ସେମାନଙ୍କ ମୁହଁରୁ ଟ୍ରେନ୍‌ ଦୁର୍ଘଟଣାର କାହାଣୀ

ହଠାତ୍ ବଗି ଖୁବ୍ ଜୋରରେ ହଲିଲା
ହାଓଡ଼ା ଯାଉଥିଲୁ। ଆହୁରି ପ୍ରାୟ ତିନି ଘଣ୍ଟା ସମୟ ଥିଲା। ଆମେ ଝରକା ଖୋଲି ବସିଥିଲୁ। ମୋ ବଗିରେ ପାଖାପାଖି ୧୦୦ରୁ ଅଧିକ ଯାତ୍ରୀ ଥିଲେ। ହଠାତ୍ ବଗି ଖୁବ ଜୋରରେ ହଲିଗଲା। କାଚ ଭାଙ୍ଗି ସବୁ ଯାତ୍ରୀଙ୍କ ଦେହରେ ଫୁଟିଗଲା। ଗେଟ୍‌ ମୁହଁକୁ ଯାଇ ଦେଖିଲା ବେଳକୁ ପଛରେ ଦୁଇଟି ବଗି ଗାଏବ୍ ହୋଇଯାଇଥିଲା। ଆମ ସମସ୍ତଙ୍କ ଶରୀରରୁ ରକ୍ତ ବୋହୁଥିଲା। ଛାତିଥରା ଦୁର୍ଘଟଣାରୁ ଜୀବନ ବଂଚି ଯାଇଥିବା ପଶ୍ଚିମବଙ୍ଗର ରିତେଶ ଦାସ ଏଭଳି ଲୋମ ଟାଙ୍କୁରା ଅନୁଭୂତି ବର୍ଣ୍ଣନା କରିଛନ୍ତି। ରିତେଶ ବାଙ୍ଗାଲୁରରେ ଏକ ସଫଟଓୟାର କମ୍ପାନିରେ କାମ କରନ୍ତି। ସେ ତାଙ୍କ ସାଙ୍ଗ ଜୟ ସହିତ ବାଙ୍ଗାଲୁରରୁ ହାୱଡା ଫେରୁଥିଲେ। ଜୟଙ୍କ ମୁଣ୍ଡରେ ବି କାଚ ପଶିଯାଇଥିଲା। କିନ୍ତୁ ସେଠାରୁ ତାଙ୍କୁ ଉଦ୍ଧାର କରି କୁଆଡେ ନିଆଗଲା ସେ ଜାଣି ନାହାନ୍ତି।

ବିକଟାଳ ଶବ୍ଦ ହେଲା, ଆଉ …
ବିହାର ମୋତିହାରି ଜିଲ୍ଲା ହରସିଦିର ନିତେଶ କୁମାର ସାଲିମାର୍ ଷ୍ଟେସନରୁ କରମଣ୍ଡଳ ଏକ୍ସପ୍ରେସରେ ତାମିଲନାଡ଼ୁ ଯାଉଥିଲେ। ସାଙ୍ଗରେ ତାଙ୍କ ଗାଁର ଆହୁରି ୧୦ ଜଣ ବନ୍ଧୁ ଥିଲେ। କିନ୍ତୁ ଏମାନଙ୍କ ପତ୍ତା ମିଳୁନାହିଁ। ତାମିଲନାଡ଼ୁ କୋଏମ୍ବାଟୁରର ପାଟନମରେ ଏକ କମ୍ପାନିରେ ଏମାନେ ନଟ୍ ବୋଲ୍ଟ ତିଆରି କାମ କରନ୍ତି। ଏମାନେ ସମସ୍ତେ ଜେନେରାଲ୍ ବଗିରେ ଆସୁଥିଲେ। ନିତେଶଙ୍କ କହିବା ଅନୁଯାୟୀ, ତାଙ୍କ ବଗିରେ ୧୦୦ ପାଖାପାଖି ଲୋକ ଯାତ୍ରା କରୁଥିଲେ। ଟ୍ରେନ୍ ଦ୍ରୁତ ବେଗରେ ଆସୁଥିଲା। ଟ୍ରେନର ଚକା ଯେତେବେଳେ ଧାରଣା ବାହାରକୁ ଚାଲିଗଲା ଗୋଟିଏ ବିକଟାଳ ଶବ୍ଦ ହେଲା। କିଛି ବୁଝିହେଲା ନାହିଁ। ଧାରଣା ବାହାରେ ବଗି ଏଣେତେଣେ ଯିବାକୁ ଲାଗିଲା। ତା ପରେ ବଗି ଓଲଟି ପଡ଼ିଲା। ବଗି ସହିତ ସମସ୍ତ ଯାତ୍ରୀ ତଳେ ପଡ଼ିଯିବା ପରେ ତାଙ୍କ ଚେତା ପଳାଇଥିବା ନିତେଶ କହିଛନ୍ତି। ନିତେଶଙ୍କ ସହିତ ଆସିଥିବା ଚୁମର, ରାଜ୍, ଦିଲ, ବି. ରାଜା, ଶତ୍ରୁଘ୍ନ, ବିଜୟ, ସଞ୍ଜିତ… କାହାର ବି ପତ୍ତା ମିଳୁନି।

ପ୍ୟାଣ୍ଟ୍ରିକାର୍‌ରେ ଅଣ୍ଡା ତରକାରୀ କରୁଥିଲି
ସନ୍ଧ୍ୟା ସମୟ କୋଚ୍‌ରୁ ଖାଇବା ପାଇଁ ଅର୍ଡର ଆସି ସାରିଥିଲା। ମୋତେ ଅଣ୍ଡା ତରକାରୀ କରିବାକୁ କୁହାଯାଇଥିଲା। ତରକାରୀ ଗରମ ଡହଡହ ଫୁଟୁଥିଲା। କିଛି ଗରମ ତରକାରୀ ପ୍ୟାକିଂ କରୁଥିଲି। ହଠାତ୍ ପ୍ରଚଣ୍ଡ ଶବ୍ଦ ହେଲା। ଆଉ ପୂରା ଅଣ୍ଡା ତରକାରୀ ହାଣ୍ଡି ମୋ ଦେହରେ ଛିଟିକି ପଡିଲା। ମୋର ଦେହ ଜଳିଯିବା ସହିତ ଆମେ ପାଖାପାଖି ୩୦ ଜଣ ଏହି ପ୍ୟାଣ୍ଟ୍ରି କାରରେ ଆହତ ହୋଇଥିଲୁ। ଗରମ ତେଲ, ଡାଲି ଓ ଅନ୍ୟ ଜିନିଷ ବିଛାଡି ହୋଇ ପଡ଼ିଥିଲା। ତେବେ ଆମ ପ୍ୟାଣ୍ଟ୍ରିକାରରୁ କାହାର ମୃତ୍ୟୁ ହୋଇନାହିଁ। ଆମ ଭିତରୁ ଜଣେ ଗୁରୁତର ଆହତ ‌ଅଛନ୍ତି। ଗରମ ଜିନିଷ ପଡ଼ି ଜଣକର ଅଣ୍ଟା ପାଖରୁ ଗୋଡ଼ ଜଳି ଯାଇଥିବା ବେଳେ ମୋର ପେଟ ଓ ମୁହଁ ଜଳିଯାଇଛି ବୋଲି କହିଛନ୍ତି ପ୍ୟାଣ୍ଟ୍ରି କାର୍ କର୍ମଚାରୀ ପଶ୍ଚିମବଙ୍ଗ ମେଦିନପୁରର ଚିତ୍ତରଂଜନ ଚକ୍ରବର୍ତ୍ତୀ।

ଆସୁଥିଲେ ଜଗା ଦର୍ଶନ ପାଇଁ
ପୁରା ପରିବାର ଆସୁଥିଲେ ପୁରୀ। ସ୍ନାନ ପୂର୍ଣ୍ଣିମାରେ ଜଗାକୁ ଦର୍ଶନ କରି​ବେ ବୋଲି। ହେଲେ ପୁରା ପରିବାର ଏବେ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି। ଦୁଇ ଜଣ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଜଣ ବାଲେଶ୍ବର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ରଙ୍କର ଇଏ ହେଉଛି କାହାଣୀ। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ନୀଳାମ୍ବରଙ୍କ ବଡ଼ ଭାଇ ସୁଧୀର ଆଜି ଦୌଡ଼ି ଆସିଛନ୍ତି କଟକକୁ। ସୁଧୀର କହିବା ଅନୁଯାୟୀ ନୀଳାମ୍ବର, ତାଙ୍କ ପତ୍ନୀ ଦେବକୀ, ଦୁଇ ପୁଅ ଦେବାଶିଷ ଓ ଶୁଭାଶିଷ ବାଲେଶ୍ବରରୁ କରମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ। ଭୁବନେଶ୍ବରରେ ଓହ୍ଲାଇ ସେଠାରୁ ପୁରୀ ଯାଇଥାନ୍ତେ। ହେଲେ ଦୁର୍ଘଟଣାରେ ଏକେ ସମସ୍ତେ ଗୁରୁତର। ନୀଳାମ୍ବର ଓ ସାନ ପୁଅ ଶୁଭାଶିଷ କଟକରେ ଚିକିତ୍ସିତ ହେଉଥିବା ବେଳେ ଦେବକୀ ଓ ଦେବାଶିଷ ବାଲେଶ୍ବର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନୀଳାମ୍ବରଙ୍କ ଅବସ୍ଥା ବିଶେଷ ଭାବେ ସଙ୍କଟାପନ୍ନ। ତାଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଛି। ପ୍ରତିବର୍ଷ ସେମାନେ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଯାଆନ୍ତି ଜଗାକୁ ଦର୍ଶନ କରିବାକୁ। ଜଗାର ଯାହା ଇଚ୍ଛା ଥିବ ବୋଲି ଦୀର୍ଘଶ୍ବାସ ଛାଡ଼ି କହିଛନ୍ତି ସୁଧୀର।

୧୫ ମିନିଟ୍‌ରେ ବଦଳିଗଲା ସଂସାର
ନିଶ୍ଚିନ୍ତକୋଇଲି:ସାଙ୍ଗକୁ ଛାଡିବାକୁ ଯାଇଥିଲେ ବାଲେଶ୍ବର। ହେଲେ ଆଉ ଘରକୁ ଫେରିଲେନି। ୨୨ ବର୍ଷୀୟ ଲକ୍ଷ୍ମୀଧର ସାହାଣୀଙ୍କ ମୃତ୍ୟୁ ଖବର ଆସିଲା। ଆଜି ଥିଲା ତାଙ୍କର ଡିପ୍ଲୋମା ପରୀକ୍ଷା। ସେଥିପାଇଁ ଗତରାତିରେ କଟକ ଷ୍ଟେସନ୍‌ରେ ପହଞ୍ଚି ଘରକୁ ଯାଇଥାନ୍ତେ। ଆଜି ଡେରାବିଶର ଛତାରେ ଥିବା ଘରୋଇ ଡିପ୍ଲୋମା କଲେଜରେ ପରୀକ୍ଷା ଦେଇଥାନ୍ତେ। ହେଲେ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା। ଭେଣ୍ଡିଆ ରୋଜଗାରିଆ ପୁଅକୁ ବାପା-ମା’ଙ୍କ ଠାରୁ ଛଡାଇ ନେଲା ବାହାନାଗା ନିକଟରେ ଘଟିଥିବା ଛାତିଥରା ଟ୍ରେନ୍‌ ଦୁର୍ଘଟଣା। ନିଶ୍ଚିନ୍ତକୋଇଲି ବ୍ଲକ୍‌ ବନ୍ଧକାଟିଆ ପଂଚାୟତର କୁଆଁଡୋଳ ଗ୍ରାମର ଶଙ୍କର୍ଷଣ ଓ ରଶ୍ମିତା ସାହାଣୀଙ୍କ ସାନପୁଅ ଲକ୍ଷ୍ମୀଧର। ସିଏ ଚେନ୍ନାଇରେ କାମ କରୁଥିଲେ। କିନ୍ତୁ ‌ଡିପ୍ଲୋମା ପଢୁଥିବାବେଳେ ଗୋଟିଏ ପେପର ବ୍ୟାକ୍‌ ରହିଥିଲା। ତାର ଆଜି ପରୀକ୍ଷା ଥିଲା। ସେଠାରେ ଲକ୍ଷ୍ମୀଧରଙ୍କ ସହିତ ରହୁଥିବା ବାଲେଶ୍ବରର ସାଙ୍ଗ ତାଙ୍କ ଗାଁକୁ ଆସିଥିଲେ। ଘରେ ରହିବା ପରେ ସାଙ୍ଗର ଗାଁ (ବାଲେଶ୍ବର ପାଖରେ ଥିବା ଏକ ଗାଁ)ରେ ଯାତ୍ରା ଥିବାରୁ ଦୁଇସାଙ୍ଗ ଗୁରୁବାର ଦିନ ବାଲେଶ୍ବର ଯାଇଥିଲେ। ତାଙ୍କ ସହିତ ଯାଜପୁରର ସାଙ୍ଗ ବି ଥିଲେ। ତେବେ ଯାତ୍ରା ସରିବା ପରେ ଓ ଆଜି ପରୀକ୍ଷା ଥିବାରୁ ଗତକାଲି କରମଣ୍ଡଳ ଏକ୍ସପ୍ରେସ୍‌ରେ ଲକ୍ଷ୍ମୀଧର ଓ ଯାଜପୁରରର ସାଙ୍ଗ ଏକାଠି ଆସିଥିଲେ। ଜଣେ ଯାଜପୁରରେ ଓହ୍ଲାଇଥାନ୍ତେ ଓ ଲକ୍ଷ୍ମୀଧର କଟକ ଷ୍ଟେସନରେ ଓହ୍ଲାଇଥାନ୍ତେ। ହେଲେ ଟ୍ରେନ୍‌ରେ ବସିବାର ମାତ୍ର ୧୫ ମିନିଟ ଭିତରେ ସବୁ କିଛି ଓଲଟପାଲଟ ହେଇଗଲା।

ସମ୍ବନ୍ଧିତ ଖବର