ଯାଜପୁରସଦର, (ଅନିଲ କୁମାର ପଣ୍ଡା): ‘ପରିବେଶ ବଞ୍ଚିଲେ ସମାଜ ବଞ୍ଚେ। ବହୁବର୍ଷ ପୂର୍ବରୁ ରେଡିଓରୁ ଶୁଣିଥିବା ଏହି ବାର୍ତ୍ତା ତାଙ୍କୁ ପ୍ରେରଣା ଦେଇଛି ଗଛ ଲଗାଇବାକୁ। ଧୀରେଧୀରେ ଗଛ ଲଗାଇବା ନିଶା ପାଲଟିଯାଇଛି। ବରଂ ଖାଇବା ସେ ଭୁଲିଯାଆନ୍ତି, କିନ୍ତୁ ଗଛ ଲଗାଇବା ଛାଡ଼ି ନାହାନ୍ତି। ପ୍ରତିଦିନ ୧୦-୧୫ଟି କରି ଗଛ ଲଗାଇ ଚାଲିଛନ୍ତି। ପେଟରୁ କାଟି​ ସେ ଚାରା କିଣନ୍ତି ଆଉ ତାକୁ ଲଗାଇ ନିଜ ପିଲା ପରି ଯତ୍ନ ନିଅନ୍ତି। ମଜୁରି ଅର୍ଥରେ ଗଛ ଲଗାଉଥିବା ଏହି ମେହେନତି ମଣିଷ ହେଉଛନ୍ତି ଗୁଣ୍ଠିରାମ ଜେନା (୬୦)। ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତ ଉଆସାହି ଗ୍ରାମର ଗୁଣ୍ଠିରାମ ୨୦ ବର୍ଷ ବୟସରେ ପ୍ରଥମେ ଚାରାଟିଏ ପୋତିଥିଲେ। ଆଜିଯାଏ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଗଛ ଲଗାଇ ସାରିଲେଣି ସେ। ସେହି ଫଳନ୍ତି ଗଛଗୁଡ଼ିକ ଯେମିତି ତାଙ୍କୁ ସବୁବେଳେ ହାତଠାରି ଡାକୁଥାନ୍ତି। କେତେବେଳେ ସେ ଚାରାଟିଏ​ ନେଉଥିବାର ତ ପୁଣି କେବେ ଚାରା ମୂଳେ ପାଣି ଦେଇ ବାଡ଼ ବାନ୍ଧୁଥିବାର ଦେଖିବାକୁ ମିଳନ୍ତି। ଏଥିପାଇଁ ତାଙ୍କୁ କେହି ଡାକନ୍ତି ଟ୍ରି ମ୍ୟାନ ତ ଆଉ କିଏ କିଏ କହନ୍ତି ଗଛ ମଣିଷ। ୪୦ ବର୍ଷ ମଧ୍ୟରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ନିଜକୁ ସେ ହଜାଇ ଦେଇଛନ୍ତି ପରିବେଶ ପ୍ରେମରେ।

Advertisment

ଗଛ ଲଗାଇବା ବିଷୟରେ ସେ କହନ୍ତି, ୪୦ ବର୍ଷ ତଳେ ରେଡିଓରୁ ଦିନେ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ବିଷୟରେ ଶୁଣିଥିଲେ। ଏହା ତାଙ୍କ ମନକୁ ପାଇଥିଲା। ସେବେଠାରୁ ସ୍କୁଲ, କଲେଜ, ମଠ ମନ୍ଦିର, ଅନାବାଦୀ ଗୋଚର ଆଦି ଖାଲି ଜାଗାରେ ପ୍ରାୟ ୧୦ଟି ପଞ୍ଚାୟତରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଗଛ ଲଗାଇ ସାରିଛନ୍ତି। ଏଥିପାଇଁ ସେ କେଉଁଠାରୁ ସହାୟତା ପାଇନାହାନ୍ତି। ତାଙ୍କର ପରିଶ୍ରମକୁ ହରିଲୁଟ୍‌ କରିବାକୁ ମଧ୍ୟ ଉଦ୍ୟମ ହୋଇଛି। ତାଙ୍କ ବଗିଚାକୁ ମନରେଗା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂରାଇ ଅର୍ଥ ଚଳୁ କରିବାର ପ୍ରୟାସ ହୋଇଛି। ତାଙ୍କ ଦ୍ବାରା ସୃଷ୍ଟ ବଗିଚାରେ ମନରେଗା ଫଳକ ନିର୍ମାଣ କରି ଖର୍ଚ୍ଚ ଦିଆଯିବ ବୋଲି କେତେକ ମୁଖିଆ ଲୋକ ତାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲେ ବି ସେମାନେ ସଫଳ ହୋଇପାରି ନାହାନ୍ତି।

ପରିବେଶ ସୁରକ୍ଷା ଦିଗରେ ଏହି ଉତ୍ସର୍ଗିକୃତ କାର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୮ରେ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଏହାବାଦ୍‌ ସରକାରୀସ୍ତରରେ ତାଙ୍କୁ ଆଉ କୌଣସି ପ୍ରୋତ୍ସାହନ ମିଳିନାହିଁ। ବେସରକାରୀ ଭାବେ ବାଞ୍ଛାନିଧି ବୈଶାଖ ପୂର୍ଣ୍ଣିମା ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରିବେଶ ସୁରକ୍ଷା ପ୍ରତି ତାଙ୍କ ଅବଦାନ ତୁଳନାରେ ସେ ସେଭଳି ସ୍ବୀକୃତି ପାଇନାହାନ୍ତି, ଯାହା ବିଡ଼ମ୍ବନା। ତେବେ ଗୁଣ୍ଠିରାମଙ୍କ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ ମଲ୍ଲିକ କହିଛନ୍ତି।