ସମ୍ବଲପୁର: ହୀରାକୁଦ ବନ୍ଧ ନିର୍ମାଣକୁ ୬୭ ବର୍ଷ ପୂରିଛି। ତଥାପି, ସରିନାହିଁ ବିସ୍ଥାପିତଙ୍କ ଦୁଃଖ। ହୀରାକୁଦ ନଦୀବନ୍ଧ ତିଆରି ସମୟରେ ସମ୍ବଲପୁର ଜିଲ୍ଲାର ୧୧୬ଟି ଗାଁ ସଂପୂର୍ଣ୍ଣ ଅଧିଗ୍ରହଣ ହୋଇଥିବା ବେଳେ ୪୮ଟି ଗାଁର କେବଳ ବସ୍ତି ଓ ୮୫ଟି ଗ୍ରାମର କେବଳ ଜମି ଅଧିଗ୍ରହଣ ହୋଇଥିଲା। ‌ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ୬୩୨ ସ୍ତର ଉପରକୁ ମଧ୍ୟ ୩୨ଟି ଗାଁ ଅଧିଗ୍ରହଣ କରାଯାଇଥିଲା।
ଏହି ପ୍ରକଳ୍ପ ଯୋଗୁ ୨୬ହଜାର ୫୦୧ ପରିବାର ବିସ୍ଥାପିତ ହୋଇଥିଲେ। ଏଥିରୁ କେବଳ ୩୮ ଗ୍ରାମର ବାସଚ୍ୟୁତ ପରିବାରଙ୍କୁ ସମ୍ବଲପୁର ଜିଲ୍ଲାରେ ୧୮ କଲୋନି ଜରିଆରେ ୨୨୪୩ ପରିବାରକୁ ଥଇଥାନ କରାଯାଇଥିଲା। ଅନ୍ୟ ବିସ୍ଥାପିତମାନେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବସବାସ କରୁଛନ୍ତି।

Advertisment

୧୯୫୦-୫୧ ମସିହା ବେଳକୁ ରେଂଗାଲି ବ୍ଲକ୍ ଅନ୍ତର୍ଗତ କୁର୍ଲା, ସପ୍‌ନେ, ଥୁଣ୍ଟି-କତରବଗା ଓ ‌ଯୋଗୀପାଲି ଗାଁରେ ଜଳଭଣ୍ଡାରର ୬୩୪ ସ୍ତର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇଥିଲା। ଜଳସ୍ତର କେବେ ବି ୬୩୨ ସ୍ତର ପର୍ଯ୍ୟନ୍ତ ଛୁଇଁ ନାହିଁ। ତେଣୁ, ବିସ୍ଥାପିତ ଲୋକେ ଅଧିଗ୍ରହଣ ହୋଇଥିବା ଜମିରେ ବସବାସ କରିବା ଆରମ୍ଭ କରିଦେଇଥିଲେ। ମଝିରେ ଅଳ୍ପ କିଛି ଲୋକଙ୍କୁ ଏଚ୍‌ଏଲ୍ଓ, ସମ୍ବଲପୁରର ଡେପୁଟି କମିସନରଙ୍କ ପକ୍ଷରୁ ଡିସି ପଟ୍ଟା ଦିଆଯାଇଥିବା ବେଳେ ଏସବୁ ଗାଁରେ ବସବାସ କରୁଥିବା ଶହ ଶହ ପରିବାର ସ୍ଥାୟୀପଟ୍ଟା ପାଇବାରୁ ବଂଚିତ ହୋଇଛନ୍ତି। ଗତ ୯.୫.୨୦୧୪ରେ (ପତ୍ରସଂଖ୍ୟା ୧୧୬୩୮)ରେ ଜଳସଂପଦ ବିଭାଗ ଏହି ୪ ଗାଁର ୬୯୧.୪୨ ଏକର ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଛି। ତେବେ ସର୍ଭେ ହୋଇନଥିବାରୁ ଏହି ଗାଁଗୁଡ଼ିକର ଲୋକେ ପଟ୍ଟା ପାଇବାରୁ ବଂଚିତ ହୋଇଛନ୍ତି।

ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗର ପତ୍ର ସଂଖ୍ୟା ୫୫୩୧/୩୦.୧.୨୦୦୨ ଅନୁଯାୟୀ ସମସ୍ତ ତହସିଲଦାର ଓ ଜିଲ୍ଲାମାନଙ୍କୁ ବିସ୍ଥାପିତ ପରିବାରକୁ ୧୦ ଡେସିମିଲ୍‌ ଲେଖାଏଁ ଘରଡ଼ିହ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ଲୋକନାଥ ସାହୁଙ୍କ ତଥ୍ୟ ଅନୁସାରେ ଏବେ ବି ସମ୍ବଲପୁରର ୨୪,୬୧୬, ବରଗଡ଼ର ୭୮୪୮, ସୁବର୍ଣ୍ଣପୁରର ୩୮୦୦, ସୁନ୍ଦରଗଡ଼ର ୫୨୦୦ଟି ଘରଡ଼ିହ ଆବେଦନପତ୍ର ବିଭିନ୍ନ ତହସିଲରେ ପଡ଼ି ରହିଛି। ସମିତି ପକ୍ଷରୁ ନିକଟରେ ଆର୍‌ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସ୍ଥାୟୀ ପଟ୍ଟା ପାଇଁ କୁର୍ଲା, ସପ୍‌ନେ, ଥୁଣ୍ଟି-କତରବଗା ଓ ‌ଯୋଗୀପାଲି ଗାଁରେ ଲୋକେ ମିଳିତ ଭାବେ ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଦାବି ନେଇ କୁର୍ଲା ଗାଁ ଲୋକେ ଥରେ ଭୋଟ ବର୍ଜନ ବି କରିଛନ୍ତି।