୍ଦ୍ଦନଙ୍କୁ ପକ୍ଷାଘାତ ରୋଗ ଆକ୍ରମଣ କଲା। ଏହାପରେ ପରେ ସ୍ୱାମୀଙ୍କ ମଧ୍ୟ ମାରିଲା ପକ୍ଷାଘାତ। ଦୁହେଁ ଶଯ୍ୟାସାୟୀ ହେବା ପରେ ବଡ ଓ ସାନ ପୁଅ ଚାଷବାସ କରି ପରିବାର ଚଳାଉଥିଲେ। ହେଲେ ୩ବର୍ଷ ହେବ ପୁଅ ଲକ୍ଷ୍ମଣକୁ ମୁଖରେ ଯନ୍ତ୍ରଣା ହେବା ସହ ଦେହ ଭଲ ହେଲାନି। ବହୁ ସହାଯ୍ୟ ଓ ସହଯୋଗରେ ଡାକ୍ତରଖାନାରେ ଦେଖାଇବା ପରେ ଲକ୍ଷ୍ମଣକୁ କଟକ ନେଇଗଲେ ସାନଭାଇ ଶ୍ରୀଧର। ପରେ ଜଣାପଡିଲା ଯେ ତାଙ୍କୁ କର୍କଟ ହୋଇଛି ବୋଲି। ସେଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାପରେ ଭଲ ହୋଇଥିଲେ। ମୁଖ କର୍କଟ ରୋଗସହ ଲଢୁଥିବା ଲକ୍ଷ୍ମଣଙ୍କୁ ନେଇ ସାନଭାଇ ଶ୍ରୀଧର କଟକରୁ ଚଳିତମାସ ୨୫ ତାରିଖରେ ଫେରିଥିଲେ। ମହାମାରୀ କରୋନା ହେତୁ ଏକ ଗାଡି କରି ସେଠାରୁ ଆସି ପହଞ୍ଚିବାପରେ ଦୁଇଦିନର ଔଷଧ ଶେଷ ହୋଇଯାଇଥିଲା। ଶ୍ରୀଧର ବଜାରକୁ ଔଷଧ ଆଣିବାକୁ ଯାଇଥିବାବେଳେ ଗାଁ ଲୋକେ ବିରୋଧ କରିଥିଲେ। ପରେ ତାଙ୍କୁ ଓ ତାଙ୍କ ପରିବାରକୁ ଟେକାପଥର ମାଡ କରି ମାରିଦେବାକୁ ଧମକ ଦେଇଥିଲେ। ଭୟରେ ପରିବାର ଛାଡି ସେ ଟାଙ୍କୁଆ ସ୍କୁଲରେ ଥିବା ସଙ୍ଗରୋଧ ଗୃହରେ ରହୁଥିବାବେଳେ ତାଙ୍କ ସହ ଜଡିତଥିବା ୪ ପ୍ରାଣି ସଂସାର ଏପଟେ ଛଟପଟ ହେଉଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2020/04/panat-kanire-4-jiban-2-300x225.jpg)
ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ ଘର ଏପରି ହୋଇଛି ଯେ କେତେବେଳେ ବି କିଛିବି ଅଘଟଣ ଘଟିପାରେ। ଚାରିପଟ କାନ୍ଥ ଫାଟି ଆଁ କରିଥିବାବେଳେ ସମ୍ମୁଖରୁ ଭାଙ୍ଗିପଡିଛି। ଉପରେ ପାଲ ପକାଇ ଏହି ପରିବାର ରହୁଛନ୍ତି। ଏବେ କରୋନା ହେତୁ ସରପଞ୍ଚଙ୍କ ପକ୍ଷରୁ ଯାହା ଗଣ୍ଡେ ଖାଇବାକୁ ମିଳୁଛି ସିନା ସେତକ ବନ୍ଦ ହୋଇଗଲେ ଏପରି ପରିବାର କିପରି ରହିବେ ତାହା ଭଗବାନଙ୍କୁ ଜଣା। ତେବେ କେବେ ଏହି ପରିବାରକୁ ପ୍ରଶାସନର ଶୁଭଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/panat-kanire-4-jiban.jpg)