ପ୍ରେମେନ୍ଦ୍ର ପରିଚ୍ଛା
ମାଲକାନଗିରି: ନକ୍ସଲ ସଂଗଠନରେ କଡ଼ା କଟକଣା। ପ୍ରେମ ଓ ବିବାହ ପାଇଁ ମନା। ପରିବାର ବଢ଼ାଇବା ବି ନିଷିଦ୍ଧ। ଏଥିପାଇଁ ପୁରୁଷ ନକ୍ସଲଙ୍କ ପାଇଁ ବନ୍ଧ୍ୟାକରଣ ବାଧ୍ୟତାମୂଳକ। ଆତ୍ମସମର୍ପଣ ପରେ ଦୁଇ ନକ୍ସଲ ନେତା ଏମିତି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ପ୍ରେମ ବିବାହ ପରେ ବନ୍ଧ୍ୟାକରଣ ପାଇଁ ବାଧ୍ୟ କରାଯାଇଥିଲା ବୋଲି କହିଛନ୍ତି।
ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଅଞ୍ଚଳର ବାସିନ୍ଦା ଅମିତ ନକ୍ସଲ ସଂଗଠନରେ ଡିସିଏମ୍ ପଦରେ ରହିଥିଲେ। ବିଜାପୁର ଜିଲ୍ଲାର ନକ୍ସଲ ନେତ୍ରୀ ଅରୁଣା ସଂଗଠନରେ ଏସିଏମ୍ ପଦବିରେ ରହିଥିଲେ। ଅମିତ ନାମରେ ସରକାର ୮ଲକ୍ଷ ଏବଂ ଅରୁଣା ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏସିଏମ୍ ଲିଙ୍ଗେ ମାତ୍ର ୧୨ବର୍ଷ ବୟସରେ ଅମିତଙ୍କୁ ସଂଗଠନରେ ସାମିଲ କରିଥିଲା। ଏହାପରେ ଅମିତ ଆବୁଝମାଡ଼ ଏବଂ ଗଡ଼ଚିରୋଲି ଅଞ୍ଚଳରେ ଅଧିକାଂଶ ସମୟ ବିତାଇଥିଲା। ଟପ୍ ନକ୍ସଲ ନେତା ବେଣୁଗୋପାଳର ଅଙ୍ଗରକ୍ଷକ ଭାବେ କିଛି ଦିନ ରହିଥିଲେ। ସେଠାରେ ଅରୁଣାକୁ ଦେଖିଥିଲେ। ସେହି ସମୟରେ ଅରୁଣା ନକ୍ସଲଙ୍କ ପାଇଁ ଖାଇବା, ଗାଁକୁ ଯାଇ ଦୋକାନରୁ ଜିନିଷ ଆଣିବା କାମ କରୁଥିଲେ। ନିୟମିତ ମିଳାମିଶା ଯୋଗୁଁ ଅରୁଣାଙ୍କ ପ୍ରତି ଅମିତଙ୍କ ମନରେ ପ୍ରେମ ଭାବନା ସୃଷ୍ଟି ହୋଇଥିଲା। ଅରୁଣା ବି ବିରୋଧ କରିନଥିଲେ। ତେବେ ସଂଗଠନର କଡ଼ା କଟକଣା ଯୋଗୁଁ ଏସବୁ କାର୍ଯ୍ୟକାରୀ ହୋଇପାରିନଥିଲା।
ଶେଷରେ ଦୁହେଁ ଲୁଚିଛପି ବିବାହ କଲେ। ଟପ୍ ନକ୍ସଲ ନେତା ଜାଣିବା ପରେ ଅମିତଙ୍କୁ ବନ୍ଧ୍ୟାକରଣ କରିବାକୁ ବାଧ୍ୟ କରିଥିଲେ। ଦୁହିଁଙ୍କୁ ଅଲଗା ରଖିବାକୁ ପ୍ରୟାସ କରାଯାଇଥିଲା। ସଂଗଠନର ପ୍ରତିବନ୍ଧକ ଯୋଗୁଁ ଶେଷରେ ଅତିଷ୍ଠ ହୋଇଥିଲେ ଏହି ଦମ୍ପତି। ଏକାଠି ରହିବା ସହ ପରିବାର ବଢ଼ାଇବା ପାଇଁ ଚିନ୍ତା କଲେ। ପୁଲିସ ସହ ଯୋଗାଯୋଗ କରି ଆତ୍ମସମର୍ପଣ କରିଛନ୍ତି। ଆଗକୁ ସନ୍ତାନ ପାଇଁ ଅମିତ ପୁଣି ନିଜର ଅସ୍ତ୍ରୋପଚାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବାକି ଜୀବନ ଅରୁଣାଙ୍କ ସହ ବିତାଇବାକୁ ଚାହୁଛନ୍ତି। ଏଥିପାଇଁ ଚାକିରିକୁ ପ୍ରତ୍ୟାଖ୍ୟାନ କରି ଗାଁରେ ରହି ଚାଷ କରୁଛନ୍ତି।