ଛାତ୍ର ବିଜେଡିକୁ ଗୁରୁ ଦାୟିତ୍ବ ଦେଲେ ନବୀନ: ଅପପ୍ରଚାର ରୋକ, ଲୋକଙ୍କୁ ସତ ଜଣାଅ

ସାମାଜିକ ଓ ମୁଖ୍ୟ ଗଣମାଧ୍ୟମରେ ଅନେକ ଅପପ୍ରଚାର ହେଉଛି

ଭୁବନେଶ୍ବର: ‘‘ଆପଣମାନେ ହେଉଛନ୍ତି ଏ ଜାତିର ଭବିଷ୍ୟତ। ଆପଣମାନେ ହିଁ ଓଡିଆର ଗୌରବକୁ ଆଗକୁ ନେଇପାରିବେ। ଆପଣମାନେ ସବୁବେଳେ ତିନିଟି କଥା ଉପରେ ଗୁରୁତ୍ବ ଦିଅନ୍ତୁ। ୧) ଆପଣଙ୍କ ଭିତରେ ଥିବା ପ୍ରତିଭାର ପୂରା ବିକାଶ ପାଇଁ କଠିନ ପରିଶ୍ରମ କରନ୍ତୁ। ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। ୨) ନିଜ ପରିବାର ଓ ବାପା ମା’ଙ୍କ ପ୍ରତି ଥିବା ଆପଣଙ୍କ ଦାୟିତ୍ବକୁ କେବେ ବି ଭୁଲନ୍ତୁ ନାହିଁ। ୩) ଆମ ସମାଜ। ଆମେ ଯେଉଁଠାରେ ବଢିଛେ, ପଢିଛେ ଓ ନିଜକୁ ଗଢିଛେ; ତାର ବିକାଶ ପାଇଁ ନିଜ କ୍ଷମତାର ପୂରା ଉପଯୋଗ କରନ୍ତୁ। ଆପଣମାନେ ହିଁ ଓଡିଶା ରୂପାନ୍ତରଣର ସାରଥୀ।’’ ବିଜୁ ଛାତ୍ର ଜନତା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଛାତ୍ରଛାତ୍ରୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁଜ୍ଞାନ ଦେଇଛନ୍ତି। କାହାର ନାମ ନନେଇ ଆହ୍ବାନ ଦେଇଛନ୍ତି ଯେ ଅପପ୍ରଚାର ବିରୋଧରେ ସେମାନେ ସଂଗ୍ରାମ କରନ୍ତୁ। ସତକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ। ମୁଖ୍ୟମନ୍ତ୍ରୀ କହିଥିଲେ, କିଛି ଦିନ ତଳେ ଆମ ଯୁବ ଶାଖାର କାର୍ଯ୍ୟନିର୍ବାହୀ କମିଟି ବୈଠକ ହୋଇଥିଲା। ସେଥିରେ ଆମର ସ୍ବତନ୍ତ୍ର ପରିଚୟ ଏବଂ ଓଡିଆ ଗର୍ବ ଓ ଗୌରବ ଉପରେ କୁହାଯାଇଥିଲା। ଏଇଥିପାଇଁ ଯେ ଓଡିଆ ଜାତି ଏକ ମହାନ ଜାତି। ଏ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ଜୟ କରିଥିଲା। ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରି ମହାନ ସମ୍ରାଟମାନଙ୍କ ରାଜ୍ୟ ହେଉଛି ଆମ ଓଡିଶା। ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ଯେଉଁଥିରେ ନିଜେ ମହାପ୍ରଭୁ ସାମିଲ ହୋଇଥିଲେ, ଆଜି ମଧ୍ୟ ଆମର ଯୁବ ସମାଜ ମଧ୍ୟରେ ସେହି ଶକ୍ତି ସଞ୍ଚାର କରୁଛି। ‌ସେ କହିଥିଲେ, ଆମର ବୀର ପାଇକମାନଙ୍କର ସାହସ ଓ ରଣନୀତି ବହୁଦିନ ଧରି ଓଡିଶାକୁ ଅଜୟ କରି ରଖିଥିଲା। ସେବାର ଅବତାର ଉତ୍କଳମଣି ଗୋପବନ୍ଧୁ, ଆମ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁ, ସଂଗ୍ରାମର ପ୍ରତୀକ ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏ ଓଡିଶାର ଏହି ବରପୁତ୍ରମାନେ ହେଉଛନ୍ତି ଆମ ଆଦର୍ଶ। ସେହିପରି ଫକୀର ମୋହନଙ୍କ ସାହିତ୍ୟ ଓଡିଆ ଭାଷାର ମହିମାକୁ ବୃଦ୍ଧି କରିଛି। ମା’ ରମାଦେବୀ, ମାଳତୀ ଚୌଧୁରୀ ଓ ପାର୍ବତୀ ଗିରିଙ୍କ ତ୍ୟାଗ ଓ ସଂଗ୍ରାମ ଓଡିଶାର ନାରୀ ଜାତିକୁ ମହିମା ମଣ୍ଡିତ କରିଛି। ମାନବ ଜାତି ପାଇଁ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସାରା ବିଶ୍ବକୁ ମୋହିତ କରିଛି। ଛୋଟ ପିଲା ହେଲେ ମଧ୍ୟ ସଂଗ୍ରାମୀ ବାଜି ରାଉତଙ୍କ ସାହସ ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ସେହିପରି ବିଜୁ ବାବୁଙ୍କ ଓଡିଆ ଜାତି ପ୍ରୀତି ତାଙ୍କୁ ଅମର କରି ରଖିଛି।

ସତର୍କ ନ ହେଲେ ଓଡ଼ିଶାର ପରିଚୟ ନଷ୍ଟ କରିଦେବେ
ଛାତ୍ରସମାଜ ହିଁ ଓଡ଼ିଶା ରୂପାନ୍ତରଣର ସାରଥୀ
ଓଡ଼ିଶା ବିଷୟରେ ଜାଣ, ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ନିର୍ଦେଶ

ଏହି ବରପୁତ୍ରମାନେ ସେମାନଙ୍କ କାର୍ଯ୍ୟ ଦ୍ବାରା ଓଡିଆ ଜାତିର ଗୌରବ ବୃଦ୍ଧି କରିଛନ୍ତି ବୋଲି ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ସେମାନେ ହିଁ ଆମର ଶ୍ରେଷ୍ଠ ପରିଚୟ। ତେଣୁ ଛାତ୍ରମାନେ ସେମାନଙ୍କ ବିଷୟରେ ଭଲ ଭାବରେ ଜାଣିବା ଦରକାର। ଓଡିଆ ଜାତି ପାଇଁ, ଓଡିଆ ଭାଷା ପାଇଁ, ଓଡିଆ ସଂସ୍କୃତି ପାଇଁ ସେମାନେ କରିଯାଇଥିବା ମହାନ କାର୍ଯ୍ୟ ହିଁ ଆମର ପ୍ରେରଣା। ଛାତ୍ରମାନେ ସେମାନଙ୍କୁ ଚିହ୍ନିଲେ ଯାଇ ରାଜ୍ୟ ଆଗକୁ ବଢ଼ିବ। ଆମ ଭାଷା, ସଂସ୍କୃତି ଓ ପରିଚୟର ସୁରକ୍ଷା େହାଇପାରିବ। ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ହେଉଛି ଡିଜିଟାଲ ଯୁଗ। ସାମାଜିକ ଗଣମାଧ୍ୟମର ଯୁଗ। ସାମାଜିକ ଗଣମାଧ୍ୟମ ଆଜି ବହୁତ ପ୍ରଭାବଶାଳୀ। ସବୁ କ୍ଷେତ୍ରରେ ଏହାର ପ୍ରଭାବ ବଢୁଛି। କିନ୍ତୁ ଏହା ମାଧ୍ୟମରେ ଅନେକ ମିଥ୍ୟା ଖବର ଆସୁଛି। ମୁଖ୍ୟ ସ୍ରୋତ ଗଣମାଧ୍ୟମରେ ବି ଅନେକ ସମୟରେ ଅପପ୍ରଚାର ହେଉଛି। ଅପପ୍ରଚାର ଏବେ ସାମାଜିକ ସଦ୍‌ଭାବର ସବୁଠାରୁ ବଡ ଶତ୍ରୁ। ଏଣୁ ଛାତ୍ର ସମାଜକୁ ଏହି ଅପପ୍ରଚାର ବିରୋଧରେ ସଂଗ୍ରାମ କରିବାକୁ ହେବ। ସତର୍କ ନ ହେଲେ ଏହା ଆମ ସମାଜକୁ, ଆମର ସ୍ବତନ୍ତ୍ର ପରିଚୟକୁ ନଷ୍ଟ କରିଦେବ। ଅପପ୍ରଚାର ଦୂର କରି ସତକୁ ଲୋକଙ୍କ ପାଖରେ ପହଞ୍ଚାଇବା ଛାତ୍ର ବିଜେଡିର ଦାୟିତ୍ବ ବୋଲି ନବୀନ କହିଥିଲେ।

ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ରେ ସଂଶୋଧନ ଅଣାଯାଇ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏକକ ପରୀକ୍ଷା ନୀତି ଅବଲମ୍ବନ କରାଯିବା ଓ ସମସ୍ତ ପରୀକ୍ଷା ଫଳ ୩୦ରୁ ୪୫ ଦିନ ମଧ୍ୟରେ ପ୍ରକାଶ କରାଯିବା ଲାଗି ପ୍ରସ୍ତାବ ପାରିତ ହୋଇଥିଲା। ବିଜୁ ଛାତ୍ର ଜନତା ଦଳର ପୁରାତନ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ଟାଡାବେସ୍ କରାଯାଇ ସେମାନଙ୍କ ସହ ସୋସିଆଲ୍ ମିଡ଼ିଆରେ ସମ୍ପର୍କ ସ୍ଥାପନ କରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଦଳରେ ଯୋଗଦେଉଥିବା ଛାତ୍ରଛାତ୍ରୀ ଶୃଙ୍ଖଳା, ଚରିତ୍ର ଗଠନ, ସେବା ମନୋଭାବ ସହ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ରାଜନୈତିକ ପ୍ରସ୍ତାବ ହିସାବରେ ଆଗତ କରାଯାଇଥିଲା। ଏହାସହ ‘ଓଡ଼ିଶା ମୋ ପରିବାର’ ଓ ‘ଜୀବନ ବିନ୍ଦୁ’ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବା ଓ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଥିଲା। ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରେ କମିଟି ଗଠନ କରିବା ସହିତ ୫୦% ମହିଳାଙ୍କୁ ସ୍ଥାନ ଦିଆଯିବା, ପ୍ରତ୍ୟେକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଜନସେଚତନତା କାର୍ଯ୍ୟକ୍ରମ କରାଇବା ଏବଂ ମହାନ ଜନନାୟକମାନଙ୍କର ଜନ୍ମ ଦିବସକୁ କଲେଜ କ୍ୟାମ୍ପସ ଓ ଦଳୀୟ କାର୍ଯ୍ୟାଳୟରେ ମହାସମାରୋହରେ ପାଳନ କରାଯିବାକୁ ସାଙ୍ଗଠନିକ ପ୍ରସ୍ତାବ ଆଗତ ହୋଇଥିଲା।

ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବ ଜନତା ଦଳର ସଭାପତି ଡକ୍ଟର ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ସମ୍ପାଦକ (ଛାତ୍ର ବ୍ୟାପାର) ମନ୍ଦାକିନୀ କର, ତନ୍ମୟ ସ୍ୱାଇଁ, ଯୁଗ୍ମ ସମ୍ପାଦକ (ଛାତ୍ର ବ୍ୟାପାର) ପ୍ରକାଶ ଡାଙ୍ଗ, ହରିଶଙ୍କର ରାଉତ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ, ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜ୍ୟ ମହାସଚିବ ଇପ୍‌ସିତା ସାହୁ ଏବଂ ସମସ୍ତ ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ସମେତ ୩୪ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ଜୋନ୍ ସଭାପତି ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର