ବଲାଙ୍ଗୀର: କେନ୍ଦୁପତ୍ରକୁ ସବୁଜ ହୀରା କୁହାଯାଏ। ସରକାର ଏଥିରୁ ବାର୍ଷିକ କୋଟି କୋଟି ଟଙ୍କା ପାଉଛନ୍ତି। କିନ୍ତୁ କେନ୍ଦୁପତ୍ର ତୋଳିବାଠାରୁ ଆରମ୍ଭ କରି ବନ୍ଧେଇ ପର୍ଯ୍ୟନ୍ତ ନିୟୋଜିତ ରହୁଥିବା ଲୋକଙ୍କ ଅବସ୍ଥା ଅତି ଶୋଚନୀୟ। ସ୍ଥିତି ଏଭଳି ଯେ ଫଡ଼ିରେ ପରିବାରବର୍ଗଙ୍କ ସହ ରହୁଥିବା ପିଲାମାନେ ପୋଷଣଯୁକ୍ତ ଖାଦ୍ୟରୁ ବଞ୍ଚିତ ରହୁଛନ୍ତି।
ସୂଚନା ଅନୁସାରେ, ଫଡ଼ିରେ ନିୟୋଜିତ ବନ୍ଧାଳିଙ୍କୁ ୫.୩୦୦ କିଲୋର ପତ୍ର ବିଡ଼ା ପାଇଁ ୮୩ ଟଙ୍କାର ପାରିଶ୍ରମିକ ମିଳୁଛି। ଫଡ଼ି ବନ୍ଦ ହେବାପରେ ହିଁ ସେମାନଙ୍କୁ ସବୁ ଟଙ୍କା ମିଳିଥାଏ। ସପ୍ତାହକୁ ସେମାନଙ୍କୁ ‘ଖାଉରି’ ବା ଖାଇବାକୁ ଥରେ ଟଙ୍କା ଦିଆଯାଇଥାଏ। ଯାହା ସେମାନଙ୍କ ମୂଳ ପାଉଣାରୁ ପୁଣି କାଣ୍ଟଛାଣ୍ଟ ହୋଇଥାଏ। କିନ୍ତୁ ତୋଳାଳିଙ୍କୁ ‘ଖାଉରି’ ବାବଦକୁ ମିଳୁଥିବା ଟଙ୍କା ସେମାନଙ୍କ ଗୁଜୁରାଣ ମେଣ୍ଟାଇବାରେ ହିଁ ଖର୍ଚ୍ଚ ହୋଇଥାଏ। ଫଡ଼ିରେ ରହୁଥିବା ପିଲାଙ୍କୁ ଭଲରେ ଖାଇବା ବି ଭାଗ୍ୟରେ ଜୁଟେନାହିଁ। ପରିବାରବର୍ଗ ଗାଁ ଛାଡ଼ି ପାୟ ୬ମାସ ଧରି ବିଭିନ୍ନ ଫଡ଼ିରେ ନିୟୋଜିତ ହୋଇଥାନ୍ତି। ତେଣୁ ଏହି ପିଲାମାନେ ପାଠପଢ଼ା ଛାଡ଼ି ପରିବାର ସହ ଫଡ଼ି ଭିତରେ ହିଁ ରହୁଛନ୍ତି। ଫଳରେ, ସେମାନେ ଅଙ୍ଗନବାଡ଼ିର ଅଣ୍ଡା କିମ୍ବା ଛତୁଆ, ସ୍କୁଲ୍ର ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ରହୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ, ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ମିଳୁନାହିଁ। ଫଡ଼ି ସ୍ଥାୟୀ ହେଉ କିମ୍ବା ଅସ୍ଥାୟୀ, ସେଠାରେ ରହୁଥିବା ପିଲାଙ୍କ ଅବସ୍ଥା ଦେଖିଲେ ସବୁ ଜଣାପଡ଼ୁଛି।
ତେବେ, ଫଡ଼ିରେ ବସବାସ କରୁଥିବା ବନ୍ଧାଳି ପରିବାରଙ୍କ ଯନ୍ତ୍ରଣା ଏତିକିରେ ସରିନାହିଁ। ନିୟମ ମୁତାବକ, ପ୍ରତି ସ୍ଥାୟୀ କିମ୍ବା ଅସ୍ଥାୟୀ ଫଡ଼ିରେ ବନ୍ଧାଳିଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ରହିବା କଥା। ଆଶ୍ଚର୍ଯ୍ୟର କଥା, ଜିଲ୍ଲାରେ ଅଧିକାଂଶ ଫଡ଼ିରେ ଏଭଳି କିଛି ସୁବିଧା ନାହିଁ। ଜାଣିଶୁଣି ଅସ୍ଥାୟୀ ଏବଂ ସ୍ଥାୟୀ ଫଡ଼ି ନଦୀକୂଳରେ କରାଯାଉଛି। ଯଦ୍ବାରା ବନ୍ଧାଳିଙ୍କ ପରିବାର ନଦୀ ଉପରେ ଭରସା କରିବାକୁ ବାଧ୍ୟ। ନଦୀର ବାଲିଚୁଆ ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ। କେଇ ଫୁଟ୍ ଗଭୀରର ବାଲି ଚୁଆରେ ହିଁ ସେମାନେ ଗାଧୋଉଛନ୍ତି। ସେହି ପାଣି ପିଇବା ସହ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି। ପ୍ରତି ଫଡ଼ି ବାବଦକୁ ଲକ୍ଷାଧିକ ଟଙ୍କା ପ୍ରତିବର୍ଷ ଖର୍ଚ୍ଚ ହେଉଛି। କିନ୍ତୁ ବନ୍ଧାଳିଙ୍କ ଅବସ୍ଥା ସେଭଳି ଶୋଚନୀୟ।