ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ଗୋଟିଏ ସମୟରେ ବାହାରିଛି ଏବଂ ପାସ୍ହାର ୮୨.୭୭% ହୋଇଛି। ୪ଟି ଯାକ ବିଭାଗକୁ ମିଶାଇ ମୋଟ ୩ଲକ୍ଷ ୮୨ହଜାର ୭୨୯ଜଣ ପରୀକ୍ଷା ଦେଇଥିବା ବେଳେ ୩ଲକ୍ଷ ୧୬ହଜାର ୭୮୭ଜଣ ପାସ୍ କରିଛନ୍ତି। ୧ଲକ୍ଷ ୪୨ହଜାର ୫୧୨ ଛାତ୍ର ଓ ୧ଲକ୍ଷ ୭୪ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧ଲକ୍ଷ ୧ହଜାର ୯୧୪, ଦ୍ବିତୀୟ ଶ୍ରେଣୀରେ ୬୭ହଜାର ୮୧୫ ଓ ତୃତୀୟ ଶ୍ରେଣୀରେ ୧ଲକ୍ଷ ୪୩ହଜାର ୩୩୯ ଜଣ ପାସ୍ କରିଛନ୍ତି। ଆଂଶିକ ବର୍ଗ ବା କମ୍ପାର୍ଟମେଣ୍ଟାଲରେ ୩,୭୧୯ ଜଣ ରହିଛନ୍ତି।
ବିଜ୍ଞାନ ବିଭାଗରେ ପାସ୍ହାର ସର୍ବାଧିକ ୮୭.୫୦% ହୋଇଥିବା ବେଳେ ବାଣିଜ୍ୟରେ ୮୩.୨୦%, କଳାରେ ୮୦.୫୧% ଓ ଧନ୍ଦାମୂଳକ ଶିକ୍ଷାରେ ୫୫.୭୧% ହୋଇଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ୍ ହାର ୭୭.୮୮% ଥିବା ବେଳେ ୮୭.୨୪% ସହ ଛାତ୍ରୀ ଆଗୁଆ ରହିଛନ୍ତି। ପରୀକ୍ଷା ଢାଞ୍ଚା ପରିବର୍ତ୍ତନ ତଥା ଇଣ୍ଟରନାଲ୍ ମାର୍କ ସାମିଲ କରାଯିବାରୁ ଏଥର ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମୋଟ ୨,୨୮୨ ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୫% ପରୀକ୍ଷାର୍ଥୀ ୪୫%ରୁ ଅଧିକ ନମ୍ବର ରଖିବାରେ ସକ୍ଷମ ହୋଇଛନ୍ତି। କଳା ବିଭାଗରେ ୨ଲକ୍ଷ ୪୩ହଜାର ୬୫୩ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୯୬ହଜାର ୧୭୧ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୧ଲକ୍ଷ ୮ହଜାର ୨୦୯ଜଣ ଛାତ୍ରଙ୍କ ମଧ୍ୟରୁ ୭୮,୬୦୫ ଜଣ ଏବଂ ୧ଲକ୍ଷ ୩୫ହଜାର ୪୪୪ଜଣ ଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୧୭ହଜାର ୫୬୬ଜଣ ପାସ୍ କରିଛନ୍ତି। ଛାତ୍ରଙ୍କ ପାସ୍ହାର ୭୨.୬୪% ଓ ଛାତ୍ରୀଙ୍କର ୮୬.୮୦% ହୋଇଛି। ୪୦,୦୩୬ଜଣ ପ୍ରଥମ, ୩୬,୮୬୬ଜଣ ଦ୍ବିତୀୟ ଓ ୧,୧୯,୧୬୮ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବିଭାଗର ୧୭୧ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ବରଗଡ଼ ଜିଲ୍ଲାର ପାସ୍ହାର ସର୍ବାଧିକ ୮୭.୬୦% ଓ ନବରଙ୍ଗପୁର ଜିଲ୍ଲାର ସର୍ବନିମ୍ନ ୬୮.୧୩% ହୋଇଛି।
୪୫%ରୁ ଅଧିକ ନମ୍ବର ରଖିଛନ୍ତି ୯୫% ପରୀକ୍ଷାର୍ଥୀ
୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି ୨,୨୮୨
ବିଜ୍ଞାନରେ ୮୭.୫୦%, ବାଣିଜ୍ୟରେ ୮୩.୨୦%, କଳାରେ ୮୦.୫୧% ପାସ୍
ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୨୫,୧୦୮ଜଣଙ୍କ ମଧ୍ୟରୁ ୨୦,୮୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୫,୮୭୬ ଛାତ୍ରଙ୍କ ମଧ୍ୟରୁ ୧୨,୯୭୩ ଜଣ ଓ ୯,୨୩୨ ଛାତ୍ରୀଙ୍କ ମଧ୍ୟରୁ ୭,୯୧୯ ଜଣ ପାସ୍ କରିଛନ୍ତି। ଛାତ୍ର/ଛାତ୍ରୀଙ୍କ ପାସ୍ହାର ଯଥାକ୍ରମେ ୮୧.୭୧% ଓ ୮୫.୭୭% ରହିଛି। ୬,୯୩୦ଜଣ ପ୍ରଥମ, ୪,୫୨୫ଜଣ ଦ୍ବିତୀୟ ଓ ୯,୨୧୬ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଏହି ବିଭାଗରେ ୨୦୪ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ନୟାଗଡ଼ ଜିଲ୍ଲାର ପାସ୍ହାର ସର୍ବାଧିକ ୯୩.୭୧% ଓ ବଲାଙ୍ଗୀର ଜିଲ୍ଲାର ସର୍ବନିମ୍ନ ୬୯.୧୯% ହୋଇଛି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧ଲକ୍ଷ ୧୩ହଜାର ୯୬୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୯ ହଜାର ୭୨୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୫୮,୮୯୫ ଛାତ୍ରଙ୍କ ମଧ୍ୟରୁ ୫୦,୯୪୩ ଜଣ ଓ ୫୫,୦୭୩ ଛାତ୍ରୀଙ୍କ ମଧ୍ୟରୁ ୪୮,୭୮୧ଜଣ ପାସ୍ କରିଛନ୍ତି। ଛାତ୍ରଙ୍କ ପାସ୍ହାର ୮୬.୪୯% ଓ ଛାତ୍ରୀଙ୍କ ପାସ୍ହାର ୮୮.୫୭% ହୋଇଛି। ୫୪,୯୪୭ଜଣ ପ୍ରଥମ, ୨୬,୪୨୪ଜଣ ଦ୍ବିତୀୟ ଓ ୧୪,୯୫୫ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୧,୯୦୬ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖି ରେକର୍ଡ ସୃଷ୍ଟି କରିଛନ୍ତି। ନୟାଗଡ଼ ଜିଲ୍ଲାର ପାସ୍ହାର ସର୍ବାଧିକ ୯୭.୫୮% ଓ ବୌଦ୍ଧ ଜିଲ୍ଲାର ସର୍ବନିମ୍ନ ୭୧.୮୫% ହୋଇଛି।
ଧନ୍ଦାମୂଳକ ଶିକ୍ଷା ବିଭାଗରେ ୫,୫୭୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩,୩୭୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୨,୭୯୩ ଛାତ୍ରଙ୍କ ମଧ୍ୟରୁ ୧,୫୫୬ ଜଣ ପାସ୍ କରିଛନ୍ତି। ପାସ୍ ପ୍ରତିଶତ ୫୫.୭୧% ହୋଇଛି। ସେହିପରି ୨,୭୭୯ ଛାତ୍ରୀଙ୍କ ମଧ୍ୟରୁ ୧,୮୧୯ ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୬୫.୪୫% ହୋଇଛି। ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି। ବାଲେଶ୍ବର ଜିଲ୍ଲାର ପାସ୍ହାର ସର୍ବାଧିକ ୮୩.୮୩% ଓ ମାଲକାନଗିରି ଜିଲ୍ଲାର ସର୍ବନିମ୍ନ ୦% ହୋଇଛି। ପରିଷଦ କାର୍ଯ୍ୟାଳୟରେ ଆଜି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ୍, ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଶୁଭେଚ୍ଛା ଜଣାଇବା ସହ ପରୀକ୍ଷାର ଉପଯୁକ୍ତ ପରିଚାଳନା ଓ ଠିକ୍ ସମୟରେ ଫଳ ପ୍ରକାଶ ନିମନ୍ତେ ପରିଷଦ କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।