ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ପୂରାଇ ଦେଲେନି

ହାଟଡିହି : ଶିକ୍ଷୟିତ୍ରୀଙ୍କୁ ସ୍କୁଲ୍‌ରେ ପୂରାଇ ଦେଲେ ନାହିଁ ଛାତ୍ରଛାତ୍ରୀ ଓ ଅଭିଭାବକ। ବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣାରେ ବସିଲେ। ଫଳରେ ଶିକ୍ଷୟିତ୍ରୀ ଜଣଙ୍କ ବିଦ୍ୟାଳୟ ବାହାରୁ ଫେରି ଯାଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ୍‌ ଅକରୁଆ ପଞ୍ଚାୟତ ଭାତକରୁଆ ସ୍କୁଲ୍‌ରେ।

ଭାତକରୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ନିୟମିତ ଶିକ୍ଷକଙ୍କ ସମେତ ‌ଡେପୁଟେସନରେ ଯାଇ ଶିକ୍ଷକ ଯାଇ ଶିକ୍ଷାଦାନ କରୁଛନ୍ତି। ୭ ମାସ ହେଲା ବିଇଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷୟିତ୍ରୀ ମୀନା ସାମଲଙ୍କୁ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତକାଲି ଶିକ୍ଷୟିତ୍ରୀ ମୀନା ସାମଲ ବିଦ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗଦେଇଥିଲେ। ଆଜି ଶନିବାର ପାଇଁ ସକାଳ ୭ଟା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ବିଦ୍ୟାଳୟକୁ ଯାଇଥିଲେ। ଏହା ପୂର୍ବରୁ ଖବର ପାଇ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ୍‌ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ‘ଆମର ଏପରି ଶିକ୍ଷୟିତ୍ରୀ ଦରକାର ନାହିଁ। ଯେଉଁ ଦୁଇଜଣ ଶିକ୍ଷକ ଅଛନ୍ତି ସେମାନେ ରୁହନ୍ତୁ। ଆଉଜଣେ ଭଲ ଶିକ୍ଷକ ଦିଆଯାଉ’ ବୋଲି ଅଭିଭାବକମାନେ କହିଥିଲେ। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗୁଁ ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ବିଦ୍ୟାଳୟରେ ପଶି ନ ପାରି ବାହାରୁ ଫେରି ଆସିଥିଲେ। ପରେ ଅଭିଭାବକମାନେ ବିଇଓଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ମୀନା ସାମଲ ପୂର୍ବରୁ ବଳଭଦ୍ରପୁର ସ୍କୁଲ୍‌ରେ କାର୍ଯ୍ୟ କରୁଥିଲେ। ପଦୋନ୍ନତି ପାଇ ଆଡ଼ହୁରିଆ ସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ବେଳେ ଆଡ଼ହୁରିଆ ଗ୍ରାମବାସୀ ତାଙ୍କୁ ବିଦ୍ୟାଳୟରେ ପୂରାଇ ଦେଇନଥିଲେ। ପରେ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବଳଭଦ୍ରପୁର ସ୍କୁଲ୍‌ରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଥିଲା। ସେଠାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ବଳଭଦ୍ରପୁର ଗ୍ରାମବାସୀ ଓ ଅଭିଭାବକମାନେ ତାଙ୍କ ନିଯୁକ୍ତିକୁ ବିରୋଧ କରି ସ୍କୁଲ୍‌ ସମ୍ମୁଖରେ ଧାରଣରେ ବସିଥିଲେ। ପରେ ତାଙ୍କୁ ବିରିଡ଼ି ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦିଆଗଲା। ସେଠାରେ ମଧ୍ୟ ଗାଁ ଲୋକେ ତାଙ୍କୁ ବିଦ୍ୟ‌ାଳୟ‌ରେ ପୂରାଇ ଦେଇନଥିଲେ। ସେହିଦିନଠାରୁ ୭ମାସ ହେଲା ଶିକ୍ଷୟିତ୍ରୀ ଜଣଙ୍କ ବିଇଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରୁ, ଆଜି ବିଇଓ ଆସି ନାହାନ୍ତି। ସୋମବାର ବିଇଓ ଆସିଲେ କ’ଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ସବୁ ସ୍ଥାନରେ ଶିକ୍ଷୟିତ୍ରୀ ଜଣଙ୍କ ଏଭଳି ବିରୋଧର ସମ୍ମୁଖୀନ ହେଉଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ହତୋତ୍ସାହିତ କରିବା ପାଇଁ କୌଣସି ଗୋଷ୍ଠୀ ତାଙ୍କ ବିରୋଧରେ ଚକ୍ରାନ୍ତ କରି ଏପରି କରୁଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର